୪୦ ବର୍ଷ ହେଲା ବିଦ୍ୟାଳୟ ଗୃହ ନିର୍ମାଣ ହୋଇପାରିଲାନି, ବାବୁ ରାଓଙ୍କ ବାରଣ୍ଡାରେ ଚାଲିଛି ପାଠପଢ଼ା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଶିକ୍ଷାର ବ୍ୟବସ୍ଥା କିପରି ଚାଲିଛି ତାହା ଚିତ୍ରକୋଣ୍ଡା ବ୍ଲକର ସ୍ବାଭିମାନ ଅଂଚଳକୁ ଗଲେ ହୃଦୟଙ୍ଗମ କରିପାରିବା।ଏଠାରେ ଶିକ୍ଷକ ଥିଲେ ସ୍କୁଲ ଗୃହ ନଥିବା ବେଳେ, ସ୍କୁଲ ଗୃହ ଥିଲେ ଶିକ୍ଷକ ନଥିବା ଦେଖିବାକୁ ମିଳେ। ପୁଣି ସୀମାନ୍ତ ଆନ୍ଧ୍ରର ପ୍ରଭାବ ଗାଁମାନଙ୍କୁ ପଡୁଥିବାରୁ ଲୋକେ ଓଡିଆ ପାଠ ପଢିବା ବଦଳରେ ତେଲୁଗୁ ଶିକ୍ଷା ଗ୍ରହଣ କରିବାକୁ ଅଧିକା ପସନ୍ଦ କରୁଛନ୍ତି। ସ୍ବାଭିମାନ ଅଚଳର ଏଭଳି ଏକ ସ୍କୁଲ ରହିଛି, ଯାହାକି ଗତ ୪୦ ବର୍ଷ ହେଲା ସ୍କୃଲ ଗୃହ ନିର୍ମାଣ ହୋଇନପାରି ଆଜି ପର୍ଯ୍ୟନ୍ତ ଜଣେ ଗ୍ରାମବାସୀଙ୍କ ବାରଣ୍ଡାରେ ଚାଲିଛି। ଏହି ଗ୍ରାମଟି ହେଲା ଧୂଳିପୁଟ ପଞ୍ଚାୟତର କଟାଦୁରବନ୍ଧ ଗ୍ରାମ। ଏଠାରେ ୧୯୮୦ ମସିହାରେ ଏକ ସ୍କୁଲ ନିର୍ମାଣ କରାଯାଇଥିଲା। ସେତେବେଳେ ଗ୍ରାମବାସୀଙ୍କ ସହାୟତାରେ ଏକ ଝାଟିମାଟିରେ ସ୍କୁଲ ଗୃହ ନିର୍ମାଣ କରି ସ୍କୁଲ ଚାଲୁଥିଲା। ଏବେ ତାହା ନଥିବା ବେଳେ ଏହି ଗ୍ରାମର ବାବୁ ରାଓ ନାମକ ଜଣେ ବ୍ୟକ୍ତିଙ୍କ ଘରେ ସ୍କୁଲ ଚାଲୁଛି।

ବାବୁ ରାଓଙ୍କ ବାରଣ୍ଡାରେ ଗତ ଚାଳିଶି ବର୍ଷ ହେଲା ଖରା,ବର୍ଷା ଶୀତ ପିଲାଙ୍କୁ ବାହାରେ ବସାଇ ପାଠ ପଢାଉଛନ୍ତି ଶିକ୍ଷକ। ଏହି ବିଦ୍ୟାଳୟରେ ଏବେ ୨୭ ଜଣ ପିଲା ପଢୁଛନ୍ତି।ଜଣେ ମାତ୍ର ଶିକ୍ଷକ ରହିଛନ୍ତି। ପ୍ରଥମରୁ ପଞ୍ଚମ ପର୍ଯ୍ୟନ୍ତ ଶ୍ରେଣୀ ରହିଥିବା ବେଳେ ବାରଣ୍ଡାରେ ସବୁ ପିଲା ବସି ପାଠ ପଢୁଛନ୍ତି।ତେବେ କଟାଦୁରବନ୍ଧ ଗ୍ରାମଟି ଆନ୍ଧ୍ର ସୀମାକୁ ଲାଗି ରହିଛି।ଏହି ଗ୍ରାମର ଲୋକେ ଓଡିଆ ବଦଳରେ ତେଲୁଗୁ କହିବାକୁ ପସନ୍ଦ କରନ୍ତି। ଏଭଳିକି ପିଲାମାନେ ମଧ୍ୟ ତେଲୁଗୁ ଭାଷାରେ ହିଁ କଥାବାର୍ତ୍ତା କରନ୍ତି। କିଛି ବଡ ପିଲାଙ୍କୁ ଛାଡିଦେଲେ ପିଲାମାନେ ଓଡିଆରେ ପାଠପଢିବାକୁ ପସନ୍ଦ କରନ୍ତି ନାହିଁ। ଏତେ ବର୍ଷ ବିତିଯାଇଥିଲେ ମଧ୍ୟ ଏହି ଗ୍ରାମରେ ସ୍କୁଲ ଗୃହ ଆଜି ପର୍ଯ୍ୟନ୍ତ ନିର୍ମାଣ ହୋଇପାରିଲା ନାହିଁ।

