ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍ ଋତୁଙ୍ଗିଆ ସେଣ୍ଟ ଜାଭିୟର୍ ଘରୋଇ ବିଦ୍ୟାଳୟ ପରିସରରେ ବିସ୍ଫୋରଣରେ ତିନି ଛାତ୍ର ଆହତ ଘଟଣାରେ ପୁଲିସର ତଦନ୍ତ ଆରମ୍ଭ କରିଛି। ତଦନ୍ତ ବେଳେ ପୁଲିସ ବିଦ୍ୟାଳୟ ନିକଟରୁ ୪ ଡିଟୋନେଟର୍ ଜବତ କରିଥିବା ଜଣାପଡ଼ିଛି। ଏହି ଡିଟୋନେଟର୍ ଫୁଟିଯିବାରୁ ଏଭଳି ଦୁର୍ଘଟଣା ଘଟିଥିବା ବେଳେ ବାରୁଦ ଗଦା ନିକଟରେ ବିଦ୍ୟାଳୟ ଚାଲିଥିବା କୁହାଯାଇଛି।
ସୂଚନା ଅନୁସାରେ, କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଋତୁଙ୍ଗିଆ ପଞ୍ଚାୟତ କରୁମୁଣ୍ତା ସେଣ୍ଟ୍ ଜାଭିୟର୍ସ ସ୍କୁଲ୍ରେ ଗତକାଲି ଜଣେ ଛାତ୍ରଙ୍କ ପକେଟ୍ରେ ଥିବା ବୋମା ହଠାତ୍ ଫୁଟିଯିବାରୁ ତିନିଜଣ ଗୁରୁତର ଆହତ ହୋଇଥିଲେ। ବିଦ୍ୟାଳୟ ନିକଟକୁ କିଭଳି ବୋମା ଆସିଲା, ସେନେଇ ପୁଲିସ ତନାଘନା ଆରମ୍ଭ କରିଛି। ଆହତ ଛାତ୍ର ଯଶଙ୍କୁ ପୁଲିସ ପଚରାଉଚରା କରିଥିବା ବେଳେ ସେମାନେ ଗଦ୍ରିଙ୍ଗିଆରୁ ଏହି ଡିଟୋନେଟର୍ ଆଣିଥିଲେ ବୋଲି କହିଛନ୍ତି। ପରେ ପୁଲିସ ଗଦ୍ରିଙ୍ଗିଆ ଯାଇ ଖୋଜାଖୋଜି କରିବା ବେଳେ ସେଠାରୁ ତିନୋଟି ଡିଟୋନେଟର ପାଇଥିଲେ। ଏହାସହ କିଛି ବ୍ୟବହୃତ ହୋଇ ସାରିଥିବା ଡିଟୋନେଟର୍ ମଧ୍ୟ ମିଳିଥିଲା। ଏହାପରେ ଘଟଣା ଘଟିଥିବା ସେଣ୍ଟ୍ ଜାଭିୟର୍ ବିଦ୍ୟାଳୟକୁ ଯାଇ ତଦନ୍ତ କରିବା ସମୟରେ ସେଠାରୁ ଆଉ ଏକ ଡିଟୋନେଟର୍ ମିଳିଥିଲା। ପୁଲିସ ମୋଟ ଚାରୋଟି ଡିଟୋନେଟର୍ ଜବତ କରିଥିବା ବେଳେ ବାରୁଦ ଗଦା ନିକଟରେ କିଭଳି ସ୍କୁଲ୍ ଚାଲିଥିଲା, ତାହା ଏବେ ସମସ୍ତଙ୍କୁ ଚକିତ କରିଛି।
ଅନ୍ୟପକ୍ଷରେ ପୂର୍ବରୁ ବିଦ୍ୟାଳୟ ନିକଟରେ ଆର୍କେଡ଼ି ନାମକ ଏକ ଘରୋଇ ନିର୍ମାଣ ଠିକାସଂସ୍ଥାର କ୍ୟାମ୍ପ୍ ରହିଥିଲା। ପଥର ଫୁଟାଇବା ପାଇଁ ଏଠାରେ ଡିଟୋନେଟର୍ ରଖାଯାଇଥିଲା। ଏବେ ସଂପୃକ୍ତ ସଂସ୍ଥା ଏଠାରୁ କ୍ୟାମ୍ପ୍ ଉଠାଇ ନେଇଥିବା ବେଳେ ଏସବୁ ଛାଡ଼ି ପଳାଇଥିବା କୁହାଯାଉଛି।
ଏ ନେଇ ଆର୍କେଡିର ସଂସ୍ଥାର କର୍ମଚାରୀ ଉତ୍ତମ ପଟ୍ଟନାୟକଙ୍କୁ ପଚାରିବା ପରେ ଗଦ୍ରିଙ୍ଗିଆ କ୍ୟାମ୍ପ୍ଟି ଦୁଇବର୍ଷ ହେବ ବନ୍ଦ ହୋଇଗଲାଣି। କ୍ୟାମ୍ପ୍ ସ୍ଥାନାନ୍ତର ବେଳେ ବୋଧେ ବଳକା କିଛି ଡିଟୋନେଟର୍ ରହିଯାଇଥିଲା ବୋଲି କହିଛନ୍ତି। ଏନେଇ କେସ ନଂ ୧୯/୨୩ରେ ମାମଲା ରୁଜୁ କରି ଏବେ ପୁଲିସ ତଦନ୍ତ ଚଳାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/baliguda-dd.jpg)