୩ ମାସ ହେଲା ସ୍କୁଲ ମଧ୍ୟାହ୍ନ ଭୋଜନ ବାକିରେ ଚାଲିଛି, ପିଏନ୍‌ବିରେ ଆକାଉଣ୍ଟ୍‌ ନଖୋଲିଲେ ଅନୁଦାନ ବନ୍ଦ

ଉଧାରି ଦେବାକୁ ଦୋକାନୀ କୁନ୍ଥ କୁନ୍ଥ, ପିଲା ଭୋକରେ ଫେରିବେ

ବ୍ରହ୍ମପୁର/ବେଗୁନିଆପଡ଼ା : ସ୍କୁଲ ମଧ୍ୟାହ୍ନ ଭୋଜନ ବ୍ୟାଙ୍କ ଖାତା ପଞ୍ଜାବ ନ୍ୟାସ୍‌ନାଲ୍‌ ବ୍ୟାଙ୍କ(ପିଏନ୍‌ବି)ରେ ଖୋଲିବାକୁ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଥିଲେ। ଗଞ୍ଜାମ ଜିଲ୍ଲାର ଅଧିକାଂଶ ବ୍ଲକ୍‌ର ଅନେକ ଦୂରଦୂରାନ୍ତ ଓ ଦୁର୍ଗମ ଇଲାକା ଗୁଡ଼ିକରେ ଥିବା ପଞ୍ଚାୟତ ଓ ଗାଁ ନିକଟରେ ପିଏନ୍‌ବି ଶାଖା ନାହିଁ। ଏଣୁ ହଜାର ହଜାର ସ୍କୁଲ କର୍ତ୍ତୃପକ୍ଷ ମଧ୍ୟାହ୍ନ ଭୋଜନ ବ୍ୟାଙ୍କ ଖାତା ଖୋଲିପାରି ନାହାନ୍ତି। ଫଳରେ ସେମାନଙ୍କୁ ଗଲା ଏପ୍ରିଲରୁ ମଧ୍ବାହ୍ନ ଭୋଜନ ବାବଦ ଅନୁଦାନ ମିଳୁ ନାହିଁ। ପିଏନ୍‌ବିରେ ଆକାଉଣ୍ଟ୍‌ ଖୋଲିବା ପରେ ହିଁ ଅନୁଦାନ ଖାତାରେ ପଡ଼ିବ। ଆକାଉଣ୍ଟ୍‌ ଖୋଲିପାରି ନଥିବା ସ୍କୁଲ କର୍ତ୍ତୃପକ୍ଷ ସ୍ଥାନୀୟ ଦେକାନୀଙ୍କ ଠାରୁ ମଧ୍ୟାହ୍ନ ଭୋଜନ ରାସନ ସାମଗ୍ରୀ ତିନି ମାସ ହେଲା ଉଧାରରେ ଆଣି ପିଲାଙ୍କୁ ଖାଇବାକୁ ଦେଉଛନ୍ତି।

ବାକିଆ ନ ଶୁଝିଲେ ଏବେ ଆଉ ଦୋକାନୀ ମଧ୍ୟ ଉଧାର ଦେବାକୁ ରାଜି ନୁହଁନ୍ତି। ଫଳରେ ଜୁଲାଇରୁ ଅଧିକାଂଶ ବିଦ୍ୟାଳୟରେ ପିଲାଙ୍କ ମଧ୍ୟାହ୍ନ ଭୋଜନ ବନ୍ଦ ହୋଇଯିବା ଆଶଙ୍କା ଦେଖାଦେଇଛି। ପିଲାଏ ବିଦ୍ୟାଳୟରୁ ଭୋକରେ ଫେରିବା ପରିସ୍ଥିତି ଉପୁଜିଛି। ଏ ସମ୍ପର୍କରେ ଜିଲ୍ଲା ଶିକ୍ଷାଧିକାରୀ ବିନିତା ସେନାପତି କହିଛନ୍ତି, ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ମଧ୍ୟାହ୍ନ ଭୋଜନ ଆକାଉଣ୍ଟ୍‌ ପଞ୍ଜାବ ନ୍ୟାସ୍‌ନାଲ୍‌ ବ୍ୟାଙ୍କରେ ଖୋଲିବାକୁ କୁହାଯାଇଛି। ଯେଉଁ ସ୍କୁଲ୍‌ ଖୋଲି ନାହାନ୍ତି ସେମାନେ ଖାତା ଖୋଲିବେ। ‌ଖାତା ଖୋଲିବା ପରେ ହିଁ ଆକାଉଣ୍ଟ୍‌ରେ ଟଙ୍କା ଜମା କରାଯିବ ବୋଲି ସ୍ପଷ୍ଟ କରିଛନ୍ତି।

