ସ୍କୁଲ ପରିଚାଳନା କମିଟି କିଣିବ ଜୋତା, ପୋଷାକ

ଜାନୁଆରି ୨୬ ସୁଦ୍ଧା ପିଲାଙ୍କୁ ବଣ୍ଟନ କରାଯିବ

ଦୁଇ ହଳ ଲେଖାଏଁ ପୋଷାକ ଓ ମୋଜା, ହଳେ ଜୋତା ମିଳିବ
ପୋଷାକ ରଙ୍ଗ ବଦଳିବନି, ଅସାଧୁ ଉପାୟ ଅବଲମ୍ବନ କଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର : ୨୦୨୦-୨୧ ଶିକ୍ଷାବର୍ଷରେ ଏପର୍ଯ୍ୟନ୍ତ ଦିନେ ବି ହେଲେ ସ୍କୁଲ ଖୋଲିନି। ତା’ପରେ ବି ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଛାତ୍ରଛାତ୍ରୀଙ୍କୁ ମାଗଣା ପୋଷାକ ଓ ଜୋତା ମିଳିବ। ଜାନୁଆରି ୨୬ ସୁଦ୍ଧା ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ପ୍ରାଥମିକ, ଉଚ୍ଚ ପ୍ରାଥମିକ(ପ୍ରଥମ ଶ୍ରେଣୀରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ) ଓ ଉଚ୍ଚ ବିଦ୍ୟାଳୟ(୬ଷ୍ଠରୁ ୮ମ ଶ୍ରେଣୀ)ରେ ଅଧ୍ୟୟନରତ ସମସ୍ତ ଛାତ୍ରୀ, ଅନୁସୂଚିତ ଜାତି ଓ ଜନଜାତି, ଦାରିଦ୍ର୍ୟ ସୀମାରେଖା ତଳେ ଓ ଉପରେ ଥିବା ସମସ୍ତ ବାଳକ, ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଅଧୀନରେ ଥିବା ବିଦ୍ୟାଳୟଗୁଡ଼ିକର ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ଏହି ସୁବିଧା ପାଇବେ। ଜଣେ ପିଲା ପିଛା ୪୦୦ ଟଙ୍କା ମୂଲ୍ୟରେ ଦୁଇ ହଳ ପୋଷାକ, ୨୦୦ ଟଙ୍କା ମୂଲ୍ୟରେ ହଳେ ଜୋତା ଓ ଦୁଇ ହଳ ମୋଜା ବଣ୍ଟନ କରାଯିବ।

ଏଥର ବି ପୋଷାକର ରଙ୍ଗ ଓ ପରିପାଟିରେ କୌଣସି ପରିବର୍ତନ ହେବନି। ସମସ୍ତ ଛାତ୍ରଙ୍କ ଲାଗି ନୀଳ ପ୍ୟାଣ୍ଟ ଓ ଧଳା ସାର୍ଟ, ପ୍ରଥମରୁ ୫ମ ଶ୍ରେଣୀ ଛାତ୍ରୀଙ୍କୁ ନୀଳ ଫ୍ରକ୍‌ ଓ ଷଷ୍ଠରୁ ୮ମ ଶ୍ରେଣୀର ଛାତ୍ରୀଙ୍କୁ ନୀଳ କମିଜ ଓ ଧଳା ସାଲୱାର ଦିଆଯିବ। ଛାତ୍ରଛାତ୍ରୀଙ୍କୁ କଳା ରଙ୍ଗର ଜୋତା ଓ ଦୁଇ ହଳ ଧଳା ମୋଜା ବଣ୍ଟନ ହେବ। ଯେଉଁ ମାଧ୍ୟମିକ ବିଦ୍ୟାଳୟରେ ୮ମ କିମ୍ବା ତଳ ଶ୍ରେଣୀ ଥିବ ସେ କ୍ଷେତ୍ରରେ ଏହି ପୋଷାକ କୋଡ୍‌ ଲାଗୁ ହେବ ନାହିଁ। ସେଠାକାର ପିଲାମାନେ ନିଜ ବିଦ୍ୟାଳୟ ଲାଗି ଉଦ୍ଦିଷ୍ଟ ନିର୍ଦ୍ଦିଷ୍ଟ ରଙ୍ଗର ପୋଷାକ ପିନ୍ଧିବେ। ପ୍ରତ୍ୟେକ ସାର୍ଟ, ପ୍ୟାଣ୍ଟ ଓ ଫ୍ରକ୍‌ର କଲର ୨୦୨୧ ଲେଖାଯାଇଥିବା ସ୍ଥାୟୀ ଟ୍ୟାଗ୍‌ ଲଗାଯିବ। ପୋଷାକ ଓ ଜୋତାର ରଙ୍ଗ ଓ ଗୁଣବତ୍ତା ଉପରେ ବିଶେଷ ଧ୍ୟାନ ଦିଆଯିବ। ଜାନୁଆରି ୨୬ ସୁଦ୍ଧା ସ୍ଥାନୀୟ ଅଞ୍ଚଳର ଶିକ୍ଷାବିତ୍‌, ବିଶିଷ୍ଟ ବ୍ୟକ୍ତି, ସମାଜସେବୀ, ସ୍ବାଧୀନତା ସଂଗ୍ରାମୀଙ୍କ ଉପସ୍ଥିତିରେ ପୋଷାକ ଓ ଜୋତା ବଣ୍ଟନ ସହ ଏସମ୍ପର୍କିତ ଫଟୋ ଉତ୍ତୋଳନ କରାଯାଇ ସମ୍ପୂର୍ଣ୍ଣ ବିବରଣୀ ରଖାଯିବ।

୫ ହଜାର ଟଙ୍କା କିମ୍ବା ତା’ଠାରୁ କମ୍‌ ପୋଷାକ ଓ ଜୋତା ରାଶି ଜମା ହୋଇଥିବା ବିଦ୍ୟାଳୟ ଲାଗି ସ୍କୁଲ ପରିଚାଳନା କମିଟି(ଏସ୍‌ଏମ୍‌ସି)ର ସଦସ୍ୟମାନେ ନିକଟସ୍ଥ ବଜାରକୁ ଯାଇ ନିର୍ଦ୍ଧାରିତ ମୂଲ୍ୟରେ ଗୁଣବତ୍ତା ବିଶିଷ୍ଟ ସାମଗ୍ରୀ ବିକ୍ରି କରୁଥିବା ଦୋକାନୀ/ବିତରକଙ୍କ ସନ୍ଧାନ କରିବେ। ଏସ୍‌ଏମ୍‌ସି ଅଧିବେଶନରେ ଦୋକାନୀ/ବିତରକଙ୍କ ନାମ ପ୍ରସ୍ତାବ ଦେବେ ଏବଂ ସଦସ୍ୟମାନଙ୍କ ଅନୁମୋଦନକ୍ରମେ ସଠିକ୍‌ ମୂଲ୍ୟରେ ଉପଯୁକ୍ତ ସାମଗ୍ରୀ ବରାଦ ଦିଆଯିବ। ୫ ହଜାର ଟଙ୍କାରୁ ଅଧିକ ପୋଷାକ/ଜୋତା ଲାଗି ଏସ୍‌ଏମ୍‌ସି ଖୋଲା ବଜାରରୁ ପୋଷାକ/ଜୋତା କିଣିବା ସକାଶେ ୩ଟି ଭିନ୍ନ ଭିନ୍ନ ଦ୍ରବ୍ୟ ଓ ସେବାକର ପଞ୍ଜୀକୃତ ବିତରକଙ୍କଠାରୁ ତିନୋଟି କୋଟେସନ୍‌ ସଂଗ୍ରହ କରିବେ। ଏସ୍‌ଏମ୍‌ସି ଅଧିବେଶନରେ ଉକ୍ତ କୋଟେସନ୍‌ ଯାଞ୍ଚ କରାଯିବ। ସବୁଠାରୁ କମ୍‌ ମୂଲ୍ୟର କୋଟେସନ୍‌କୁ ‌ବୈଠକରେ ଅନୁମୋଦନ କରାଯିବ।

