ଭୁବନେଶ୍ବର : ସରିଲା ଖରା ଛୁଟି। ଦୁଇ ମାସ ଧରି କ୍ଲାସରୁମ୍ ପାଠପଢ଼ା ବନ୍ଦ ରହିବା ପରେ ଗତକାଲିଠାରୁ ରାଜ୍ୟର ୨୩ଟି ଜିଲ୍ଲାର ସମସ୍ତ ବିଦ୍ୟାଳୟ ଖୋଲିଛି। ପ୍ରାୟ ୪୦ ହଜାର ସରକାରୀ ବିଦ୍ୟାଳୟ ଓ ୫ ହଜାର ଘରୋଇ ବିଦ୍ୟାଳୟ ଖୋଲିଥିଲେ ମଧ୍ୟ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ଆଶାନୁରୂପ ହୋଇପାରିନାହିଁ। ପ୍ରଥମ ଦିନରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ୫୦% ଛୁଇଁ ନ ଥିବା ଜଣାପଡ଼ିଛି। ସାରା ରାଜ୍ୟରେ ବୁଧବାର ଦିନ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାରୁ କୌଣସି ଗୋଟିଏ ବି ବିଦ୍ୟାଳୟରେ ଶତ ପ୍ରତିଶତ ଉପସ୍ଥାନ ହୋଇପାରି ନାହିଁ। ଉପକୂଳ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ପ୍ରବଳ ଗୁଳୁଗୁଳି ଲାଗିରହିଥିବାରୁ ପିଲାମାନେ ବିଦ୍ୟାଳୟକୁ ଆସିବାକୁ ଆଗ୍ରହ ଦେଖାଇ ନାହାନ୍ତି। ଅଭ୍ୟନ୍ତରୀଣ ଓଡ଼ିଶାରେ ୪୦ ଡିଗ୍ରି ତାପମାତ୍ରାରେ ଅଭିଭାବକ ପିଲାଙ୍କୁ ବିଦ୍ୟାଳୟକୁ ପଠାଇ ନଥିବା ଗଣଶିକ୍ଷା ବିଭାଗର ଜଣେ ଅଧିକାରୀ କହିଛନ୍ତି।
ଗୋଟିଏ ପଟେ ପିଲାଙ୍କ ଉପସ୍ଥାନ ନୈରାଶ୍ୟଜନକ ହୋଇଛି। ଆଉ ଅନ୍ୟପଟେ ପ୍ରଥମ ଦିନ ହୋଇଥିବାରୁ ରାଜ୍ୟର ବହୁ ବିଦ୍ୟାଳୟରେ ଅବ୍ୟବସ୍ଥା ଦେଖିବାକୁ ମିଳିଛି। କେଉଁଠି ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଅନୁପସ୍ଥିତି ପାଇଁ ବିଦ୍ୟାଳୟ ଗେଟ୍ରେ ତାଲା ପକାଇଛନ୍ତି ଅଭିଭାବକ, ତ ଆଉ କେଉଁଠି ଛାତ୍ରୀଛାତ୍ରୀ ନ ଆସିବାରୁ ସ୍କୁଲ କ୍ୟାମ୍ପସରେ ଖାଁ ଖାଁ ପରିବେଶ ଲାଗିରହିଥିଲା। ମଧ୍ୟାହ୍ନଭୋଜନ ସରିବା ପରେ କ୍ୟାମ୍ପସରେ ପିଲାଙ୍କୁ ଦେଖିବାକୁ ମିଳି ନ ଥିଲା। କେତେକ ବିଦ୍ୟାଳୟରେ ଅଂଶୁଘାତ ପରିସ୍ଥିତି ସୃଷ୍ଟି ହୋଇଥିବା ନେଇ ଖବର ସାମ୍ନାକୁ ଆସିଛି। ପ୍ରବଳ ଗରମ ପାଇଁ କୁଣ୍ଡାପିଠା ବିଦ୍ୟାଳୟର ଜଣେ ଛାତ୍ରୀ ଅଚେତ ହୋଇପଡ଼ିବାରୁ ତାଙ୍କୁ ଦେବଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଅଭିଯୋଗ ହୋଇଛି। ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ ୩ଜଣ ଶିକ୍ଷକଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡ଼ିବାରୁ ନିକଟସ୍ଥ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଭୁବନେଶ୍ବରରେ ଦୁଇଟି ଘରୋଇ ବିଦ୍ୟାଳୟର ୩ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଥିବା ସୂଚନା ମିଳିଛି।
ଦୁଇ ମାସ ପରେ ସ୍କୁଲ ଖୋଲିଥିଲେ ମଧ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପୂର୍ବ ପ୍ରସ୍ତୁତି ସେତେଟା ଉତ୍ସାହଜନକ ହୋଇପାରି ନାହିଁ। ଅନେକ ସରକାରୀ ବିଦ୍ୟାଳୟ କ୍ୟାମ୍ପସରେ ଅଳିଆ ଅବର୍ଜନା ପଡ଼ି ରହିଥିବାର ଦେଖିବାକୁ ମିଳିଛି। କ୍ଲାସରୁମ୍ଗୁଡ଼ିକରେ ଧୂଳିର ଆସ୍ତରଣ ପଡ଼ିଥିବାରୁ ପିଲାମାନଙ୍କୁ ନାକେଦମ ହେବାକୁ ପଡ଼ିଛି। ପାଠପଢ଼ିବା ପରିବର୍ତ୍ତେ ପ୍ରଥମ ଦିନରେ ଅଳିଆ ଉଠାଇବାରେ ସେମାନଙ୍କ ସମୟ ବିତିଛି। କାଁ ଭାଁ ସ୍କୁଲରେ ପ୍ରଥମ ଦିନ ପାଠପଢ଼ା ସ୍ୱାଭାବିକ ଭାବେ ହୋଇଛି।
ସେପଟେ ଅନୁଗୁଳ ଜିଲ୍ଲାରେ ଆଜି ସ୍କୁଲ ଖୋଲିଥିଲେ ମଧ୍ୟ ସକାଳ ୬ଟା ୩୦ରୁ ୧୦ଟା ୩୦ ପର୍ଯ୍ୟନ୍ତ ପାଠପଢ଼ା ହୋଇଥିଲା। ବଲାଙ୍ଗୀର, ସମ୍ବଲପୁର ଓ ଝାରସୁଗୁଡ଼ା ଜିଲ୍ଲାରେ ଗୁରୁବାର ସ୍କୁଲ ଖୋଲିବ। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ ବଲାଙ୍ଗୀର ଜିଲ୍ଲାରେ ସକାଳ ୬ଟା ୩୦ରୁ ୧୦ଟା ୩୦, ଝାରସୁଗୁଡ଼ା ଓ ସମ୍ବଲପୁରରେ ସକାଳ ୬ଟା ୩୦ରୁ ପୂର୍ବାହ୍ଣ ୧୦ଟା ଯାଏ ପାଠପଢ଼ା ହେବ। ସୁନ୍ଦରଗଡ଼, ନୂଆପଡ଼ା, ସୁବର୍ଣ୍ଣପୁର ଓ ବରଗଡ଼ ଜିଲ୍ଲାରେ ୨୩ ତାରିଖରେ ସ୍କୁଲ ଖୋଲିବାକୁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି। ୨୬ ତାରିଖଠାରୁ ସ୍ବାଭାବିକ ଭାବେ ସକାଳ ୧୦ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ କ୍ଲାସ କରାଯିବ।