ବିଦ୍ୟାଳୟ ଖୋଲିଲା, ବଢ଼ୁନି ଉପସ୍ଥାନ; କରୋନା ଭୟ, ନିୟମିତ ବର୍ଷା ସାଜିଛି ବାଧକ

ଚାଷ‌ କାମରେ ଲାଗିଛନ୍ତି ଛାତ୍ରଛାତ୍ରୀ, ଆସିପାରୁନାହାନ୍ତି ସ୍କୁଲ୍‌

ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ଗତ ସୋମବାରଠାରୁ ଖୋଲିଛି ୬୧୦ ମାଧ୍ୟମିକ ବିଦ୍ୟାଳୟ। ଏଥିସହିତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ, ଓଡ଼ିଆ ଓ ଇଂରାଜୀ ମିଡିୟମ୍‌ ଘରୋଇ ବିଦ୍ୟାଳୟର ମୋଟ ୩୮,୧୯୩ଜଣ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆରମ୍ଭ ହୋଇଛି। ‌ତେବେ ବିଦ୍ୟାଳୟ ଖୋଲିଛି ସତ କିନ୍ତୁ ଉପସ୍ଥାନ ବଢ଼ୁନି। ଜିଲ୍ଲାରେ ଏଯାବତ ହାରାହାରି ୪୦ ପ୍ରତିଶତ ତଳେ ରହିଛି ବିଦ୍ୟାଳୟକୁ ଆସିଥିବା ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସଂଖ୍ୟା। ଅଫ୍‌ଲାଇନ ଅପେକ୍ଷା ଅନ୍‌ଲାଇନରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ଅଧିକ ରହିଛି। କରୋନା ଭୟ ସହିତ ଜିଲ୍ଲାରେ ହେୁଥିବା ନିୟମିତ ବର୍ଷା ବିଦ୍ୟାଳୟରେ ଉପସ୍ଥାନ କମ୍‌ ରହୁଥିବାର ପ୍ରମୁଖ କାରଣ ବୋଲି ସୂଚନା ଦେଇଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୋଷ କୁମାର ନାୟକ।

ସେହିପରି ଏବେ ଜିଲ୍ଲାରେ ଚାଷ କାମ ଜୋରସୋର୍‌ରେ ଚାଲିଛି। ତେଣୁ ଆଦିବାସୀ ଅଧ୍ୟୁଷିତ ଏହି ଜିଲ୍ଲାରେ ଅଧିକାଂଶ ଛାତ୍ରଛାତ୍ରୀ ଚାଷ କାମରେ ନିୟୋଜିତ ଥିବା ଜଣାପଡ଼ିଛି। ତେଣୁ ବିଦ୍ୟାଳୟରେ ଉପସ୍ଥାନ କମ୍ ରହୁଥିବା ଜଣାପଡ଼ିଛି। ଜିଲ୍ଲାରେ ପ୍ରଥମ ଦିନରେ ଅଫ୍‌ଲାଇନରେ ଅର୍ଥାତ ୮,୩୬୮ ଜଣ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ବିଦ୍ୟାଳୟକୁ ଆସିଥିଲେ। ବିଦ୍ୟାଳୟ ଖୋଲିବାର ଚାରିଦିନ ଅତିକ୍ରାନ୍ତ ହୋଇଥିଲେ ମଧ୍ୟ ଆଜିବି ଉପସ୍ଥାନ ସେପରି ଉତ୍ସାହଜନକ ହୋଇପାରିନାହିଁ।