ଏସ୍‌ଏମ୍‌ସି କମିଟି ଆକାଉଣ୍ଟକୁ ସାମଗ୍ରୀ ବାବଦ ଅର୍ଥ ଯୋଗାଇ ଦିଆଯିବ ଏବଂ ସେମାନେ ବିତରଣ ଦାୟିତ୍ବ ବହନ କରିବେ। କିଣିବା ବା ତିଆରି କରି ବିତରଣରେ ଯେପରି ସାଧୁତା, ସ୍ବଚ୍ଛତା ଓ ନିରପେକ୍ଷତା ଅବଲମ୍ବନ କରାଯିବ ସେନେଇ ଡିଇଓ, ଡିପିସି, ବିଇଓ, ଏବିଇଓ, ସିଆରସିସି, ତଦାରଖ କରିବେ। ଅଧିକ ଥଣ୍ଡା ଅନୁଭୂତ ହେଉଥିବା ଜିଲ୍ଲାଗୁଡ଼ିକ ବିଦ୍ୟାଳୟ ପ୍ରାପ୍ତ ଅର୍ଥରୁ ଗୋଟିଏ ହଳ ପୋଷାକ ଦେବା ସହ ଅନ୍ୟ ହଳ ପୋଷାକ ବଦଳରେ ‌ଗୋଟିଏ ମାଟିଆ ରଙ୍ଗର ସୁଇଟର ଦେଇପାରିବେ। ପ୍ରଧାନଶିକ୍ଷକ ନିଜ ପାଖରେ ଗୋଟିଏ ହଳ ପୋଷାକ/ଜୋତା ନମୁନା ଭାବେ ରଖିବେ। ପ୍ରତି ୧୫ ଦିନ ବ୍ୟବଧାନରେ ପୋଷାକ ବିତରଣ ସମ୍ବନ୍ଧରେ ସୂଚନା ସରକାରଙ୍କ ହସ୍ତଗତ ହେବ। ଏଥିପାଇଁ ଡିଇଓ/ଡିପିସିମାନେ ତଥ୍ୟ ସଂଗ୍ରହ କରିବେ। ବିଦ୍ୟାଳୟର ପିଲା ସଂଖ୍ୟା ଅନୁଯାୟୀ ଏସ୍‌ଏମ୍‌ସିର ଅଧିବେଶନର ପ୍ରସ୍ତାବ ମୁତାବକ ପ୍ରତ୍ୟେକ ଦିନ ଅଳ୍ପ ସଂଖ୍ୟକ ଛାତ୍ରଛାତ୍ରୀଙ୍କ ପିତାମାତା/ଅଭିଭାବକଙ୍କୁ ଡାକି କୋଭିଡ୍‌-୧୯ ମାର୍ଗଦର୍ଶିକା ନିୟମ ଅନୁସରଣ କରି ପୋଷାକ ବଣ୍ଟନ କରାଯିବ। ଏବାବଦ ଅର୍ଥ ଅକ୍ଟୋବର ୨୧ରେ ସମସ୍ତ ଜିଲ୍ଲାକୁ ପଠାଇ ଦିଆଯାଇଛି। ଜଣେ ବି ପିଲା ଯେପରି ପୋଷାକ/ଜୋତା ପାଇବାରୁ ବଞ୍ଚିତ ନ ହୁଅନ୍ତି ସେଥିପ୍ରତି ଦୃଷ୍ଟି ଦେବାକୁ କୁହାଯାଇଛି। ନିମ୍ନମାନର ସାମଗ୍ରୀ ବଣ୍ଟନ କିମ୍ବା ଅସାଧୁ ଉପାୟ ଅବଲମ୍ବନ କରାଯାଉଥିବାର ନଜରକୁ ଆସି‌ଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର