ରାଜ୍ୟରେ ଡିସେମ୍ବର ୩୧ ଯାଏ ବନ୍ଦ ରହିବ ସ୍କୁଲ, ଗଣଶିକ୍ଷା ବିଭାଗ ଜାରି କଲା ନିର୍ଦ୍ଦେଶନାମା

ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ଡିସେମ୍ବର ୩୧ ଯାଏଁ ସ୍କୁଲ ବନ୍ଦ ରହିବ। ରାଜ୍ୟ ସରକାର କୋଭିଡ୍ ସଂକ୍ରମଣକୁ ନଜରରେ ରଖି ଏଭଳି ନିଷ୍ପତ୍ତି ନେଇଛନ୍ତି।  ଗଣଶିକ୍ଷା ବିଭାଗ ପକ୍ଷରୁ  ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ସ୍କୁଲ ବନ୍ଦ ରହିଲେ ବି ପରୀକ୍ଷା ଓ ନାମଳେଖା ପ୍ରକ୍ରିୟା ଜାରି ରହିବ । ସେହିଭଳି ଅନ୍‌ଲାଇନ୍‌ କ୍ଲାସ ମଧ୍ୟ ପୂର୍ବ ପରି ଚାଲିବ ବୋଲି ଜଣାପଡ଼ିଛି । ଆଜି ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ ସତ୍ୟବ୍ରତ ସାହୁ ଏ ନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି।  ଡିସେମ୍ବର ୨ୟ ସପ୍ତାହରେ କୋଭିଡ-୧୯ର ୨ୟ ସଂକ୍ରମଣ ଲହର ଆସିବାର ଆଶଙ୍କା ରହିଛି। ଏ ନେଇ ଗତ ୪ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଥିଲେ।

ପୂର୍ବରୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ କହିଥିଲେ ଯେ, ଚଳିତ ମାସରେ ସ୍କୁଲ୍‌ ଖୋଲିବା ନେଇ ଯେଉଁ ନିଷ୍ପତ୍ତି ନିଆଯାଇଥିଲା, ତାକୁ ରାଜ୍ୟ ସରକାର ସାମୟିକ ଭାବେ ସ୍ଥଗିତ ରଖିଛନ୍ତି। ଏଣୁ ନଭେମ୍ବର ମାସରେ ନବମରୁ ଦ୍ୱାଦଶ ଶ୍ରେଣୀ ଲାଗି ସ୍କୁଲ୍‌ ଖୋଲିବ ନାହିଁ। ଚଳିତ ମାସରେ ଏହି ଶ୍ରେଣୀ ଖୋଲିବା ପାଇଁ ନିଆଯାଇଥିବା ନିଷ୍ପତ୍ତିକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି। ରାଜ୍ୟରେ ଡିସେମ୍ବରରେ ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ନେଇ ଆଶଙ୍କା ପ୍ରକାଶ ପାଇଛି। ଏହାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ବୋଲି ଶ୍ରୀ ଦାଶ କହିଛନ୍ତି।

ସୂଚନାଯୋଗ୍ୟ, ଆନ୍ଧ୍ରପ୍ରଦେଶ ସମେତ କେତେ ରାଜ୍ୟରେ ସ୍କୁଲ ଖୋଲିବା ପରେ ଶିକ୍ଷକ ଓ ଛାତ୍ରଛାତ୍ରୀ ବହୁମାତ୍ରାରେ କରୋନାରେ ସଂକ୍ରମିତ ହୋଇଥିଲେ। ଏହା ଅନେକଙ୍କ ପାଇଁ ଚିନ୍ତା ବଢାଇ ଦେଇଥିଲା। ଚଳିତ ମାସରେ ନବମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସ୍କୁଲ ଖୋଲିବାକୁ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇଥିଲା। ତେବେ ଆନ୍ଧ୍ରରେ ଯେଭଳି ସଂକ୍ରମଣ ବଢୁଛି ସେଭଳି ସ୍ଥିତି ଆଶଙ୍କା କରି ନିଷ୍ପତ୍ତି ବଦଳାଯାଇଛି। କରୋନା ଯୋଗୁଁ ଚଳିତ ବର୍ଷ ମାର୍ଚ୍ଚ ୧୭ ତାରିଖ ଠାରୁ ସ୍କୁଲ ବନ୍ଦ ରହିଛି। ଅନଲାଇନରେ ଛାତ୍ରଛାତ୍ରୀଙ୍କ ପାଠପଢା ଚାଲିଛି।

ସମ୍ବନ୍ଧିତ ଖବର