ସ୍କୁଲ ପିଲାଙ୍କୁ ବାଇକ୍‌ ମନା, ଗାଇଡ୍‌ଲାଇନ୍‌ ଜାରି କଲା ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ

ଭୁବନେଶ୍ବର: ସ୍କୁଲରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ବାଇକ୍‌ ଚଢ଼ିବା ମନା। କୌଣସି ବି ପରିସ୍ଥିତିରେ ୧୮ ବର୍ଷରୁ କମ୍ ତଥା ଯୁକ୍ତ୨ ପର୍ଯ୍ୟନ୍ତ ଶିକ୍ଷା‌ ଲାଭ କରୁଥିବା ପିଲାମାନେ ଗାଡ଼ି ଚଲାଇବେ ନାହିଁ। ଯଦି କୌଣସି ଛାତ୍ରଛାତ୍ରୀ ଗାଡ଼ି ଚଲାଇବା ସମୟରେ ଧରାପଡ଼ନ୍ତି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ଗାଡ଼ି ମାଲିକଙ୍କ ସମେତ ସମ୍ପୃକ୍ତ ଛାତ୍ରଙ୍କୁ ଜରିମାନା ଭରିବାକୁ ପଡ଼ିବ। ଆଉ ଯଦି ଛାତ୍ର/ଛାତ୍ରୀ ବିଦ୍ୟାଳୟକୁ ବାଇକ୍‌ ଆଣି ଆସୁଥିବେ ତେବେ ସ୍କୁଲ କର୍ତୃପକ୍ଷ ତାଙ୍କୁ ବାରଣ କରିବେ। ଏକାଧିକ ଥର ସଚେତନ କରିବା ପରେ ଯଦି ଛାତ୍ର/ଛାତ୍ରୀ ନ ମାନନ୍ତି ତେବେ ଏନେଇ ନିକଟସ୍ଥ ଆରଟିଓଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ(ଯୁକ୍ତ୨ କଲେଜ)ଗୁଡ଼ିକୁ ନିର୍ଦେଶ ଦିଆଯାଇଛି। ସରକାରୀ ସମେତ ଘରୋଇ ବିଦ୍ୟାଳୟଗୁଡ଼ିକ ନିୟମ ପାଳନ କରିବାକୁ କୁହାଯାଇଛି।

ନୂତନ ମୋଟରଯାନ ଆଇନ ଆସିବା ପରେ ରାଜ୍ୟ ସରକାର କଡ଼ା ଅଭିମୁଖ୍ୟ ଗ୍ରହଣ କରିଛନ୍ତି। ଛାତ୍ରଛାତ୍ରୀ ଯେପରି ଦୁର୍ଘଟଣାର ଶିକାର ନ ହୁଅନ୍ତି ସେଥିପ୍ରତି ଅଧିକ ଗୁରୁତ୍ବ ଦିଆଯିବା ସହ ପିଲା ଓ ଅଭିଭାବକଙ୍କ ମଧ୍ୟରେ ସଚେତନତା ସୃଷ୍ଟିକୁ ପ୍ରାଥମିକତା ଦିଆଯାଇଛି। ଯୁକ୍ତ୨ରେ ପଢ଼ୁଥିବା ବହୁ ପରିମାଣର ଛାତ୍ରଛାତ୍ରୀ ଗାଡ଼ି ଚଲାଉଥିବା ନଜରକୁ ଆସିଛି। କେତେକ ବିଦ୍ୟାଳୟର ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ବି ଗାଡ଼ି ଚଲାଉଥିବା ଜଣାପଡ଼ିବା ପରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। ୧୮ ବର୍ଷରୁ କମ୍‌ ବୟସ ପିଲାମାନେ ଯେପରି ମୋଟର ସାଇକଲ ଆଣି ବିଦ୍ୟାଳୟକୁ ନ ଆସନ୍ତି ସେନେଇ ସ୍କୁଲ ଅଧ୍ୟକ୍ଷମାନେ ନଜର ରଖିବେ। ପିଲାଙ୍କୁ ସଚେତନ କରିବା ସହ ଅଭିଭାବକ-ଶିକ୍ଷକ ବୈଠକରେ ଏନେଇ ଅଭିଭାବକମାନଙ୍କୁ ଅବଗତ କରାଇବେ। ସ୍କୁଲ ବସ୍‌ ନୀତି ଯେପରି ଠିକ୍‌ ଭାବେ ପାଳନ କରାଯିବ ସେଦିଗରେ ଧ୍ୟାନ ଦେବେ। ୩ ଚକିଆ ଯାନ ତଥା ଅଟୋରେ ଯାଉଥିବା ଛାତ୍ରଛାତ୍ରୀ ବହୁ ସମୟରେ ଦୁର୍ଘଟଣାର ଶିକାର ହୁଅନ୍ତି। ତେଣୁ ରାଜ୍ୟ ସଡ଼କ ସୁରକ୍ଷା ପରିଷଦର ନିୟମ ଅନୁଯାୟୀ ଯେପରି ଅଧିକ ଛାତ୍ରଛାତ୍ରୀ ଗାଡ଼ିରେ ନ ଯାଆନ୍ତି ତାହାକୁ ସୁନିଶ୍ଚିତ କରିବା ଦିଗରେ ଅଧ୍ୟକ୍ଷମାନେ ଗୁରୁତ୍ବ ଦେବାକୁ ନି‌ର୍ଦେଶ ଦିଆଯାଇଛି।  ଆହୁରି କୁହାଯାଇଛି ଯେ ସ୍ବତନ୍ତ୍ର ସ୍କ୍ବାଡ୍‌ ପକ୍ଷରୁ ସ୍କୁଲ ବସ୍‌ଗୁଡ଼ିକ ଉପରେ ଚଢ଼ାଉ କରାଯାଇ ଯାଞ୍ଚ ହେବ। ରାଜ୍ୟର ୧୪୬ଟି ସ୍କୁଲ ବସ୍‌ର ଫିଟ୍‌ନେସ୍‌ ସାର୍ଟିଫିକେଟ୍‌ ନାହିଁ। ତେଣୁ କମିଟିର ନିଷ୍ପତ୍ତି ଅନୁଯାୟୀ ଉକ୍ତ ବସ୍‌ଗୁଡ଼ିକର ପଞ୍ଜିକରଣ ପ୍ରମାଣପତ୍ର ବାତିଲ୍‌ କରିବାକୁ ଆରଟିଓମାନଙ୍କୁ କୁହାଯାଇଛି। ବସ୍‌ ହେଉ କି ତିନି ଚକିଆ ଯାନ, ସବୁ ଗାଡ଼ିର ଉଭୟ ପାର୍ଶ୍ବରେ କେତେ ଛାତ୍ରଛାତ୍ରୀ ଯାଇପାରିବେ ସେନେଇ ଉଲ୍ଲେଖ ରହିବ। ଯଦି କୌଣସି ସ୍କୁଲ ବସ୍‌ କିମ୍ବା ଅଟୋ ଧାର୍ଯ୍ୟଠାରୁ ଅଧିକ ଛାତ୍ରଛାତ୍ରୀ ନେଉଥିବା ବେଳେ ଧରାପଡ଼ନ୍ତି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ।

ସମ୍ବନ୍ଧିତ ଖବର