ସ୍କୁଲ ରୂପାନ୍ତରଣ ନେଇ ସମୟ ସୀମା ଧାର୍ଯ୍ୟ ହେଲା

ହାଇସ୍କୁଲ ରୂପାନ୍ତରୀକରଣ କାର୍ଯ୍ୟକ୍ରମର ସମୀକ୍ଷା କଲେ ମୁଖ୍ୟ ସଚିବ

ଭୁବନେଶ୍ବର: ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମର ଅଗ୍ରଗତି ନେଇ ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସମୀକ୍ଷା କରିବା ସହ କେଉଁ କାମ କେବେ ସରିବ ସେନେଇ ସମୟ ସୀମା ଧାର୍ଯ୍ୟ କରିଛନ୍ତି। ମେ’ ମାସ‌ ଶେଷ ସୁଦ୍ଧା ଯଥାସମ୍ଭବ ଅଧିକରୁ ଅଧିକ ସ୍କୁଲରେ ରୂପାନ୍ତରଣ କାର୍ଯ୍ୟ ଶେଷ କରିବାକୁ ମୁଖ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି।

ଲୋକସେବା ଭବନରୁ ଡିଜିଟାଲ ମୋଡ୍‌ରେ ଅନୁଷ୍ଠିତ ଏହି ବୈଠକରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମର କ୍ଷେତ୍ରସ୍ତରୀୟ କାର୍ଯ୍ୟାନ୍ବୟନ ସମ୍ବନ୍ଧିତ ବୈଷୟିକ ଓ ପ୍ରଶାସନିକ ବିଷୟ ଉପସ୍ଥାପନ କରିଥିଲେ। ଏହାପରେ ମୁଖ୍ୟ ସଚିବ ବିଭିନ୍ନ ପ୍ରକଳ୍ପ ଶେଷ କରିବା ପାଇଁ ସମୟ ସୀମା ଧାର୍ଯ୍ୟ କରିବା ସହ କ୍ଷେତ୍ରସ୍ତରୀୟ ପ୍ରଗତି ନେଇ ଜିଲ୍ଲାପାଳମାନେ ବିଦ୍ୟାଳୟୱାରୀ ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ରୂପାନ୍ତରଣ କାର୍ଯ୍ୟକ୍ରମରେ ସ୍ଥାପନ କରାଯାଉଥିବା ଆସବାବପତ୍ର, ବୈଦ୍ୟୁତିକ ଯନ୍ତ୍ରପାତି, ପରୀକ୍ଷାଗାର ସରଞ୍ଜାମ, ଇ-ଲାଇବ୍ରେରି, କମ୍ପ୍ୟୁଟର, କ୍ରୀଡ଼ା ସରଞ୍ଜାମ ଏବଂ ବିଦ୍ୟାଳୟ ସୌନ୍ଦର୍ଯ୍ୟୀକରଣ ବ୍ୟବସ୍ଥା ଆଦିର ଉପଯୁକ୍ତ ରକ୍ଷଣାବେକ୍ଷଣ ଓ ଆବଶ୍ୟକୀୟ ନବୀକରଣ ଆଦି ନିମନ୍ତେ ନିର୍ଦ୍ଦିଷ୍ଟ ଆନୁଷ୍ଠାନିକ ବ୍ୟବସ୍ଥା କରିବାକୁ ମଧ୍ୟ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ। ବିଦ୍ୟାଳୟରେ ଲଗାଯାଉଥିବା ଅଗ୍ନିନିର୍ବାପକ ଯନ୍ତ୍ରର ଜରୁରୀକାଳୀନ ବ୍ୟବହାର ଓ ପୁନଃତ୍ତରଣ ବିଷୟରେ ଶିକ୍ଷକଶିକ୍ଷୟିତ୍ରୀ ଏବଂ ବିଦ୍ୟାଳୟ କର୍ମଚାରୀଙ୍କୁ ଆବଶ୍ୟକ ତାଲିମ୍ ଦେବାକୁ କୁହାଯାଇଛି।