ଆଜି ଜିଲ୍ଲାର ମୋଟ ୬୧୦ ମାଧ୍ୟମିକ ବିଦ୍ୟାଳୟରୁ ସରକାରୀ ବିଦ୍ୟାଳୟକୁ ୮୬୧୦, ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟକୁ ୪୧୧୭, ଘରୋଇ ଓଡ଼ିଆ ମିଡିୟମ୍‌ ସ୍କୁଲ୍‌କୁ ୬୩୪ ଏବଂ ଘରୋଇ ଇଂରାଜୀ ମିଡିୟମ୍‌ ସ୍କୁଲ୍‌କୁ ୩୪୭ଜଣ ସହିତ ମୋଟ ୧୩୭୦୮ ଜଣ ଦଶମ ଛାତ୍ରଛାତ୍ରୀ ବିଦ୍ୟାଳୟ ଆସିଥିଲେ। ଅଫ୍ ଲାଇନରେ କ୍ଲାସ ସକାଳ  ୧୦ରୁ ମଧ୍ୟାହ୍ନ ୧.୩୦ମି  ପର୍ଯ୍ୟନ୍ତ ଏବଂ ଅନ ଲାଇନରେ ସକାଳ ୧୦.୪୫ରୁ ମଧ୍ୟାହ୍ନ ଦେଢ଼ଟା ପର୍ଯ୍ୟନ୍ତ ହେଉଛି। ଜିଲ୍ଲାର ପ୍ରମୁଖ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ଏମପିକେ ବାଳିକା ଉଚ୍ଚବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ରୀଙ୍କ ସଂଖ୍ୟା ହେଉଛି ୨୨୯। ବିଦ୍ୟାଳୟ ଖୋଲିବାର ପ୍ରଥମ ଦିନ ୭୪ଜଣ, ୨ୟ ଦିନ ୧୦୫, ୩ୟ ଦିନ ୯୪ ଜଣ ଛାତ୍ରୀ ବିଦ୍ୟାଳୟ ଆସିଥିଲେ।

ଆଜି କିନ୍ତୁ ବିଦ୍ୟାଳୟକୁ ମାତ୍ର ୧୧ଜଣ ଛାତ୍ରୀ ଆସିଥିଲେ। ଜିଲ୍ଲାରେ ଲାଗିରହିଥିବା ବର୍ଷା ସହିତ କରୋନା ଟିକା ନେଇନଥିବାର ଭୟ କାରଣରୁ ଅଭିଭାବକମାନେ ଛାତ୍ରୀଙ୍କୁ ବିଦ୍ୟାଳୟକୁ ଛାଡ଼ିବାକୁ ଅମଙ୍ଗ ହେଉଛନ୍ତି। ସେହିପରି ଏମପିକେ ବାଳିକା ଉଚ୍ଚବିଦ୍ୟାଳୟର ହଷ୍ଟେଲ୍‌ରେ ଅଧିକାଂଶ ଛାତ୍ରୀ ରୁହନ୍ତି। ମାତ୍ର ଗାଡ଼ି ଚଳାଚଳ ଆରମ୍ଭ ହୋଇପାରୁନଥିବାରୁ ହଷ୍ଟେଲ୍‌କୁ ଛାତ୍ରୀମାନେ ଆସିପାରିନାହାନ୍ତି। ତେଣୁ ଉପସ୍ଥାନ କମ୍‌ ରହୁଥିବା ପ୍ରଧାନଶିକ୍ଷକ ଗୌରହରି ଦତ୍ତ ସୂଚନା ଦେଇଛନ୍ତି। ସେହିପରି ଜିଲ୍ଲା ଅନ୍ୟ ଏକ ପ୍ରମୁଖ ବିଦ୍ୟାଳୟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ବାରିପଦାରେ ମଧ୍ୟ ଆଜି ଉପସ୍ଥାନ ନଗଣ୍ୟ ଥିଲା। ଆଜି ବିଦ୍ୟାଳୟର ଦଶମ ଶ୍ରେଣୀର ମୋଟ ୧୩୫ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ମାତ୍ର ୭ଜଣ ସ୍କୁଲ୍‌ ଆସିଥିଲେ। ପ୍ରଥମ ଦିନରେ ୭୫, ଦ୍ବିତୀୟ ଦିନରେ ୭୩ ଏବଂ ତୃତୀୟ ଦିନରେ ୫୫ଜଣ ସ୍କୁଲ୍‌ ଆସିଥିଲେ। ତେବେ ଛାତ୍ରଛାତ୍ରୀଙ୍କ ଟିକାଦାନ ହୋଇନଥିବାରୁ ଅଧିକାଂଶ ଅଭିଭାବକ ଭୟ ପ୍ରକାଶ କରୁଥିବା ପ୍ରଧାନ ଆଚାର୍ଯ୍ୟ ରତିକାନ୍ତ ଜେନା ପ୍ରକାଶ କରିଛନ୍ତି। ତେବେ ଜିଲ୍ଲାର ସମସ୍ତ ବିଦ୍ୟାଳୟରେ କୋଭିଡ୍‌ ଗାଇଡ୍‌ଲାଇନ କଡ଼ାକଡ଼ି ପାଳନ କରାଯାଉଥିବା ଡିଇଓ ଶ୍ରୀ ନାୟକ କହିଛନ୍ତି।

ସମ୍ବନ୍ଧିତ ଖବର