ବିଦ୍ୟାଳୟ ମିଶ୍ରଣ ପ୍ରସଙ୍ଗ : କେବିକେ ପାଇଁ ବି କୋହଳ ହେଲା

୧୫ରୁ କମ୍ ପିଲା ଥିଲେ ବିଦ୍ୟାଳୟ ମିଶ୍ରଣ, ବିରୋଧୀଙ୍କ ଦାବି ପରେ ନିଷ୍ପତ୍ତି ବଦଳାଇଲେ ମନ୍ତ୍ରୀ

ଭୁବନେଶ୍ୱର : ବିଧାୟକଙ୍କ ଅସନ୍ତୋଷ ପରେ ସରକାର ଆଜି ବିଦ୍ୟାଳୟ ମିଶ୍ରଣ ପ୍ରସଙ୍ଗରେ ଆଉ ଟିକେ କୋହଳ ହୋଇଛନ୍ତି। କେବଳ ଆଦିବାସୀ ଅଞ୍ଚଳ ନୁହେଁ, କେବିକେ ଜିଲ୍ଲାରେ ବି ୧୫ ବା ୧୫ରୁ କମ୍ ପିଲା ଥିଲେ ବିଦ୍ୟାଳୟ ମିଶ୍ରଣ ହେବ। ପୂ୍ର୍ବରୁ ଏହି ସୀମା ୨୦ ଥିଲା।

ଆଜି ବିଧାନସଭାର ଅପରାହ୍ନ ଅଧିବେଶନରେ ବିଦ୍ୟାଳୟ ମିଶ୍ରଣ ପ୍ରସଙ୍ଗ ପୁଣି ଥରେ ଆଲୋଚନା ପରିସରକୁ ଆସିଥିଲା। ବିରୋଧୀ ଅଡ଼ିବସିଥିଲେ ଯେ କେବିକେ ପାଇଁ ବି ସରକାର ତାଙ୍କ ନୀତି କୋହଳ କରନ୍ତୁ। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ ଯେ ଗତକାଲି ଆଲୋଚନା ବେଳେ ଗୃହରେ ପ୍ରାୟ ସମସ୍ତ ସଦସ୍ୟ ଆଦିବାସୀ ଓ କେବିକେ ଜିଲ୍ଲାରେ ଥିବା ସବୁ ସ୍କୁଲରେ ମିଶ୍ରଣକୁ ବିରୋଧ କରିଥିଲେ। ସରକାର କିନ୍ତୁ କେବଳ ଆଦିବାସୀ ଅଞ୍ଚଳ ପାଇଁ ୧୫ରୁ କମ୍ ପିଲା ଥିଲେ ବିଦ୍ୟାଳୟ ମିଶ୍ରଣ ହେବ ବୋଲି କହିଲେ। ବାଚସ୍ପତି ଏବେ ମନ୍ତ୍ରୀଙ୍କୁ ତୁରନ୍ତ ନିର୍ଦେଶ ଦିଅନ୍ତୁ ଏବଂ ସେ ଏହି ତାଲିକାରେ କେବିକେକୁ ସାମିଲ କରନ୍ତୁ ବୋଲି ଶ୍ରୀ ମିଶ୍ର ଦାବି ରଖିଥିଲେ।

ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ସମାନ ଦାବି କରି କହିଥିଲେ ଯେ ସରକାରଙ୍କ ନିଷ୍ପତ୍ତି ପରେ କେବିକେ ଅଞ୍ଚଳର ଲୋକଙ୍କ ଫୋନ୍ ଆସୁଛି ଓ ସେମାନଙ୍କ ବିଦ୍ୟାଳୟ ପ୍ରତି ଆଭିମୁଖ୍ୟ ପରିବର୍ତନ ଦାବି କରୁଛନ୍ତି। ବିଧାନସଭା ସରିବା ପରେ ଆମେ ଲୋକଙ୍କୁ କି ଉତ୍ତର ଦେବୁ? ମନ୍ତ୍ରୀଙ୍କୁ ନିର୍ଦେଶ ଦିଅନ୍ତୁ ଯେ ଏହି ବ୍ୟବସ୍ଥାଟି ସମଗ୍ର କେବିକେ ଜିଲ୍ଲାପାଇଁ ଲାଗୁ କରିବାକୁ ସରକାର ଘୋଷଣା କରନ୍ତୁ ବୋଲି ସେ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ବିଧାୟକ ସନ୍ତୋଷ ସିଂହ ସାଲୁଜା କହିଥିଲେ ଯେ ସରକାରଙ୍କ ଘୋଷଣା ଅନୁଯାୟୀ ଆଦିବାସୀ ଅଞ୍ଚଳର ପିଲା କେବଳ ଉପକୃତ ହେବେ। କିନ୍ତୁ କେବିକେ ଅଞ୍ଚଳର ୮୦ ବ୍ଲକର ଛାତ୍ରଛାତ୍ରୀ ଶିକ୍ଷା ପାଇବାକୁ ବଞ୍ଚିତ ହେବେ। ସରକାର ତାଙ୍କ ନିଷ୍ପତ୍ତିରେ ତୁରନ୍ତ ପରିବର୍ତ୍ତନ କରିବାର ଆବଶ୍ୟକତା ରହିଛି। କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଥିଲେ, ୨୦୧୭ରେ ବିଦ୍ୟାଳୟ ବନ୍ଦ ପାଇଁ ସରକାର ପ୍ରକ୍ରିୟା ଆରମ୍ଭ କରିଥିଲେ। ଏ ସଂପର୍କରେ ସରକାର ହଠାତ୍ ନିଷ୍ପତ୍ତି ନେଲେ; ଅଥଚ ବିଧାୟକମାନେ ଜାଣିପାରିଲେନି। ଯଦିଓ କେନ୍ଦ୍ର ସରକାରଙ୍କ ସୁପାରିସ ଆଧାରରେ ସରକାର ବିଦ୍ୟାଳୟ ମିଶ୍ରଣର ନିଷ୍ପତ୍ତି ନେଇଛନ୍ତି, କେବିକେ ଜିଲ୍ଲାରେ କି ଅସୁବିଧା ଜାଣିନାହାନ୍ତି।

ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ସୁରେଶ କୁମାର ରାଉତରାୟ, ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ, ବିଜେପି ବିଧାୟକ ଭାସ୍କର ମଢ଼େଇ, ଜୟ ନାରାୟଣ ମିଶ୍ର ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ।

ପରେ ବାଚସ୍ପତିଙ୍କ ନିର୍ଦେଶରେ ମନ୍ତ୍ରୀ ଶ୍ରୀ ଦାସ ପୁଣି ଗୃହକୁ ଆଶ୍ବାସନା ଦେଇ କହିଥିଲେ ଯେ କେବିକେ ଜିଲ୍ଲାରେ ଥିବା ଆଦିବାସୀ ଓ ଅଣ ଆଦିବାସୀ ବିଦ୍ୟାଳୟ ଉଭୟରେ ପୂର୍ବ ନିର୍ଧାରିତ ନିୟମ କୋହଳ କରାଯିବ। ୧୫ରୁ କମ୍ ପିଲା ଥିଲେ ସରକାର ସ୍କୁଲ ମିଶ୍ରଣ ପାଇଁ ପଦକ୍ଷେପ ନେବେ।

ସମ୍ବନ୍ଧିତ ଖବର