କଟକ : ସ୍କୁଲ ମିଶ୍ରଣ ପ୍ରସଂଗରେ ରାଜ୍ୟ ସରକାରଙ୍କ ପକ୍ଷରୁ ଦାୟର ରିଟ୍ ଅପିଲରେ ୨୦୨୧, ଜୁଲାଇ ୨୦ରେ ଜାରି କରାଯାଇଥିବା ଅନ୍ତରୀଣ ରହିତାଦେଶ ବଳବତ୍ତର ରଖିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମାମଲାରେ ପକ୍ଷଭୁକ୍ତ ପାଇଁ ଦାୟର ଆବେଦନ ଗୁଡିକରେ ଜବାବ ରଖିବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ୨୦୨୨, ଏପ୍ରିଲ ୪ର ନିର୍ଦ୍ଦେଶ ପାଳନ କରାଯାଇ ହାଇକୋର୍ଟରେ ଅତିରିକ୍ତ ସତ୍ୟପାଠ ଦାଖଲ କରାଯାଇଛି। ସତ୍ୟପାଠରେ ପ୍ରତିପକ୍ଷ ସ୍କୁଲର ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ, ମାଗଣା ବହି ଓ ୟୁନିଫର୍ମ ପ୍ରଦାନ ପ୍ରସଂଗରେ ତଥ୍ୟ ଉଲ୍ଲେଖ କରାଯାଇଛି। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ମିଶ୍ରଣ ପୂର୍ବରୁ ସ୍କୁଲ ଗୁଡିକର ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ, ମାଗଣା ବହି ଓ ୟୁନିଫର୍ମ ଭଳି ସୁବିଧା ଉପଲବ୍ଧ ହେଉଥିବା ବେଳେ ସାନି ସ୍ଥିତି କଣ ରହିଛି ସେ ନେଇ ଅତିରିକ୍ତ ସତ୍ୟପାଠ ଦାଖଲ ପାଇଁ ହାଇକୋର୍ଟ ଏପ୍ରିଲ ୪ରେ ସରକାରଙ୍କୁ କହିଥିଲେ। ଅତିରିକ୍ତ ସତ୍ୟପାଠ ଅନୁଧ୍ୟାନ କରି ଏହା ଉପରେ ପକ୍ଷ ରଖିବାକୁ ପ୍ରତିପକ୍ଷଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୨୮କୁ ଧାର୍ଯ୍ୟ କରାଯାଇଥିବା ବେଳେ ପୂର୍ବରୁ ଜାରି କରାଯାଇଥିବା ଅନ୍ତରୀଣ ନିର୍ଦ୍ଦେଶ ଅନ୍ୟାଦେଶ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ହାଇକୋର୍ଟ କହିଛନ୍ତି। ଜଷ୍ଟିସ ଯଶୱନ୍ତ ସିଂହ ଓ ଜଷ୍ଟିସ ଏମ.ଏସ.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ରାଜ୍ୟ ସରକାରଙ୍କ ପକ୍ଷରୁ ଦାୟର ରିଟ୍ ଅପିଲର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।
ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ରାଜ୍ୟରେ ଶତାଧିକ ସରକାରୀ ସ୍କୁଲକୁ ବନ୍ଦ କରିବା ଓ ଅନ୍ୟ ସ୍କୁଲ ସହିତ ମିଶ୍ରଣ କରିବା ସଂପର୍କିତ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତିକୁ ହାଇକୋର୍ଟର ଜଣିକିଆ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ମେ ୪ରେ ରଦ୍ଦ କରିଥିଲେ। ଗଣଶିକ୍ଷା ବିଭାଗ ପକ୍ଷରୁ ଏ ନେଇ ପ୍ରକାଶିତ ୨୦୨୦, ମାର୍ଚ୍ଚ ୧୧ର ମୂଳ ବିଜ୍ଞପ୍ତି ସହିତ ପରବର୍ତ୍ତୀ ସମୟରେ ୨୦୨୦, ଡିସେମ୍ବର ୧୪ରେ ପ୍ରକାଶିତ ବିଜ୍ଞପ୍ତିକୁ ୨୦୨୧, ମେ ୪ରେ ରଦ୍ଦ କରାଯାଇଥିଲା। ରାଜ୍ୟ ସରକାରଙ୍କ ସ୍କୁଲ ମିଶ୍ରଣ ସଂପର୍କିତ ବିଜ୍ଞପ୍ତି ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ପାଇଁ ଶିଶୁଙ୍କ ଅଧିକାର ଆଇନ, ୨୦୦୯ ଓ ଓଡ଼ିଶାର ଶିଶୁମାନଙ୍କ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର ନିୟମ, ୨୦୧୦ର ଉଲ୍ଲଂଘନ କରୁଥିବା ଦର୍ଶାଇ ଏହାକୁ ରଦ୍ଦ କରିବା ସପକ୍ଷରେ ରାୟ ପ୍ରଦାନ କରାଯାଇଥିଲା। ଏଥି ସହିତ ମିଶ୍ରଣ ପୂର୍ବର ଅବସ୍ଥାରେ ଆବେଦନକାରୀ ସ୍କୁଲକୁ ପୁନଃସ୍ଥାପିତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ସ୍କୁଲ ଗୁଡିକ କିପରି ସୁଚାରୁ ଭାବେ କାର୍ଯ୍ୟ କରିବ ସେଥି ପାଇଁ ଆବଶ୍ୟକ ଭିତ୍ତିଭୂମି ଓ ଅନ୍ୟାନ୍ୟ ବ୍ୟବସ୍ଥା ସରକାର ଯୋଗାଇ ଦେବେ। ସ୍କୁଲ ଗୁଡିକର ଉପସ୍ଥାପନ କମିବା ପାଇଁ ସରକାରଙ୍କ ଶିକ୍ଷାନୀତି ପରୋକ୍ଷରେ ଦାୟୀ। ଉପଯୁକ୍ତ ଭିତ୍ତିଭୂମି ଓ ଆନୁସଙ୍ଗିକ ସୁବିଧା ନ ଦେଇ ସ୍କୁଲ ଗୁଡିକ ମିଶ୍ରଣ ପାଇଁ ନିଷ୍ପତ୍ତି ନେବା ଆଇନ ଅନୁସାରେ ଗ୍ରହଣୀୟ ନୁହେଁ। ମାଗଣା ଓ ବାଧ୍ୟତା ମୂଳକ ଶିକ୍ଷା ଅଧିକାର ପ୍ରସଂଗକୁ ଅଣଦେଖା କରି ସରକାର ଏପରି ନିଷ୍ପତ୍ତି ନେଇଥିବା ବେଳେ ଏହା ରଦ୍ଦ କରାଯିବା ଉଚିତ ବୋଲି ମେ ୪ରେ ପ୍ରକାଶିତ ରାୟରେ ଉଲ୍ଲେଖ କରାଯାଇଥିଲା।
ହାଇକୋର୍ଟର ଜଣିକିଆ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ୨୦୨୧, ମେ ୪ରେ ପ୍ରଦାନ କରିଥବା ଏହି ରାୟ ବିରୋଧରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଦୁଇ ଜଣିଆ ଖଣ୍ଡପୀଠରେ ରିଟ୍ ଅପିଲ ଦାୟର କରାଯାଇଥିଲା। ୨୦୨୧, ଜୁଲାଇ ୨୦ରେ ହାଇକୋର୍ଟର ଦୁଇ ଜଣ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ସରକାରଙ୍କ ରିଟ୍ ଅପିଲର ଶୁଣାଣି କରି ଜଣିକିଆ ବିଚାରପତିଙ୍କ ୨୦୨୧, ମେ ୪ର ରାୟ ଉପରେ ଅନ୍ତରୀଣ ରହିତାଦେଶ ଜାରି କରିଥିଲେ। ଯଦି କୌଣସି ପକ୍ଷ ସ୍କୁଲ ମିଶ୍ରଣ ନିଷ୍ପତ୍ତି ସଂପର୍କିତ ନିଷ୍ପତ୍ତିରେ ଅସନ୍ତୁଷ୍ଟ ହୁଅନ୍ତି ତେବେ ସେ ଗ୍ରିଭାନ୍ସ ରିଡ୍ରେସାଲ ସେଲର ଦ୍ବାରସ୍ଥ ହୋଇ ପାରିବେ ବୋଲି ହାଇକୋର୍ଟ କହିଥିଲେ। ଆଜି ମାମଲାର ଶୁଣାଣି ସମୟରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଦର୍ଶାଯାଇଥିଲା ଯେ ଉଚ୍ଚମାନର ଶିକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ସ୍କୁଲ ମିଶ୍ରଣ ସଂପର୍କିତ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଜାତୀୟ ଶିକ୍ଷାନୀତି ଆଧାରରେ ସରକାର ଜନହିତରେ ଓ ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ପାଇଁ ଏପରି ନିଷ୍ପତ୍ତି ନେଇଥିଲେ। ସରକାରଙ୍କ ନୀତିଗତ ନିଷ୍ପତ୍ତିରେ ହସ୍ତକ୍ଷେପ କରାଯିବା ଉଚିତ ନୁହେଁ ବୋଲି ଗଣଶିକ୍ଷା ବିଭାଗ ହାଇକୋର୍ଟରେ ଦର୍ଶାଇଥିଲା