ସମ୍ବଲପୁର : ସ୍କୁଲ୍‌ ଥିବ, ଛାତ୍ରଛାତ୍ରୀ ଥିବେ ଅଥଚ କୌଣସି ଶିକ୍ଷକ କି ଶିକ୍ଷୟିତ୍ରୀ ନଥିବେ। ଏଠି ନଥିବାର ଅର୍ଥ ଅନୁପସ୍ଥିତ ନୁହେଁ, ବରଂ ଶିକ୍ଷକ ପଦ ଖାଲିରହିବା। ଏପରିସ୍ଥଳେ, ସ୍କୁଲ୍‌ କିଭଳି ଚାଲୁଥିବ ଏବଂ କିଭଳି ପାଠପଢ଼ା ହେଉଥିବ, ତାହା ସହଜରେ ଅନୁମେୟ। ସମ୍ବଲପୁର ଜିଲ୍ଲା ନାକଟିଦେଉଳ କେଉଟବେର୍ଣ୍ଣା ପ୍ରାଥମିକ ବିଦ୍ୟାଳୟରେ ଏହିଭଳି ଏକ ପରିସ୍ଥିତି ସାମ୍‌ନାକୁ ଆସିଛି। ପାଠପଢ଼ାରୁ ବଞ୍ଚିତ ହେଉଥିବା ସ୍କୁଲ୍‌ର ଛାତ୍ରଛାତ୍ରୀମାନେ ଆଜି ଶହେ କି.ମି. ଦୂର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଧାରଣା ଦେଇଛନ୍ତି। ବିନା ସ୍କୁଲ୍‌ରେ ସ୍କୁଲ୍‌ ଚାଲିବା ଘଟଣା ସାଧାରଣରେ କେବଳ ଆଶ୍ଚର୍ଯ୍ୟ ସୃଷ୍ଟି କରିନାହିଁ, ଶିକ୍ଷା ବିଭାଗର ଦାୟିତ୍ବହୀନତାକୁ ବି ପଦାରେ ପକାଇ ଦେଇଛି।

Advertisment

publive-image ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନ

ନାକଟିଦେଉଳ ବ୍ଲକ କେଉଟବେର୍ଣ୍ଣା ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ୫ମ ଶ୍ରେଣୀ ଯାଏ ମୋଟ ୪୮ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। ଏହି ୪୮ ଜଣଙ୍କ ପାଇଁ ବିଦ୍ୟାଳୟରେ ଜଣେ ଶିକ୍ଷକ ଥିଲେ। ଗତ ଜୁନ ୩୦ ତାରିଖ ଦିନ ସେ ଅବସର ଗ୍ରହଣ କରିବା ପରେ ବିଦ୍ୟାଳୟ ଶିକ୍ଷକ ଶୂନ୍ୟ ହୋଇଗଲା। ବର୍ତ୍ତମାନ ବିଦ୍ୟାଳୟକୁ ଛାତ୍ରଛାତ୍ରୀମାନେ ପାଠ ପଢ଼ିବାକୁ ଯାଉଛନ୍ତି ସିନା ହେଲେ ପଢ଼ାଇବାକୁ କେହି ନାହାନ୍ତି। ବିଦ୍ୟାଳୟରେ ଶିକ୍ଷକଙ୍କୁ ଛାଡ଼ି ମଧ୍ୟାହ୍ନ ଭୋଜନ, ଖେଳ କୁଦ, ଶ୍ରେଣୀଗୃହ ଆଦି ସବୁ ବ୍ୟବସ୍ଥା ରହିଛି। ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ଦେବାପାଇଁ ଦାବିକରି ବୁଧବାର ଦିନ ଗ୍ରାମବାସୀ ଓ ଛାତ୍ରଛାତ୍ରୀମାନେ ୧୨ ହଜାର ଟଙ୍କା ଦେଇ ଏକ ବସ୍‌କୁ ଭଡ଼ାଆଣିଥିଲେ। ସେଥିରେ ଯାଇ ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଧାରଣା ଦେଇଥିଲେ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ହିଁ ଏହି କୁନିକୁନି ପିଲାମାନେ ଧାଡ଼ି ବାନ୍ଧି ମଧ୍ୟାହ୍ନ ଭୋଜନ କରିଥିଲେ। ସେମାନଙ୍କ ସହ ଆସିଥିବା ଗ୍ରାମବାସୀ ଏହି ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରିଥିଲେ।

ଏ ସମ୍ପର୍କରେ ଅଭିଭାବକ କହିଛନ୍ତି, ‘ପିଲାଙ୍କ ଭବିଷ୍ୟତ ଅନ୍ଧକାର ଆଡ଼କୁ ଠେଲି ହୋଇ ଯାଉଥିବା ଦେଖି ଏହିଭଳି ପଦକ୍ଷେପ ନେବାକୁ ବାଧ୍ୟହେଲୁ। ମେ ପିଲାଙ୍କୁ ପାଠ ପଢ଼ିବା ପାଇଁ ବିଦ୍ୟାଳୟକୁ ପଠାଉଛୁ, ମଧ୍ୟାହ୍ନ ଭୋଜନ ପାଇଁ ନୁହେଁ।’ ବିନା ଶିକ୍ଷକରେ ପିଲାମାନେ ବିଦ୍ୟାଳୟରେ କଣ ଶିଖିବେ? ସେଠାକୁ କାହିଁକି ଯିବେ ବୋଲି ଜିଲ୍ଲାପାଳଙ୍କ ଅଫିସକୁ ଆସିଥିବା ଅଭିଭାବକମାନେ ପ୍ରଶ୍ନ କରିଥିଲେ। ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଯଥାଶୀଘ୍ର ଶିକ୍ଷକ ନିଯୁକ୍ତି ଦିଆଯାଉ ବୋଲି ସେମାନେ ଦାବି କରିଥିଲେ। ଅନ୍ୟପଟେ ଅଭିଯୋଗ ପରେ ଜିଲ୍ଲା ଶିକ୍ଷାଧିକାରୀ ଉକ୍ତ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ପାଇଁ ନାକଟିଦେଉଳ ବିଇଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ସୂଚନା ଦେଇଛନ୍ତି ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଡ. ମୁରଲୀଧର ବେହେରା।