ବାରିପଦା/କୁଆମରା/ଖୁଣ୍ଟା: ସ୍କୁଲ ଯିବା ପାଇଁ ପରିବାର ଲୋକେ ତାଗିଦ୍ କରିବାରୁ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କରିଛନ୍ତି ଜଣେ ଛାତ୍ର। ସୂଚନା ମୁତାବକ, ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଭୋଳପଦା ଗ୍ରାମର ନବୀନ ମାରାଣ୍ଡିଙ୍କ ପୁଅ କାଳିଦାସ ମାରାଣ୍ଡି (୧୪) ସ୍ଥାନୀୟ ପଶୁଦା ନୋଡାଲ ସ୍କୁଲର ଅଷ୍ଟମ ଶ୍ରେଣୀରେ ପାଠ ପଢନ୍ତି। ଅନେକ ସମୟରେ ସେ ସ୍କୁଲ ଯିବାକୁ ଅମଙ୍ଗ ହେଉଥିବାରୁ ଘର ଲୋକେ ତାଙ୍କୁ ଆକଟ କରନ୍ତି। ଆଜି ବି ସେ ସ୍କୁଲ ଯାଇ ଅଧାବାଟରୁ ଘରକୁ ଫେରି ଆସିଥିଲେ। କାଳିଦାସ ଘରକୁ ଫେରି ଆସିବା ଦେଖି ତାଙ୍କ ବଡ଼ଭଉଣୀ ସ୍କୁଲ ଯିବା ପାଇଁ ତାଗିଦ୍ କରିଥିଲେ। ଯାହାକୁ ନେଇ ଭାଇଭଉଣୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ପରେ ବଡ଼ଭଉଣୀ ଛେଳି ଚରାଇବା ପାଇଁ ଘରୁ ବାହାରି ଯାଇଥିବା ବେଳେ ମା ଧାନଖଳାରେ ବ୍ୟସ୍ତ ଥିଲେ। ଘରେ କେହି ନଥିବା ଦେଖି କାଳିଦାସ ଏକ କୋଠରୀରେ ନିଜକୁ ବନ୍ଦ କରି ଦେହରେ କିରୋସିନି ଢାଳି ନିଆଁ ଲଗାଇ ଦେଇଥିଲେ। ତାଙ୍କ ଚିତ୍କାର ଶୁଣି ଖଳାରେ କାମ କରୁଥିବା ମା ପାଖ ପଡ଼ୋଶୀଙ୍କ ସହାୟତାରେ ପୁଅକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ବଡ଼ସାହି ଓ ପରେ ବାରିପଦା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତେବେ ଶରୀରର ୯୦ ପ୍ରତିଶତ ପୋଡ଼ି ଯାଇଥିବାରୁ ଚିକିତ୍ସାଧୀନ ଅବସ୍ଥାରେ କାଳିଦାସଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ଖୁଣ୍ଟା ଥାନା ଏସ୍ଆଇ ରନୀତା ପ୍ରଧାନ ଘଟଣାସ୍ଥଳରୁ ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇଛନ୍ତି। ଏ ନେଇ କେସ୍ ନଂ ୬୧/୧୯ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
ସ୍କୁଲ ଯିବାକୁ ତାଗିଦ୍ କଲେ ବୋଲି ଦେହରେ ନିଆଁ ଲଗାଇ ଛାତ୍ରଙ୍କ ଆତ୍ମହତ୍ୟା
/sambad/media/post_attachments/wp-content/uploads/2019/12/sf4f4h4sfh4sf56h4sf56h4sfh5s4fhsf546.jpg)