ଭୁବନେଶ୍ବର : ସାଢ଼େ ୩ ମାସ ବ୍ୟବଧାନ ପରେ ଖୋଲିଲା ସ୍କୁଲ। ରାଜ୍ୟର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ବେସରକାରୀ ସ୍କୁଲଗୁଡ଼ିକ ଖୋଲିବା ସହ କ୍ଲାସରୁମ୍‌ ପାଠପଢ଼ା ଆରମ୍ଭ ହୋଇଛି। ପ୍ରାଥମିକ ଭାବେ ଦଶମ ଓ ଯୁକ୍ତ୨ ଶେଷବର୍ଷ ତଥା‌ ଦ୍ବାଦଶ ଶ୍ରେଣୀ ପିଲାଙ୍କୁ କ୍ଲାସ୍‌ରୁମ୍‌ ଶିକ୍ଷା ଦିଆଯାଇଛି। ପ୍ରଥମ ଦିନ ହୋଇଥିବାରୁ ଅଧିକାଂଶ ସ୍କୁଲରେ ଉପସ୍ଥାନ ବହୁତ କମ୍‌ ଥିଲା। ହାତଗଣତି ଛାତ୍ରଛାତ୍ରୀ ସ୍କୁଲକୁ ଆସିଥିଲେ। ତେବେ ସରକାରୀ ବିଦ୍ୟାଳୟ ତୁଳନାରେ ଘରୋଇ ସ୍କୁଲରେ ଉପସ୍ଥାନ ଟିକିଏ ଅଧିକ ଥିବା ପରିଲକ୍ଷିତ ହୋଇଥିଲା।

Advertisment

publive-image

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅଧିକାରୀମାନେ ରାଜ୍ୟର ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କରି ସ୍ଥିତି ପରଖିଛନ୍ତି। କରୋନା କଟକଣା ମଧ୍ୟରେ ସ୍କୁଲ ଖୋଲିଥିବାରୁ ପ୍ରଧାନଶିକ୍ଷକଙ୍କଠାରୁ ପ୍ରସ୍ତୁତି ସମ୍ପର୍କରେ ପଚାରି ବୁଝିବା ସହ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି। ନୋଡାଲ ଅଫିସରମାନେ ମଧ୍ୟ ନିଜ ନିଜ ଜିଲ୍ଲାର ପ୍ରମୁଖ ବିଦ୍ୟାଳୟ ବୁଲିଛନ୍ତି। ଯେଉଁ ବିଦ୍ୟାଳୟରେ ଅଧିକ ପିଲା ପଢ଼ୁଛନ୍ତି ସେଠାରେ ସାମାଜିକ ଦୂରତା କଡ଼ାକଡ଼ି ଭାବେ ପାଳନ କରିବାକୁ କୁହାଯାଇଛି। ଉପାନ୍ତ ଅଞ୍ଚଳରେ କଟକଣା ଠିକ୍‌ ଭାବେ ପାଳନ ହେଉଛି କି ନାହିଁ ତାହା ଦେଖିଛନ୍ତି। ପ୍ରଥମ ଦିନରେ ରାଜ୍ୟରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ୬୦ ପ୍ରତିଶତରୁ ଅଧିକ ରହିଛି। ସହରାଞ୍ଚଳ ସ୍କୁଲଗୁଡ଼ିକରେ ପଢ଼ିବା ଲାଗି ପିଲାଙ୍କ ମଧ୍ୟରେ ଅଧିକ ଆଗ୍ରହ ଦେଖିବାକୁ ମିଳିଥିବା ଗଣଶିକ୍ଷା ବିଭାଗର ଜଣେ ଅଧିକାରୀ କହିଛନ୍ତି।

ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ଯେ ପିଲାମାନେ ଆଗ୍ରହର ସହ ସ୍କୁଲ ଆସିବାକୁ ଅପେକ୍ଷା କରିଥିଲେ। ଆଜି ପ୍ରଥମ ଦିନ ହୋଇଥିବାରୁ ଉପସ୍ଥାନ ସାମାନ୍ୟ କମ୍‌ ରହିଛି। ଏସ୍‌ଓପି ଅନୁଯାୟୀ, ସ୍କୁଲ ଓ କଲେଜକୁ ଆସିବାକୁ ଛାତ୍ରଛାତ୍ରୀଙ୍କୁ ବାଧ୍ୟ କରାଯାଇନାହିଁ। ଯେଉଁମାନେ ସ୍କୁଲ ଆସିଛନ୍ତି, ସେମାନେ ସାଙ୍ଗରେ ଅଭିଭାବକଙ୍କ ସହମତିପତ୍ର ଆଣିଥିଲେ। ସ୍କୁଲ ଆସିବା ସମୟରେ ସାମାଜିକ ଦୂରତା ରକ୍ଷା, ସାନିଟାଇଜର ବ୍ୟବସ୍ଥା, ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି। ଅନ୍‌ଲାଇନରେ ଯେଉଁ ପାଠପଢ଼ା ହୋଇଥିଲା, ସେହି କୋର୍ସକୁ ପୁଣିଥରେ ଅଫ୍‌ଲାଇନରେ ପଢ଼ାଯିବ। ବିଭାଗ ପକ୍ଷରୁ ସବୁ ଜିଲ୍ଲାକୁ ନୋଡାଲ୍ ଅଫିସର ଯାଇଛନ୍ତି। ସେମାନେ ସ୍କୁଲ ଓ କଲେଜକୁ ଗସ୍ତ କରି କ’ଣ ସବୁ ଅଭାବ ଅସୁବିଧା ରହିଛି, ତାହାର ତଦାରଖ କରିଛନ୍ତି। ପିଲାଙ୍କ ସ୍ୱାସ୍ଥ୍ୟ ହେଉଛି ସବୁଠାରୁ ଗୁରୁତ୍ବପୂର୍ଣ୍ଣ। ତେଣୁ ଏସ୍‌ଓପିକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦେଶ ଦିଆଯାଇଛି।