ଆଉ ଜଣେ ସ୍କୁଲ ଛାତ୍ରୀ ମା’ ହେଲେ

ବୌଦ୍ଧ : କନ୍ଧମାଳରେ ଜଣେ ନାବାଳିକା ସ୍କୁଲ ଛାତ୍ରୀ ସନ୍ତାନ ଜନ୍ମ କରିବା ଘଟଣା ନେଇ ରାଜ୍ୟବ୍ୟାପୀ ସୃଷ୍ଟି ହୋଇଥିବା ଝଡ଼ ନ ଥମୁଣୁ ବୌଦ୍ଧ ଜିଲ୍ଲାରୁ ବି ଆସିଛି ଅନୁରୂପ ଲଜ୍ଜାର ଖବର। ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ଏକ ହାଇସ୍କୁଲରେ ଦଶମ ଶ୍ରେଣୀରେ ପଢ଼ୁଥିବା ଜଣେ ଛାତ୍ରୀ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି। ତେବେ ସନ୍ତାନ ପ୍ରସବ ପରେ ଏହି କୁମାରୀ ମା’ର ଅବସ୍ଥା ଗୁରୁତର ହୋଇ ପଡ଼ିଛି। ପ୍ରବଳ ରକ୍ତସ୍ରାବ ଯୋଗୁଁ ଅବସ୍ଥା ଗୁରୁତର ହେବାରୁ ମା’ ଓ ନବଜାତ ଶିଶୁକୁ ବୌଦ୍ଧ ଜିଲ୍ଲା ସଦର ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଏହି ଘଟଣା ଜିଲ୍ଲାବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଛି।

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଗୁରୁବାର ପୂର୍ବାହ୍ନରେ ନାବାଳିକା ଜଣକ ଯନ୍ତ୍ରଣା ଅନୁଭବ କରିବାରୁ ତାକୁ ହରଭଙ୍ଗା ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ଟେମ୍ପୁରେ ତାଙ୍କୁ ନିଆଯିବାବେଳେ ସ୍ବାସ୍ଥ୍ୟକେନ୍ଦ୍ର ଗେଟ୍ ନିକଟରେ ହିଁ ସେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ତେବେ ତାଙ୍କ ରକ୍ତସ୍ରାବ ବନ୍ଦ ନହେବାରୁ ଅପରାହ୍ନରେ ତାଙ୍କୁ ଗୁରୁତର ଅବସ୍ଥାରେ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟକୁ ଆଣି ଭର୍ତି କରାଯାଇଛି। ଶିଶୁଟିକୁ ଏସ୍‌ଏନ୍‌ସିୟୁରେ ରଖାଯାଇଛି। ଘଟଣା ସମ୍ପର୍କରେ ଖବର ପାଇ ଜିଲ୍ଲା ଶିଶୁ ସୁରକ୍ଷା ବୋର୍ଡର ଅଧକ୍ଷ ସାକ୍ଷୀ ଗୋପାଳ ପ୍ରଧାନ ଓ ତାଙ୍କ ଟିମ୍‌ ଗୁରୁବାର ରାତିରେ ତଥ୍ୟ ନେବା ସହ ମେଡିକାଲରେ ପହଞ୍ଚି ନାବାଳିକା ଛାତ୍ରୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସମ୍ପର୍କରେ ବୁଝାସୁଝା କରିଥିଲେ। ପରିବାର ଲୋକଙ୍କ ସହ ଆଲୋଚନା ମଧ୍ୟ କରିଥିଲେ। ଛାତ୍ରୀଜଣକ ନିକ ଘରେ ହିଁ ପାଠ ପଢ଼ୁଥିଲେ ଓ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ପାଇଁ ଟେଷ୍ଟ ପରୀକ୍ଷା ଦେଇଛନ୍ତି। ଏଭଳି ଘଟଣା ପାଇଁ କିଏ ଦାୟୀ ସେ ସଂପର୍କରେ କିଛି ଅଧିକ ସୂଚନା ମିଳିପାରିନାହିଁ। ତାଙ୍କର ଜଣେ ସଂପର୍କୀୟ ଯୁବକ ତାଙ୍କ ଘରକୁ ସବୁବେଳେ ଯିବା ଆସିବା କରୁଥିବା କିଛି ପଡୋଶୀ କହିଛନ୍ତି। ପୁଲିସ ନିକଟରେ ମଧ୍ୟ ଏ ନେଇ କିଛି ତଥ୍ୟ ନଥିବା କୁହାଯାଉଛି।

ସମ୍ବନ୍ଧିତ ଖବର