ଗୋଟିଏ ପଟେ ରନ୍ଧନ ଗ୍ୟାସ୍ ସିଲିଣ୍ଡର୍ ଓ ଅଣ୍ଡା ଏବଂ ପରିବା ଦରବୃଦ୍ଧି ଓ ଅନ୍ୟପଟେ ବ୍ୟାଙ୍କ୍ ଆକାଉଣ୍ଟ୍ ଖାଲି ପଡ଼ିଥିବାରୁ ୩ ମାସ ହେଲା ସ୍କୁଲ୍ ଗୁଡ଼ିକରେ ମଧ୍ୟାହ୍ନ ଭ‌ୋଜନ କାର୍ଯ୍ୟକ୍ରମ ବାକିରେ ଚାଲିଛି। ଏଭଳି ପରିସ୍ଥିତିରେ ଆଗକୁ ବାକି ଦେବା ଲାଗି ଦୋକାନୀମାନେ ଅରାଜି ହେଉଥିବାରୁ ଶିକ୍ଷକଶିକ୍ଷୟିତ୍ରୀ, ପରିଚାଳନା କମିଟି ସଦସ୍ୟ ଓ ଏସ୍‌ଏଚ୍‌ଜି ଗ୍ରୁପ୍ ମାନେ ଚିନ୍ତାରେ ପଡ଼ିଛନ୍ତି। ଗ୍ୟାସ୍ ସିଲିଣ୍ଡର୍ ବି ବାକିରେ ଦେବାକୁ ଡିଲର୍‌ ଅରାଜି। ଫଳରେ ପିଲାଙ୍କ ପାଇଁ ମଧ୍ୟାହ୍ନ ଭୋଜନ କିପରି ଓ କେଉଁ ମାଧ୍ୟମରେ ପ୍ରତିଦିନ ଯୋଗାଡ଼ ହେବ ଏହି ଚିନ୍ତା ଘାରିଛି। ସମସ୍ତେ ବୁଦ୍ଧିବଣା। ଗଞ୍ଜାମ ଜିଲ୍ଲାର ଅର୍ଦ୍ଧାଧିକ ବିଦ୍ୟାଳୟରେ ଏହି ସ୍ଥିତି ଉପୁଜିଥିବାର ସଂଗିନ୍ ଚିତ୍ର ସାମ୍ନାକୁ ଆସିଛି।

