ଅଫ୍‌ଲାଇନ୍‌ରେ ପଢ଼ିବେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀ, ଜୁଲାଇ ୨୬ରୁ ଖୋଲିବ ସ୍କୁଲ

ଅଗଷ୍ଟ ୧୬ରୁ ନମବ ଶ୍ରେଣୀ ଓ ସେପ୍ଟେମ୍ବର ୧୫ରୁ ଖୋଲିପାରେ ଏକାଦଶ ସ୍କୁଲ

ଭୁବନେଶ୍ୱର: ଗତ ଜୁନ୍ ମାସ ୨୧ ତାରିଖ ଠାରୁ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୟୁଟ୍ୟୁବ୍‌ରେ କ୍ଲାସ ଚାଲିଥିବା ବେଳେ ଆସନ୍ତା ୨୬ ତାରିଖ ଠାରୁ ସ୍କୁଲରେ ଅଫ୍‌ଲାଇନ୍‌ରେ ପାଠପଢ଼ା ଯିବ । ଦଶମ ଓ ଦ୍ୱାଦଶ ଶ୍ରେଣୀର ପିଲାମାନଙ୍କର ଅଫ୍‌ଲାଇନ୍ ପାଠପଢ଼ା ପାଇଁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଅନ୍‌ଲାଇନ୍ ମାଧ୍ୟମରେ ରାଜ୍ୟର କିଛି ସ୍ଥାନରେ ପାଠପଢ଼ା ଅସୁବିଧା ହେଉଥିବାରୁ ସରକାର ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଗଣଶିକ୍ଷା ସଚିବ ସତ୍ୟବ୍ରତ ସାହୁ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ।

ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟ ଖୋଲିବ । ଗଣଶିକ୍ଷା ସଚିବ କହିଛନ୍ତି, ସ୍କୁଲକୁ ଆସିବା ପିଲାମାନଙ୍କର ଇଚ୍ଛାଧୀନ ରହିବ । କାରଣ ୟୁଟ୍ୟୁବ୍‌ରେ କ୍ଲାସ ଜାରି ରହିବ । ଯେଉଁମାନେ ସ୍କୁଲ ଆସିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି, ସେମାନେ ଅନ୍‌ଲାଇନ୍‌ରେ କ୍ଲାସ କରିବେ । ଅନ୍ୟପଟରେ ସ୍କୁଲ ଖୋଲିବା ନିଷ୍ପତ୍ତି ଜିଲ୍ଲାପାଳଙ୍କ ଉପରେ ରହିବ । କରୋନା ସଂକ୍ରମଣ ସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ସ୍କୁଲ ଖୋଲିବା ବା ବନ୍ଦ କରିବା ନିଷ୍ପତ୍ତି ନେବେ । ସ୍କୁଲ ଗୁଡ଼ିକ ସକାଳ ୧୦ଟାରୁ ଅପରାହ୍ନ ୧ଟା ୩୦ ଯାଏ ଖୋଲିବ । ଖେଳ ଛୁଟି ହେବନି । ପିଲାମାନେ ଛୁଟିରେ ଯିବା ପରେ ଘରେ ମଧ୍ୟାହ୍ନ ଭୋଜନ କରିବେ । ରବିବାର ଓ ସମସ୍ତ ସରକାରୀ ଛୁଟି ଦିନରେ ବିଦ୍ୟାଳୟ ବନ୍ଦ ରହିବ । ବିଦ୍ୟାଳୟରେ କୋଭିଡ କଟକଣାକୁ ବାଧ୍ୟତାମୂଳକ ଭାବେ ପାଳନ କରାଯିବ । ସେହିପରି ସ୍କୁଲ ଖୋଳିବା ପୂର୍ବରୁ ଏହାକୁ ସାନିଟାଇଜ କରାଯିବ ।

ଗଣଶିକ୍ଷା ସଚିବ ଶ୍ରୀ ସାହୁ କହିଛନ୍ତି ଯେ, ସ୍କୁଲ ଖୋଲିବା ପୂର୍ବରୁ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ପ୍ରାଥମିକତା ଭିତ୍ତିରେ କରୋନା ଟିକା ଦିଆଯିବ । ଯେଉଁ ସ୍କୁଲରେ ମାଟ୍ରିକ୍ ଅଫ୍‌ଲାଇନ୍‌ରେ ପରୀକ୍ଷା ହେଉଛି, ସେଠାରେ ପରେ ଖୋଲିବ । କାରଣ ସରକାରଙ୍କ ଦ୍ୱାରା ବିଗତ ଦିନରେ ପ୍ରକାଶ ପାଇଥିବା ମାଟ୍ରିକ ପରୀକ୍ଷା ଫଳରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀମାନେ ଅଫ୍‌ଲାଇନ୍‌ରେ ପରୀକ୍ଷା ଦେବେ ।

ଗଣଶିକ୍ଷା ସଚିବ କହିଛନ୍ତି, ଅଗଷ୍ଟ ୧୬ରୁ ନବମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିପାରେ । ସେ କହିଛନ୍ତି ଯେ, ଦଶମ ଓ ଦ୍ୱାଦଶ ଶ୍ରେଣୀ ପରେ ନବମ ପାଇଁ ଆମେ ଧ୍ୟାନ ଦେବୁ । ଯଦି ପିରିସ୍ଥିତି ଠିକ୍‌ଠାକ ରହେ, ଅଗଷ୍ଟ ୧୬ରୁ ନବମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିବ । ସେହିପରି ରାଜ୍ୟ ସରକାର ସେପ୍ଟେମ୍ବର ୧୫ରୁ ଏକାଦଶ ଶ୍ରେଣୀ ପାଠପଢ଼ା ପାଇଁ ଯୋଜନା କରୁଛନ୍ତି ।

ସମ୍ବନ୍ଧିତ ଖବର