କଟକ : ସ୍କୁଲ ମିଶ୍ରଣ ପ୍ରସଂଗରେ ରାଜ୍ୟ ସରକାରଙ୍କ ପକ୍ଷରୁ ଦାୟର ରିଟ୍ ଅପିଲରେ ୨୦୨୧, ଜୁଲାଇ ୨୦ରେ ଜାରି କରାଯାଇଥିବା ଅନ୍ତରୀଣ ରହିତାଦେଶ ବଳବତ୍ତର ରଖିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ ଶତାଧିକ ସରକାରୀ ସ୍କୁଲକୁ ବନ୍ଦ କରିବା ଓ ଅନ୍ୟ ସ୍କୁଲ ସହିତ ମିଶ୍ରଣ କରିବା ସଂପର୍କିତ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତିକୁ ହାଇକୋର୍ଟର ଜଣିକିଆ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ମେ ୪ରେ ରଦ୍ଦ କରିଥିଲେ। ସ୍କୁଲ ମିଶ୍ରଣ ପ୍ରସଂଗକୁ ବିରୋଧ କରି ଦାୟର ମାମଲା ଗୁଡିକର ଏକତ୍ର ଶୁଣାଣି କରି ହାଇକୋର୍ଟ ୨୦୨୧, ମେ ୪ରେ ରାୟ ପ୍ରକାଶ କରିଥିଲେ। କିନ୍ତୁ ଗୋଟିଏ ମାମଲାର ରାୟକୁ ଚାଲେଞ୍ଜ କରି ରାଜ୍ୟ ସରକାର ରିଟ୍ ଅପିଲ ଦାୟର କରିଥିଲେ। ଏହି ରିଟ୍ ଅପିଲରେ ପକ୍ଷଭୁକ୍ତ ହେବା ପାଇଁ ସ୍କୁଲ ମିଶ୍ରଣକୁ ବିରେଧ କରୁଥିବା ଅନ୍ୟମାନେ ଅନ୍ତରୀଣ ଆବେଦନ ଦାୟର କରିଥିଲେ। ହାଇକୋର୍ଟ ଆଜି ସମସ୍ତ ଅନ୍ତରୀଣ ଆବେଦନକୁ ଗ୍ରହଣ କରି ସରକାରଙ୍କ ତରଫରୁ ଦାୟର ରିଟ ଅପିଲରେ ପକ୍ଷଭୁକ୍ତ ହେବା ପାଇଁ ଅନ୍ୟମାନଙ୍କୁ ଅନୁମତି ଦେଇଛନ୍ତି।
୨୦୨୧, ଜୁଲାଇ ୨୦ରେ ହାଇକୋର୍ଟର ଦୁଇ ଜଣ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ସରକାରଙ୍କ ରିଟ୍ ଅପିଲର ଶୁଣାଣି କରି ଜଣିକିଆ ବିଚାରପତିଙ୍କ ୨୦୨୧, ମେ ୪ର ରାୟ ଉପରେ ଅନ୍ତରୀଣ ରହିତାଦେଶ ଜାରି କରିଥିଲେ। ଯଦି କୌଣସି ପକ୍ଷ ସ୍କୁଲ ମିଶ୍ରଣ ନିଷ୍ପତ୍ତି ସଂପର୍କିତ ନିଷ୍ପତ୍ତିରେ ଅସନ୍ତୁଷ୍ଟ ହୁଅନ୍ତି ତେବେ ସେ ଗ୍ରିଭାନ୍ସ ରିଡ୍ରେସାଲ ସେଲର ଦ୍ବାରସ୍ଥ ହୋଇ ପାରିବେ ବୋଲି ହାଇକୋର୍ଟ କହିଥିଲେ।