ଗଞ୍ଜାମରେ ବିଦ୍ୟାଳୟ କ୍ରୀଡ଼ା ଭିତ୍ତିଭୂମି ଅସଜଡ଼ା

ବ୍ରହ୍ମପୁର : ପାଠପଢ଼ା ସହ ଖେଳକୁଦ ପିଲାମାନଙ୍କ ଶାରୀରିକ, ମାନସିକ ଏବଂ ବୌଦ୍ଧିକ ବିକାଶରେ ସହାୟକ ହୁଏ। ସେଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଦ୍ୟାଳୟସ୍ତରରୁ କ୍ରୀଡ଼ାକୁ ଗୁରୁତ୍ବ ଦେଇ ଆସୁଛନ୍ତି। ଚଳିତ ମାସରେ ଫୁଟବଲ୍ ପ୍ରତି ଛାତ୍ରଛାତ୍ରୀଙ୍କ ଆଗ୍ରହ ସୃଷ୍ଟି କରିବା ଲକ୍ଷ୍ୟ ନେଇ ବିଦ୍ୟାଳୟମାନଙ୍କରେ ଫୁଟବଲ୍‌ ବଣ୍ଟା ଯାଇଥିଲା। କିନ୍ତୁ ତଥ୍ୟ ଅନୁସନ୍ଧାନରୁ ଜଣାଯାଇଛି, ଗଂଜାମ ଜିଲ୍ଲାର ବହୁ ବିଦ୍ୟାଳୟରେ ଖେଳିବା ପାଇଁ ପଡ଼ିଆଟିଏ ମଧ୍ୟ ଉପଲବ୍ଧ ନାହିଁ। ଏପରିକି ବ୍ୟାୟାମ, କ୍ରୀଡ଼ା କସରତ ଆଦି ଶିକ୍ଷା ଦେବାପାଇଁ ଅନେକ ବିଦ୍ୟାଳୟରେ ଖେଳ ଶିକ୍ଷକ (ପିଇଟି) ମଧ୍ୟ ନାହାନ୍ତି। ଏଭଳି ସ୍ଥିତିରେ ସେହି ବିଦ୍ୟାଳୟ ଗୁଡ଼ିକରେ ପିଲାମାନଙ୍କ କ୍ରୀଡ଼ା ପ୍ରତିଭାର ବିକାଶ ହେବ କେମିତି? ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି।

୧୫୧ ବିଦ୍ୟାଳୟରେ ନାହିଁ ଖେଳପଡ଼ିଆ, ୨୨୭ ପିଇଟି ପଦ ଖାଲି
ଅନୁଦାନପ୍ରାପ୍ତ ଓ ବ୍ଲକ୍‌ଗ୍ରାଣ୍ଟ ବିଦ୍ୟାଳୟ ସ୍ଥିତି ମଧ୍ୟ ଖରାପ

ଗଂଜାମ ଜିଲ୍ଲାରେ ମୋଟ ୬୨୨ବିଦ୍ୟାଳୟ ମଧ୍ୟରୁ ୧୫୧ଟି (୨୪.୨୭%) ବିଦ୍ୟାଳୟରେ ଖେଳପଡ଼ିଆ ନଥିବା ବେଳେ ୨୨୭ (୩୬.୪୯%) ବିଦ୍ୟାଳୟରେ ପିଇଟି ନାହାନ୍ତି। ଅନ୍ୟପକ୍ଷେ ୬୨୨ରୁ ୪୦୯ଟି ସରକାରୀ ବିଦ୍ୟାଳୟ ହୋଇଥିବା ବେଳେ ସେଥିରୁ ୧୮୫ଟି(୪୫.୨୩%) ବିଦ୍ୟାଳୟରେ ପିଇଟି ନାହାନ୍ତି, ୧୨୫ଟି(୩୦.୫୬%) ବିଦ୍ୟାଳୟରେ ଖେଳପଡ଼ିଆ ନାହିଁ। ୩୫ଟି ଅନୁଦାନପ୍ରାପ୍ତ (ଏଡେଡ୍) ବିଦ୍ୟାଳୟ ହୋଇଥିବା ବେଳେ ୧୭ଟିରେ ପିଇଟି ନାହାନ୍ତି, ୬ଟିରେ ଖେଳପଡ଼ିଆ ନାହିଁ। ୧୭୮ଟି ବ୍ଲକ୍‌ଗ୍ରାଣ୍ଟ ବିଦ୍ୟାଳୟ ହୋଇଥିବା ବେଳେ ୨୫ଟିରେ ପିଇଟି ନାହାନ୍ତି ଏବଂ ୨୦ଟିରେ ଖେଳ ପଡ଼ିଆ ନାହିଁ।
ଅନ୍ୟପକ୍ଷେ ଗଂଜାମ ଜିଲ୍ଲାରେ କେବଳ ଉଚ୍ଚବିଦ୍ୟାଳୟ ମୋଟ ୬୦୪ଟି ଥିବା ବେଳେ ୫୬୦ଟିରେ ପିଇଟି ପଦବି ରହିଛି। କିନ୍ତୁ ସେଥିରୁ ମଧ୍ୟ ୧୪୪ଟି ପଦବିଖାଲି ପଡ଼ିଛି। ୩୯୦ଟି ସରକାରୀ ଉଚ୍ଚବିଦ୍ୟାଳୟରେ ମୋଟ ୩୪୬ଟି ପିଇଟି ପଦବି ରହିଛି। ସେଥିରୁ ୧୦୯ଟି ଖାଲି ପଡ଼ିଛି, ଯାହାକି ମୋଟ ପଦବିର ୪୫.୯୯%। ସେହିପରି ୩୬ଟି ଅନୁଦାନପ୍ରାପ୍ତ ଉଚ୍ଚବିଦ୍ୟାଳୟରେ ୧୬ଟି ପିଇଟି ପଦବି ଏବଂ ୧୭୮ଟି ବ୍ଲକ୍‌ଗ୍ରାଣ୍ଟ ଉଚ୍ଚବିଦ୍ୟାଳୟରେ ୧୯ଟି ପିଇଟି ପଦବି ଖାଲି ପଡ଼ିଥିବା ସୂଚନା ମିଳିଛି। ଏଥିରୁ ଗଂଜାମ ଜିଲ୍ଲାରେ ଥିବା ବିଦ୍ୟାଳୟ ଗୁଡ଼ିକର କ୍ରୀଡ଼ା ଭିତ୍ତିଭୂମି ସ୍ପଷ୍ଟ ବାରି ହୋଇପଡ଼ୁଛି।

ସମ୍ବନ୍ଧିତ ଖବର