ଏନେଇ ଡିପିଇପିର କନିଷ୍ଠ ଯନ୍ତ୍ରୀଙ୍କୁ ପଚାରିବାରୁ ସ୍କୁଲ ଗୃହ ନିମନ୍ତେ ବହୁ ଦିନ ତଳେ ଟଂକା ଆସିଥିଲା,କିନ୍ତୁ ସ୍କୁଲ ଗୃହ ନିର୍ମାଣ ହୋଇପାନପାରିବାରୁ ଟଂକା ଫେରିଯାଇଥିବା କହିଥିଲେ।ସେହିପରି ଚିତ୍ରକୋଣ୍ଡା ବିଇଓ ଗାୟତ୍ରୀ ଦେବୀଙ୍କୁ ଏନେଇପଚାରିବାରୁ ସେ ମଧ୍ୟ ସ୍କୁଲ ଗୃହ ନଥିବା ସ୍ବୀକାର କରିବା ସହ ଏନେଇ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଯାଇଥିବା କହିଥିଲେ। ପୂର୍ବରୁ ନକ୍ସଲର ଭୟ ଦେଖାଇ ସ୍କୁଲ ଗୃହ ନିର୍ମାଣ ହୋଇପାରୁନଥିବା କୁହାଯାଉଥିବା ବେଳେ ଗତ ୨୦୧୭ରୁ ନକ୍ସଲ ସେହି ଅଂଚଳରୁ ବିତାଡିତ ହୋଇଥିଲେ ମଧ୍ୟ ସ୍କୁଲ ଗୃହ କାହିଁକି ନିର୍ମାଣ ହୋଇପାରୁନାହିଁ, ସେନେଇ ବିଭାଗୀୟ ଅଧିକାରୀଙ୍କ ନିକଟରେ ସଠିକ ଉତ୍ତର ନାହିଁ। କେବଳ ଏତିକି ନୁହେଁ ଧୁଳିପୁଟ ଏବଂ ରାଲଗେଡା କ୍ଲଷ୍ଟରରେ ରହିଥିବା ୧୯ଟି ସ୍କୁଲ ମଧ୍ୟରୁ ୭ଟି ସ୍କୁଲରେ ଆଜି ପର୍ଯ୍ୟନ୍ତ ସ୍କୁଲ ଗୃହ ନାହିଁ।ପିଲାମାନେ ଗ୍ରାମବାସୀଙ୍କ ବାରଣ୍ଡାରେ ପାଠ ପଢୁଛନ୍ତି।ସେହି ସ୍କୁଲଗୁଡିକ ହେଲା

କଟାଦୁରବନ୍ଧ, ମାଲଦାପାଲୀ, ଶିଙ୍ଗାବରମ, ଡାଣ୍ଡାଲଗନ୍ଧି, ସୁନାମଗାଇ, ଶୁଆପାଲୀ ଏବଂ ଡୁଡାବେଡା ପାହାଡ।ତେବେ କଟାଦୁରବନ୍ଧ ଗ୍ରାମର ବାବୁ ରାଓଙ୍କ ଘର ବାରଣ୍ଡାରେ ଗୋଟିଏ ପଟେ ସ୍କୁଲ ଚାଲିଥିବା ବେଳେ ଆଉଗୋଟିଏ ପଟେ ସ୍ବାସ୍ଥ୍ୟ ବିଭାଗ ଦ୍ବାରା ରୋଗୀଙ୍କୁ ଚିକିତ୍ସା ଚାଲିଥିଲା।ତେବେ କିପରି ସେଠାରେ ଶିକ୍ଷାଦାନ ହେଉଥିବା ସହଜରେ ଅନୁମେୟ। ଆନ୍ଧ୍ର ସୀମାନ୍ତବର୍ତ୍ତୀ ଗ୍ରାମ ହୋଇଥିବାରୁ ଲୋକେ ଓଡିଶାରେ ରହିବା, ଓଡିଆ କଥା ହେବା, ଓଡିଶାର ସୁବିଧା ସୁଯୋଗ ପାଇବା ନେଇ ସେତେଟା ମନବଳାଉନଥିବା ବେଳେ ତେଲୁଗୁରେ କଥା ହେବା ଏବଂ ଆନ୍ଧ୍ରକୁ ଯିବା ଆସିବା କରିବା ଦ୍ବାରା ଆନ୍ଧ୍ରର ସୁବିଧା ନେବାକୁ ପସନ୍ଦ କରୁଥିବା ଦେଖିବାକୁ ମିଳିଥିଲା। ପିଲାମାନେ ମଧ୍ୟ କେଉଁ ଶ୍ରେଣୀରେ ପାଠ ପଢୁଥିବା ଜାଣିନାହାନ୍ତି। ତେଲୁଗୁରେ କଥାବାର୍ତ୍ତା ହେଉଥିବାରୁ ସେମାନେ ଓଡିଆ ଶିକ୍ଷା ଗ୍ରହଣ କିପରି କରୁଥିବେ ତାହା ମଧ୍ୟ ସଂଦେହ।ତେବେ ଜିଲ୍ଲାରେ ଶିକ୍ଷା ବିଭାଗ ଏନେଇ କେତେ ତତ୍ପର ଏଥିରୁ ଜଣାପଡୁଛି।ସ୍ବାଭିମାନ ଅଂଚଳରେ ଶିକ୍ଷା ବ୍ୟବସ୍ଥା ଏଥିପାଇଁ ତଳକୁ ତଳକୁ ଖସୁଥିବା କୁହାଯାଇଛି। ତେବେ ଏହି ୭ଟି ଗ୍ରାମରେ କେବେ ସ୍କୁଲ ଗୃହ ହେବ ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର