ନିରାକାରପୁର : ୭୨ବର୍ଷର ପୁରୁଣା ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ପାଇଁ ଖେଳ ପଡ଼ିଆ ଏବେ ପରିତ୍ୟକ୍ତ ହୋଇ ପଡ଼ିଛି। କ୍ଷେତ୍ରବାସୀ ଏକାଡେମି ନିରକାରପୁର ଉଚ୍ଚ ବିଦ୍ୟାଳୟ ୧୯୪୮ ମସିହାରେ ସ୍ଥାପିତ ହୋଇଥିଲା। ଏଠାରେ ପ୍ରଥମ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଖାପାଖି ପ୍ରାୟ ୨୫ଟି ପଞ୍ଚାୟତରୁ ୭୦୦ରୁ ଅଧିକ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ଦୀର୍ଘଦିନ ଧରି ସ୍ଥାୟୀ ପ୍ରଧାନଶିକ୍ଷକ ନିଯୁକ୍ତି ହୋଇନଥିବାଠାରୁ ଆରମ୍ଭ କରି ନାନା ସମସ୍ୟା ଦେଇ ଗତି କରୁଛି ଏହି ସ୍କୁଲ୍‌। ତେବେ ଏଠାରେ ଛାତ୍ରଛାତ୍ରୀଙ୍କ ନିମନ୍ତେ ଥିବା ଖେଳପଡିଆଟି ଏବେ କୌଣସି କାମରେ ଆସୁ ନାହିଁ। ବର୍ଷାଜଳ ଜମି ରହୁଥିବାରୁ ଖେଳକୁଦ ହେବାତ ଦୂରରକଥା ସେହି ବାଟ ଦେଇ ଶ୍ରେଣୀଗୃହକୁ ଯିବାକୁ ହେଲେ ଆଣ୍ଠୁଏ ପାଣିରେ ପଶି ଯିବାକୁ ପଡୁଛି। ବର୍ଷ ବର୍ଷଧରି ଏହି ପଡ଼ିଆଟିର ଯତ୍ନ ନିଆଯାଉ ନଥିବାରୁ ଏହା ଅନାବନା ଗଛରେ ଭରି ଗଲାଣି। ଏହା ଏବେ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ମଧ୍ୟ ମୁକ୍ତାକାଶ ପାଇଖାନା ପାଲଟିଛି। ଦିନଥିଲା ଏହି ସ୍କୁଲର ଛାତ୍ରଛାତ୍ରୀ ଖେଳକୁଦରେ ଜିଲ୍ଲା ଓ ରାଜ୍ୟରେ କୃତିତ୍ବ ଅର୍ଜନ କରୁଥିଲେ। ହେଲେ ଏବେ ଉପଯୁକ୍ତ ଖେଳପଡ଼ିଆ ଅଭାବରୁ ସେଭଳି ସଫଳତା ଛାତ୍ରଛାତ୍ରୀଙ୍କ ପାଇଁ କେବଳ ସ୍ବପ୍ନ ପାଲଟିଛି।