ସ୍କୁଲରେ ହେବ ‘ପ୍ରବେଶ ଉତ୍ସବ’ : ସାମିଲ ହେବେନି ନେତା

ଭୁବନେଶ୍ବର : ପ୍ରତିବର୍ଷ ପରି ଆସନ୍ତା ଶିକ୍ଷାବର୍ଷରେ ମଧ୍ୟ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକରେ ‘ପ୍ରବେଶ ଉତ୍ସବ’ ଅନୁଷ୍ଠିତ ହେବ। ୨୦୧୯-୨୦ ଶିକ୍ଷାବର୍ଷ ଲାଗି ଏହି ଉତ୍ସବ ଏପ୍ରିଲ ୨ରେ ଆୟୋଜିତ ହେବ। ଶିକ୍ଷା ଅଧିକାର ଅଧିନିୟମ-୨୦୦୯ ଅନୁଯାୟୀ ୬ରୁ ୧୪ ବର୍ଷ ବୟସର ଯେଉଁ ପିଲାମାନେ ନୂଆ ନାମ ଲେଖାଇବାକୁ ଥିବେ, ଅଧାରୁ ପାଠପଢ଼ା ଛାଡ଼ିଥିବେ କିମ୍ବା ଆଦୌ ନାମ ଲେଖାଇ ନଥିବେ ସେମାନଙ୍କୁ ବିଦ୍ୟାଳୟକୁ ଆଣିବାକୁ ପ୍ରୟାସ କରାଯିବ। ଏହି ଅବସରରେ ପିତାମାତା, ଅଭିଭାବକ ଓ ଲୋକଙ୍କ ମଧ୍ୟରେ ପ୍ରାଥମିକ ଶିକ୍ଷାର ଗୁରୁତ୍ବ ଓ ଆବଶ୍ୟକତା ବିଷୟରେ ସଚେତନତା ସୃଷ୍ଟି କରାଯିବ।

ଏପ୍ରିଲ ୨ରେ ବିଦ୍ୟାଳୟର ପ୍ରଧାନଶିକ୍ଷକ, ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀ, ସ୍ବେଚ୍ଛାସେବୀ ସଂଗଠନ, ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ବେସରକାରୀ ଅନୁଷ୍ଠାନ, ଅଙ୍ଗନବାଡ଼ି କର୍ମୀ, ସ୍ବାସ୍ଥ୍ୟ କର୍ମୀ, ଶିକ୍ଷାବିତ୍‌ ଓ ପିଲାମାନଙ୍କୁ ସାମିଲ କରାଯାଇ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହେବ। ନିର୍ବାଚନ ଅଚରଣବିଧି ଲାଗୁ ହୋଇଥିବାରୁ ଏଥର ବିଦ୍ୟାଳୟ ପରିଚାଳନା ସମିତିର ସଦସ୍ୟ, ସରକାରୀ ସଂଗଠନ, ରାଜନେତାଙ୍କୁ ସାମିଲ କରାଯିବ ନାହିଁ। ଏହି ଶୋଭାଯାତ୍ରାରେ ଶିକ୍ଷା ଅଧିକାର ନିୟମ-୨୦୧୦ ଅନୁଯାୟୀ ଶିକ୍ଷା ବିଷୟରେ ଥିବା ମୁଖ୍ୟ ଉଦ୍ଦେଶ୍ୟଗୁଡ଼ିକୁ ସ୍ଳୋଗାନ୍‌, ପ୍ଲାକାର୍ଡ ମାଧ୍ୟମରେ ପ୍ରଚାର କରାଯିବ। ଶୋଭାଯାତ୍ରା ପରେ ପିଲାମାନଙ୍କ ନାମଲେଖା ଅନୁଷ୍ଠିତ ହେବ। ଏପ୍ରିଲ ୫ ପର୍ଯ୍ୟନ୍ତ ଏହି ପ୍ରବେଶ ଉତ୍ସବ ସଚେତନତା କାର୍ଯ୍ୟକ୍ରମ ଜାରି ରହିବ। ଏପ୍ରିଲ ୬ରେ ପୂର୍ଣ୍ଣ ଉପସ୍ଥାନ ଉତ୍ସବ ଆୟୋଜିତ ହେବା ସହ ପିଲାମାନଙ୍କୁ ଫୁଲ ଓ ଚନ୍ଦନ ଦେଇ ସ୍ବାଗତ କରାଯିବ। ଜିଲ୍ଲା ପ୍ରକଳ୍ପ ସଂଯୋଜକ କାର୍ଯ୍ୟାଳୟରେ ଉପଲବ୍ଧ ଅର୍ଥ ଏହି କାର୍ଯ୍ୟକ୍ରମ ଲାଗି ବ୍ୟୟ କରାଯିବ। ରାଜ୍ୟର ସମସ୍ତ ବିଦ୍ୟାଳୟରେ ଉକ୍ତ ଉତ୍ସବ ପାଳନ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଛି।

ସମ୍ବନ୍ଧିତ ଖବର