ବର୍ତ୍ତମାନ ସୁଦ୍ଧା ବିଭିନ୍ନ ପର୍ଯ୍ୟାୟରେ ୪୫୩୬ଟି ବିଦ୍ୟାଳୟ ଏହି କାର୍ଯ୍ୟକ୍ରମରେ ସାମିଲ୍ ହୋଇଛି। ଏଥିରୁ ୧୦୭୬ଟିର ରୂପାନ୍ତରଣ କାର୍ଯ୍ୟ ସରିଛି। ପରବର୍ତ୍ତୀ ପର୍ଯ୍ୟାୟରେ ଆରମ୍ଭ ହୋଇଥିବା ୩୫୬୦ଟି ବିଦ୍ୟାଳୟରେ ପ୍ରକଳ୍ପ ଅନ୍ତର୍ଗତ ବିଭିନ୍ନ ବିଭାଗର ପ୍ରାୟ ୭୫% କାର୍ଯ୍ୟ ଶେଷ ହୋଇଛି। ତେଣୁ ଏହି ସବୁ ସ୍କୁଲକୁ ଚଳିତ ମାସ ଶେଷ ସୁଦ୍ଧା ପୂର୍ଣ୍ଣାଙ୍ଗ ରୂପ ଦେବାକୁ କୁହାଯାଇଛି।

ଏହି ବୈଠକରେ ଉନ୍ନୟନ କମିସନର ପ୍ରଦୀପ କୁମାର ଜେନା ଯୋଗଦେଇ କହିଥିଲେ ଯେ, ରୂପାନ୍ତରଣ କାର୍ଯ୍ୟକ୍ରମରେ ସୃଷ୍ଟି କରାଯାଇଥିବା ସମ୍ପତ୍ତି ଓ ସୁବିଧାର ସର୍ବୋତ୍ତମ ଉପଯୋଗ କରି ବିଦ୍ୟାଳୟରେ ଶୈକ୍ଷିକ ପରିବେଶର ଗୁଣାତ୍ମକମାନ ବଢ଼ାଇବା ଦରକାର।

ବୈଠକରୁ ଜଣାପଡ଼ିଛି ଯେ, ଏଥି ରୂପାନ୍ତରଣରେ ମୁଖ୍ୟତଃ ବିଦ୍ୟାଳୟ ଗୃହ, ଶ୍ରେଣୀ ଗୃହ, ପାଚେରୀ, ପାନୀୟ ଜଳ ବ୍ୟବସ୍ଥା, ବିଦ୍ୟୁତ ସଂଯୋଗ, ଶୌଚାଳୟ ଓ ପରିମଳ ବ୍ୟବସ୍ଥାର ନବୀକରଣ କରାଯାଇଛି। ଏହାବାଦ୍ ବିଦ୍ୟାଳୟରେ ସୂଚନା ଓ ପ୍ରଯୁକ୍ତିବିଦ୍ୟା ଉପକରଣ, ଆଧୁନିକ ଆସବାବପତ୍ର, ବିଜ୍ଞାନଗାର ପାଇଁ ସରଞ୍ଜାମ, ଇ-ଲାଇବ୍ରେରୀ ପାଇଁ କମ୍ପ୍ୟୁଟର, ଆନୁଷଙ୍ଗିକ ପଦାର୍ଥ, ଇ-ବୁକ୍ ସଂଗ୍ରହ, ସ୍ମାର୍ଟ ଶ୍ରେଣୀ ଗୃହ, ବିଦ୍ୟାଳୟ କାନ୍ଥରେ ଶିକ୍ଷଣୀୟ ସୁନ୍ଦର ପେଣ୍ଟିଂ, ବଗିଚା, ବିଦ୍ୟାଳୟରେ ସବୁଜିମା ବୃଦ୍ଧି, ପୃଷ୍ଟି- ବଗିଚା ବିକାଶ, ଭଲ ଖେଳ ପଡ଼ିଆ, ଅଗ୍ନି ନିରାପତ୍ତା ବ୍ୟବସ୍ଥା କରାଯାଇଛି।

ଏହି ବୈଠକରେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ପ୍ରମୁଖ ସଚିବ ରଞ୍ଜନା ଚୋପ୍ରା, ବିଏମ୍‌ସି କମିସନର ସଞ୍ଜୟ ସିଂହ, ଓସେପା ନିର୍ଦ୍ଦେଶକ ଅନୁପମ ଶାହା, ସ୍ବତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ଅରିନ୍ଦମ ଡାକୁଆ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧରୀ, ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗର ନିର୍ଦ୍ଦେଶକ ଗୁହା ପୁନମ ତାପସ କୁମାର, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅତିରିକ୍ତ ଶାସନ ସଚିବ ସରୋଜ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର