ସ୍କୁଲ ଖୋଲିବା ପାଇଁ ସଜବାଜ! ପାଠପଢ଼ାର ହିସାବ ମାଗିଲେ ସରକାର

୧୧ ତାରିଖ ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦେଶ, ମୁଖ୍ୟାଳୟ ଛାଡ଼ିପାରିବେନି ଶିକ୍ଷକ ଶିକ୍ଷୟିତ୍ରୀ

ଭୁବନେଶ୍ୱର : ମାଧ୍ୟମିକ ବିଦ୍ୟାଳୟ (ହାଇସ୍କୁଲ) ଶିକ୍ଷକ ଶିକ୍ଷୟିତ୍ରୀ କେତେ ପାଠ ପଢ଼ାଇଛନ୍ତି? ଲକ୍‌ଡାଉନ୍‌ ଓ ଅନ୍‌ଲକ୍‌ ସମୟରେ ସେମାନେ ଅନ୍‌ଲାଇନ୍‌ରେ ଛାତ୍ରଛାତ୍ରୀଙ୍କ କ୍ଲାସ ନେଇଛନ୍ତି କି ନାହିଁ? ସେପ୍ଟେମ୍ବର ମାସ ଶେଷ ସପ୍ତାହରେ କେଉଁ ଶିକ୍ଷକ ଶିକ୍ଷୟିତ୍ରୀ ମୁଖ୍ୟାଳୟରେ ନ ଥିଲେ? କେଉଁମାନେ ଅନ୍‌ଲାଇନ୍‌ରେ ଆଦୌ କ୍ଲାସ ନେଇ ନାହାନ୍ତି? ‘ଶିକ୍ଷା ସଂଯୋଗ’ କାର୍ଯ୍ୟକ୍ରମ ମାଧ୍ୟମରେ ପାଠ ପଢ଼ାଉଛନ୍ତି କି ନାହିଁ? ପ୍ରତ୍ୟେକ ଶିକ୍ଷକ ଶିକ୍ଷୟିତ୍ରୀ ଅତିକମ୍‌ରେ ୨୦ ଜଣ ପିଲାଙ୍କୁ ଫୋନ୍‌ କରି ଦୂରଦର୍ଶନ କିମ୍ବା ‘ମଧୁ’ ଆପ୍‌ର ପାଠପଢ଼ା ସମ୍ପର୍କରେ ପଚାରି ବୁଝିଛନ୍ତି କି ନାହିଁ ତାହାର ତଥ୍ୟ ମାଗିଛନ୍ତି ରାଜ୍ୟ ସରକାର।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ଆଜି ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ)ଙ୍କୁ ଚିଠି ଲେଖାଯାଇ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପାଠପଢ଼ାର ହିସାବ ମଗାଯାଇଛି। ଆସନ୍ତା ୩ ଦିନ ମଧ୍ୟରେ ଏ ସମ୍ପର୍କିତ ରିପୋର୍ଟ ନିର୍ଦେଶାଳୟ ନି‌କଟରେ ଦାଖଲ କରିବାକୁ ଡିଇଓଙ୍କୁ ନିର୍ଦେଶ ଦିଆଯାଇଛି। ଶିକ୍ଷକ ଶିକ୍ଷୟିତ୍ରୀଙ୍କଠାରୁ ତଥ୍ୟ ସଂଗ୍ରହ କରିବା ପରେ ପ୍ରଧାନଶିକ୍ଷକ/ପ୍ରଧାନଶିକ୍ଷୟିତ୍ରୀ ଛାତ୍ରଛାତ୍ରୀଙ୍କୁ ଫୋନ୍‌ କରି ତଥ୍ୟର ସତ୍ୟାସତ୍ୟ ଯାଞ୍ଚ କରିବେ। ସମସ୍ତ ବିଦ୍ୟାଳୟରୁ ତଥ୍ୟ ମିଳିବା ପରେ ତାହାକୁ ଏକାଠି କରି ଅକ୍ଟୋବର ୧୧ ସୁଦ୍ଧା [email protected][email protected]ରେ ପଠାଇବାକୁ କୁହାଯାଇଛି। ଫଳରେ ୧୨ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଉଚ୍ଚସ୍ତରୀୟ ବୈଠକରେ ଏନେଇ ଆଲୋଚନା କରାଯିବ। ଯଦି କୌଣସି ବିଦ୍ୟାଳୟ ୧୧ ତାରିଖ ସୁଦ୍ଧା ତଥ୍ୟ ଦେଉନାହାନ୍ତି ‌ତେବେ ସେମାନଙ୍କୁ ଛାଡ଼ି ବାକି ବିଦ୍ୟାଳୟର ତଥ୍ୟକୁ ଦାଖଲ କରିବାକୁ କୁହାଯାଇଛି।

ନିର୍ଦେଶାଳୟ ପକ୍ଷରୁ ଆହୁରି କୁହାଯାଇଛି ଯେ ଅଗଷ୍ଟ ୨୭ରେ ଜାରି ବିଜ୍ଞପ୍ତି ଅନୁଯାୟୀ ଛାତ୍ରଛାତ୍ରୀଙ୍କ ଅନ୍‌ଲାଇନ୍‌ ପାଠପଢ଼ା ଯାଞ୍ଚ କରିବାକୁ କୁହାଯାଇଥିଲା। ମୁଖ୍ୟାଳୟରେ ରହି ଶିକ୍ଷକ ଶିକ୍ଷୟିତ୍ରୀ ପିଲାଙ୍କୁ ପାଠପଢ଼ାଇବା ସହ ‌ତାହାର ମନିଟରିଂ କରିବାକୁ ନିର୍ଦେଶ ଥିଲା। ତେବେ ନଜରକୁ ଆସିଛି ଯେ କେତେଜଣ ଶିକ୍ଷକ ମୁଖ୍ୟାଳୟରେ ନ ଥିଲେ। ଅନ୍‌ଲାଇନ୍‌ ପାଠପଢ଼ାରେ ବି ସହଯୋଗ କରି ନାହାନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଲକ୍‌ଡାଉନ ଓ ଅନ୍‌ଲକ୍‌ ସମୟରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ମାସକୁ ପୂର୍ଣ୍ଣାଙ୍ଗ ଦରମା ପ୍ରଦାନ କରାଯାଇଛି। ତା’ପରେ ବି ସ୍କୁଲ ବନ୍ଦ ରହିଛି। ପିଲା ସ୍କୁଲ ଆସୁନାହାନ୍ତି କରି ଶିକ୍ଷକମାନେ ମୁଖ୍ୟାଳୟ ନ ରହିବା ବାହାନାକୁ ଗ୍ରହଣ କରାଯାଇପାରୁ ନାହିଁ। ଅନ୍‌ଲାଇନ୍‌ ଶିକ୍ଷା ପାଇଁ ଆଉ କିଭଳି ଭିତ୍ତିଭୂମି ବିକାଶ କରାଯାଇପାରିବ ସେନେଇ ମତାମତ ଦେବାକୁ ଡିଇଓମାନଙ୍କୁ କୁହାଯାଇଛି।

ଅନ୍ୟପକ୍ଷରେ ସ୍କୁଲ ଖୋଲିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆକ୍ସନ ପ୍ଲାନ ପ୍ରସ୍ତୁତି କରାଯାଇଛି। କୋଭିଡ୍‌-୧୯ ଅଭିଯାନରେ ସମସ୍ତ ଶିକ୍ଷକଙ୍କୁ ସାମିଲ କରାଯାଇ ରାଜ୍ୟ ସରକାରଙ୍କ ଦ୍ୱାରା ଅନୁମୋଦିତ ଆଇଇସି(ଇନ୍ଫୋର୍ମେସନ, ଏଜୁକେସନ ଆଣ୍ଡ କମ୍ୟୁନିକେସନ) ସାମଗ୍ରୀଗୁଡିକ ଛାତ୍ରଛାତ୍ରୀ, ଅଭିଭାବକ ଓ ଗୋଷ୍ଠୀଙ୍କ ନିକଟରେ ପହଞ୍ଚାଇବା ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ। ୬ ମାସ ହେଲା ସ୍କୁଲଗୁଡିକ ବନ୍ଦ ରହିଛି। ତେଣୁ ଏବେ ସମୟ ଆସିଛି କ୍ୟାମ୍ପସ ସଫେଇ ଓ ଭିତ୍ତିଭୂମି ସଜାଡ଼ିବା ଦିଗରେ ପଦକ୍ଷେପ ନେବେ। ତେଣୁ ଶିକ୍ଷକ ଶିକ୍ଷୟିତ୍ରୀ ମୁଖ୍ୟାଳୟ ନ ଯିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ସ୍କୁଲ ଭିତ୍ତିଭୂମିକୁ କୋଭିଡ୍‌-୧୯ ପୂର୍ବ ସ୍ଥିତିକୁ ଫେରାଇ ଆଣିବା ଦିଗରେ ସମସ୍ତେ ମିଳିତ ଭାବେ କାର୍ଯ୍ୟ କରିବା ଲାଗି କୁହାଯାଇଛି। ଏହାର ଉଲ୍ଲଂଘନ କଲେ ଘଟଣାକୁ ଗୁରୁତର ସହ ନିଆଯିବ। ଏମିତିକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ସେହିପରି ଗତ ଜୁଲାଇ ଓ ଅଗଷ୍ଟ ମାସର ମଧ୍ୟାହ୍ନ ଭୋଜନ ରୋଷେୟା ଓ ସହଯୋଗୀଙ୍କ ପାଉଣା ବାବଦରେ ୩୧ କୋଟି ୮୧ ଲକ୍ଷ ୫୮ ହଜାର ୪୦୦ ଟଙ୍କା ମଞ୍ଜୁର ହୋଇଥିବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର