ବିଦ୍ୟାଳୟ ମିଶ୍ରଣ: ହଜାରେ ପିଲାଙ୍କ ପାଠପଢ଼ା ଠପ୍‌

ଭଦ୍ରକ: କେନ୍ଦ୍ରଠାରୁ  ଆରମ୍ଭ କରି ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ଶିକ୍ଷା ବ୍ୟବସ୍ଥାର ସୁଧାର ଆଣିବା ପାଇଁ ବିଭିନ୍ନ ଯୋଜନା କରୁଛନ୍ତି। ସର୍ବଶିକ୍ଷା ଅଭିଯାନ ମାଧ୍ୟମରେ ଗାଁ ଗାଁରେ ପ୍ରାଥମିକ ସ୍କୁଲ ଖୋଲିଥିଲେ। କିଛି ବର୍ଷ ପରେ ଏବେ ରାଜ୍ୟ ସରକାର ବିଦ୍ୟାଳୟ ମିଶ୍ରଣ ପର୍ବ  ଆରମ୍ଭ କରି  କମ୍  ପିଲା ସଂଖ୍ୟା ଦର୍ଶାଇ ସ୍କୁଲଗୁଡିକ ବନ୍ଦ କରି ଦେଉଛନ୍ତି। ଯେଉଁ ସ୍କୁଲଗୁଡିକ ବନ୍ଦ କରାଯାଉଛି। ସେହିସବୁ  ସ୍କୁଲର ପିଲାଙ୍କୁ ପାଖ ସ୍କୁଲରେ ନାମ ଲେଖାଇବା ପାଇଁ କୁହାଯାଉଛି। ସରକାରଙ୍କର ସ୍କୁଲ ମିଶ୍ରଣ ଯୋଜନା ଅନେକ ଛାତ୍ରଛାତ୍ରୀଙ୍କର ପାଠପଢ଼ାରେ ଡୋରି ବନ୍ଧା ହେଉଛି। ସରକାରଙ୍କ ବିଦ୍ୟାଳୟ ମିଶ୍ରଣ ଯୋଜନା ଦ୍ବାରା  ଆଗାମୀ ଦିନରେ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ସଂକୁଚିତ କରାଯାଉଛି। ଗାଁ ଗହଳିର ଗରିବ ପିଲାମାନେ ନିଜ  ଗାଁ ସ୍କୁଲରେ ପାଠ ପଢୁଥିଲେ। ସେମାନେ ଆଉ ଦୂରବର୍ତ୍ତୀ ସ୍କୁଲକୁ ଯିବାକୁ ମନ ବଳାଉନାହାନ୍ତି। ଜିଲ୍ଲାରେ ସ୍କୁଲ ମିଶ୍ରଣ ପ୍ରକ୍ରିୟାକୁ ନେଇ ଛାତ୍ରଛାତ୍ରୀ, ଅଭିଭାବକ, ଗାଁ କମିଟି ଭିତରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ରାଜ୍ୟ ସରକାରଙ୍କର ସ୍କୁଲ ମିଶ୍ରଣକୁ ନେଇ ଏବେ ସବୁଠି ପ୍ରତିବାଦର  ସ୍ବର ଉଠିଛି। ସ୍କୁଲ ମିଶ୍ରଣ ଅନେକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଅନ୍ଧାର ଭିତରକୁ ଠେଲିଦେଇଛି।

ଜିଲ୍ଲାରେ ଏବେ ୧୩୯ଟି ବିଦ୍ୟାଳୟ ମିଶ୍ରଣ ହେବା ପରେ ପ୍ରାୟ  ଏକ  ହଜାରରୁ  ଊର୍ଦ୍ଧ୍ବ ପିଲା ପାଠପଢା ଛାଡି ଦେଇଛନ୍ତି। ରାଜ୍ୟ ସରକାର ୨୦୧୯-୨୦ ଶିକ୍ଷା ବର୍ଷରେ ଗାଇଡ୍ ଲାଇନ ପ୍ରଚଳନ କଲେ ଯେଉଁ ବିଦ୍ୟାଳୟରେ ୨୦ରୁ କମ ଛାତ୍ରଛାତ୍ରୀ ପାଠ ପଢୁଥିବେ ସେହି ସବୁ ସ୍କୁଲ ବନ୍ଦ ହେବ। ପରେ ଏହି ସଂଖ୍ୟାକୁ ୨୫କୁ ପରିବର୍ତ୍ତନ କରାଗଲା।  ବନ୍ଦ ହେବାକୁ ଥିବା ସ୍କୁଲଗୁଡିକୁ ପାଖ  ସ୍କୁଲରେ ମିଶ୍ରଣ କରିବା ସହ  ବନ୍ଦ  ସ୍କୁଲର ପିଲାଙ୍କୁ ପାଖ ସ୍କୁଲରେ ପାଠ ପଢାଇବା ପାଇଁ ପରାମର୍ଶ ଦିଆଗଲା। ଏହି ନିୟମ ପରେ ଜିଲ୍ଲାରେ ମୋଟ ୨୦୭ଟି ସ୍କୁଲ ବନ୍ଦ ପାଇଁ ଚିହ୍ନଟ  କରାଗଲା। ଏହା ବିରୋଧରେ ଅନେକ ଗାଁ କମିଟି,  ଅଭିଭାବକ କୋର୍ଟ କଚେରୀ ଗଲେ।  ସ୍କୁଲ ବନ୍ଦ ନ କରିବାକୁ ପ୍ରତିବାଦ କଲେ। ଜିଲ୍ଲାବାସୀଙ୍କର ପ୍ରବଳ ପ୍ରତିବାଦ ପରେ  ତତ୍କାଳୀନ ଜିଲ୍ଲାପାଳ ଏହାର ପୁନର୍ବିଚାର କରିବାକୁ  ନିର୍ଦ୍ଦେଶ ଦେବା ପରେ ଆଉ ଥରେ ସର୍ଭେ କରାଗଲା। ଏହାରି ଭିତରେ  ଜିଲ୍ଲାରେ ମୋଟ ୨୦୭ଟି ପ୍ରାଥମିକ ବିଦ୍ୟାଳୟକୁ ମିଶ୍ରଣ କରିବା ପାଇଁ  ଚିହ୍ନଟ କରାଗଲା। ଏଥିରୁ ଜିଲ୍ଲାରେ ମୋଟ ୧୩୯ଟି  ସ୍କୁଲକୁ ମିଶ୍ରଣ କରାଯାଇଛି। ଆହୁରି ୬୮ଟି ବିଦ୍ୟାଳୟ ମିଶ୍ରଣ କରାଯିବା ନିଷ୍ପତ୍ତି ବାକି ରହିଛି।  ଏହି ସବୁ ସ୍କୁଲର ଛାତ୍ରଛାତ୍ରୀ କୁଆଡେ ଯାଇ ପାଠ ପଢିବେ । କେଉଁଠି ନାମ ଲେଖାଇବେ। ତାହାକୁ ନେଇ ଦ୍ବନ୍ଦ୍ବରେ ପଡିଛନ୍ତି।

ଏହା ଭିତରେ ଅନେକ ପିଲା ପଢ଼ା ଛାଡି ଦେଇଛନ୍ତି।  ଜିଲ୍ଳାର ବନ୍ତ ବ୍ଲକରେ  ୩୩ଟି  ସ୍କୁଲକୁ ମିଶ୍ରଣ କରିବାକୁ ନିର୍ଦ୍ଦେଶ ରହିଥିବା ବେଳେ ଏବେ ସୁଦ୍ଧା ୩୧ଟି ବିଦ୍ୟାଳୟ ମିଶ୍ରଣ ହୋଇଛି। ଏହି ବ୍ଲକରେ ଆଉ ଦୁଇଟି ବିଦ୍ୟାଳୟ  ମିଶ୍ରଣ ଅପେକ୍ଷାରେ ରହିଛି।  ତିହିଡି ବ୍ଲକରେ ୨୯ ସ୍କୁଲ ମଧ୍ୟରୁ  ୯ଟି ମିଶ୍ରଣ ହୋଇଥିବା ବେଳେ ଆହୁରି ୨୦ଟି ସ୍କୁଲ ମିଶ୍ରଣ ଅପେକ୍ଷାରେ ରହିଛି।  ଚାନ୍ଦବାଲି ବ୍ଲକରେ ୩୧ ସ୍କୁଲ ମିଶ୍ରଣ ହେବାକୁ ଥିବାବେଳେ ୨୬ଟି ସ୍କୁଲ ମିଶ୍ରଣ ହୋଇଥିବା ବେଳେ  ଆହୁରି ୫ଟି  ସ୍କୁଲ ମିଶ୍ରଣ ହେବାକୁ ରହିଛି।  ଭଦ୍ରକ  ବ୍ଲକରେ  ୩୩ଟି  ସ୍କୁଲ ମିଶ୍ରଣ ହେବାକୁ ଥିବା ବେଳେ  ୧୩ଟି ସ୍କୁଲ ମିଶ୍ରଣ ‌ ହୋଇଛି।  ଆହୁରି  ୨୦ଟି  ସ୍କୁଲ ମିଶ୍ରଣ ହେବାକୁ ରହିଛି।  ସେହିପରି ବାସୁଦେବପୁର ବ୍ଲକରେ  ୨୮ ଟି  ସ୍କୁଲ ମିଶ୍ରଣ ହେବାକୁ ଥିବା ବେଳେ ୨୪ ଟି ମିଶ୍ରଣ ହୋଇଛି। ଆହୁରି ୪ଟି ସ୍କୁଲ ମିଶ୍ରଣ  ହେବାକୁ ବାକି ରହିଛି। ଭଣ୍ଡାରିପୋଖରୀ ବ୍ଲକରେ ୩୨ଟି ସ୍କୁଲରୁ ୨୦ଟି ମିଶ୍ରଣ ହୋଇଥିବା ବେଳେ ଆହୁରି ୧୨ଟି ମିଶ୍ରଣ ଅପେକ୍ଷାରେ ରହିଛି।  ଧାମନଗର ବ୍ଲକର  ୨୩ଟି ସ୍କୁଲ ମଧ୍ୟରୁ ୨୨ଟି ସ୍କୁଲ ମିଶ୍ରଣ ହୋଇଥିବା ବେଳେ ଆହୁରି ଗୋଟିଏ ସ୍କୁଲ ମିଶ୍ରଣ ହେବ। ଏଭଳି ସ୍କୁଲ ମିଶ୍ରଣ ନିଷ୍ପତ୍ତିକୁ ଜିଲ୍ଲାର ଶିକ୍ଷାବିତ୍‌, ଅଭିଭାବକ, ବୁଦ୍ଧିଜୀବୀ ନାପସନ୍ଦ କରିଛନ୍ତି।

ସମ୍ବନ୍ଧିତ ଖବର