ନୂଆପଡ଼ା : ନୂଆପଡ଼ା ଜିଲ୍ଲା ସଦର ବ୍ଲକ୍ ଧରମବନ୍ଧା ଥାନା ଅର୍ନ୍ତଗତ କୁକୁରୀମୁଣ୍ତିରେ ସେବାଶ୍ରମ ସ୍କୁଲର ଜଣେ ଛାତ୍ରୀ ଓ ଜଣେ ନାବାଳକ ଏକତ୍ର ଆତ୍ମହତ୍ୟା କରିଛନ୍ତି। ଉଭୟଙ୍କ ଝୁଲନ୍ତା ଶବ ଉଦ୍ଧାର ହୋଇଛି। ଏହି ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିବାବେଳେ ନୂଆପଡ଼ା ଜିଲ୍ଲାପାଳ ମଧୁସ୍ମିତା ସାହୁ କୁରୁରୀମୁଣ୍ତି ସେବାଶ୍ରମର ପ୍ରଧାନ ଶିକ୍ଷୟିତ୍ରୀ ଶକୁନ୍ତଳା ତ୍ରିପାଠୀ, ହଷ୍ଟେଲ ଅଧୀକ୍ଷକ ତଥା ସହକାରୀ ଶିକ୍ଷକ ଅସମତ ମାଝୀଙ୍କୁ ନିଲମ୍ବନ କରିଛନ୍ତି। ମେଟ୍ରନ୍ ସତ୍ୟବତୀ ଉଜିରଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି।
ପୁଲିସ ସୂତ୍ରରୁ ପ୍ରକାଶ ଯେ, କୁକୁରୀମୁଣ୍ତି ସେବାଶ୍ରମ ଛାତ୍ରୀନିବାସରେ ରହି ଭଇଁଷାଦରା ଗ୍ରାମର ଚୁନେଶ୍ବରୀ ହରିଜନ (୧୩ବର୍ଷ) ଅଷ୍ଟମ ଶ୍ରେଣୀରେ ପାଠ ପଢ଼ୁଥିଲେ। ଇତିମଧ୍ୟରେ କୁକୁରୀମୁଣ୍ତି ଗ୍ରାମର ଜୀବନଲାଲ ମାଝୀ ନାମକ ଜଣେ ନାବାଳକଙ୍କ ସହ ତାଙ୍କ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଶନିବାର ରାତିରେ ଛାତ୍ରୀନିବାସର ସ୍କାଇଲାଇଟ୍ ଭାଙ୍ଗି ଚୁନେଶ୍ବରୀ ଜୀବନଲାଲଙ୍କ ସହ ଯାଇଥିବା କୁହାଯାଉଛି। ରବିବାର ସକାଳେ ସେବାଶ୍ରମଠାରୁ ୧ କିମି ଦୂର କୁକୁରୀମୁଣ୍ତି–ଦ୍ବଜାଭଟା ଗ୍ରାମ ମଝିରେ ଥିବା ଏକ ଚାଷ ଜମିର ମହୁଲ ଗଛରେ ଉଭୟଙ୍କ ଶବ ଝୁଲୁଥିବା ଦେଖିବାକୁ ମିଳିଥିଲା। ଚୁନେଶ୍ବରୀଙ୍କ ଓଢ଼ଣିରେ ଫାଶୀଦେଇ ଉଭୟେ ଗଛର ଗୋଟିଏ ଡାଳରେ ଆତ୍ମହତ୍ୟା କରିଥିବା ପୁଲିସ ଜାଣିପାରିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା।
ଏଭଳି ଆତ୍ମହତ୍ୟା ଘଟଣାକୁ ନେଇ ମୃତ ଛାତ୍ରୀଙ୍କ ପରିବାର ଲୋକେ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଦାୟୀ କରିଛନ୍ତି। ଏହାକୁ ନେଇ କୁକୁରୀମୁଣ୍ତି ଓ ଭଇଁଷାଦରା ଗ୍ରାମର ଲୋକଙ୍କ ମଧ୍ୟରେ ଚାପା ଉତ୍ତେଜନା ଲାଗିରହିଛି। ପରେ ନୂଆପଡ଼ା ଅତିରିକ୍ତ ଜିଲ୍ଲାପାଳ ସୀତାରାମ ପଟେଲ, ଜିଲ୍ଲା ମଙ୍ଗଳ ଅଧିକାରୀ ସନ୍ଧ୍ୟା ମାଝୀ, ନୂଆପଡ଼ା ଏସ୍ଡିପିଓ ପ୍ରଶାନ୍ତ ପଟ୍ଟନାୟକ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କ ସହ ଆଲୋଚନା କରିଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ମୃତକ ଦ୍ବୟଙ୍କ ପରିବାର ଲୋକଙ୍କୁ ୨୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲା। ଏହାସହ କ୍ଷତିପୂରଣ ପାଇଁ ସରକାରଙ୍କୁ ଅନୁରୋଧ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। ଅପରାହ୍ଣ ୪ଟାରେ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା ବୋଲି ଥାନା ଅଧିକାରୀ ଦିଲୀପ ଲାକ୍ରା ପ୍ରକାଶ କରିଛନ୍ତି।
ସୂଚନାଯୋଗ୍ୟ ଯେ, ନୂଆପଡ଼ା ଜିଲ୍ଲାର ସେବାଶ୍ରମଗୁଡ଼ିକରେ ବିଭିନ୍ନ ସମୟରେ ଅଘଟଣମାନ ଘଟୁଛି। ଗତ ଏକ ସପ୍ତାହ ମଧ୍ୟରେ ଜଣେ ଛାତ୍ର ଓ ଜଣେ ଛାତ୍ରୀଙ୍କ ମୃତ୍ୟୃ ଘଟିଛି। ସେହିପରି ସିନାପାଲି ବ୍ଲକ୍ରେ ଜଣେ ଦଶମ ଶ୍ରେଣୀ ଛାତ୍ରୀ ୭ ମାସର ଗର୍ଭବତୀ ହୋଇଛନ୍ତି। ବଡ଼ ଅଧିକାରୀଙ୍କ ଦୋଷ ଲୁଚାଇ ଛୋଟ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ଆଦିବାସୀ ସଂଘ ସଭାପତି ଭାନୁ ପ୍ରତାପ ସିଂ ମାଝୀ, ଘାସିରାମ ମାଝୀ ଅଭିଯୋଗ କରିଛନ୍ତି।