ଏପ୍ରିଲ୍‌ରୁ ଜୁନ୍ ମାସ ସରିବାକୁ ବସିଲାଣି। ତଥାପି ବିଦ୍ୟାଳୟର ଏମ୍‌ଡିଏମ୍ ଆକାଉଣ୍ଟ୍‌କୁ ଟଙ୍କାଟିଏ ବି ଅନୁଦାନ ଆସୁନି। ହାତଉଧାରିରେ ପିଲାଙ୍କ ପାଇଁ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ ହେଉଛି। ପ୍ରାଥମିକ ସ୍କୁଲ୍ ବିଦ୍ୟାଳୟ ପିଲାଙ୍କ ପାଇଁ ମୁଣ୍ଡି ପିଛା ୫ଟଙ୍କା ୪୨ ପଇସା ଥିବା ବେଳେ ଉଚ୍ଚପ୍ରାଥମିକ ସ୍କୁଲ୍‌ ପିଲାଙ୍କ ପାଇଁ ମୁଣ୍ଡ ପିଛା ୮ ଟଙ୍କା ୧୦ ପଇସା ଧାର୍ଯ୍ୟ ହୋଇଛି। କିନ୍ତୁ ଗୋଟିଏ ପଟେ ଅନୁଦାନ ଆସୁ ନଥିବା ବେ‌ଳେ ଅନ୍ୟପଟେ ଦରବୃଦ୍ଧି ଚିନ୍ତାକୁ ଦ୍ବିଗୁଣିତ କରିଛି। ବର୍ତ୍ତମାନ  ଅଣ୍ଡା ଦର ୬ ଟଙ୍କା ପହଞ୍ଚିଲାଣି। ସେହିପରି ଗ୍ୟାସ୍ ସିଲିଣ୍ଡର୍ ଓ ପରିବା ଦର ସମେତ ତେଲ ଓ ଡାଲି ଦର ବଢ଼ିଥିବା ଯୋଗୁଁ ରୋଷେଇ କରିବାକୁ ବିଦ୍ୟାଳୟ କର୍ତ୍ତୃପକ୍ଷ, ଏସ୍‌ଏଚ୍‌ଜି ଡରୁଛନ୍ତି। ଆକାଉଣ୍ଟ୍‌କୁ ଅନୁଦାନ ଆସୁ ନଥିବାରୁ ଶିକ୍ଷକଶିକ୍ଷୟିତ୍ରୀ କିମ୍ବା ଏସ୍‌ଏଚ୍‌ଜି ମାନେ ନିଜ ହାତରୁ ଟଙ୍କା ଖର୍ଚ୍ଚ କରିବା ସହ ବାକି ଆଣି ଯାହା ଯେତିକି ପାରିଲେ ତିନି ମାସ କାମ ଚଳାଇ ନେଲେ। କିନ୍ତୁ ୩ ମାସ ହେଲା ଆକାଉଣ୍ଟ୍‌କୁ ସରକାରୀ ଅନୁଦାନ ଆସୁ ନଥିବାରୁ ଭାଳେଣି ପଡ଼ିଛି।

ବେଗୁନିଆପଡ଼ା ବ୍ଲକ୍‌ର ଅନେକ ବିଦ୍ୟାଳୟର ଆକାଉଣ୍ଟ୍ ପିଏନ୍‌ବି ଶାଖା ପାଖରେ ନଥିବାରୁ ଏଯାବତ୍ ଖୋଲା ଯାଇ ନ ଥିବା ଜଣାପଡ଼ିଛି। ସେପଟେ ଯେଉଁ ବିଦ୍ୟାଳୟରେ ଅଧିକ ପିଲା ପଢ଼ୁଛନ୍ତି, ସେଠାରେ ରୋଷେଇ କରିବା ପାଇଁ ପାଖରେ ଅଧିକ ଅର୍ଥ ନଥିବାରୁ ଶିକ୍ଷକ ଚିନ୍ତାରେ ରହିଛନ୍ତି। ଏଣୁ ସରକାର ତୁରନ୍ତ ଏହାର ସମାଧାନ କରିବା ସହ ପିଲାଙ୍କ ମୁଣ୍ଡପିଛା ଧାର୍ଯ୍ୟ ଦରକୁ ବଢ଼ାଇବା ଲାଗି ଦାବି ହୋଇଛି। ନଚେତ୍ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ପ୍ରଭାବିତ ହେବାର ଆଶଙ୍କା ଦେଖାଦେଇଛି।

ସମ୍ବନ୍ଧିତ ଖବର