ନକ୍ସଲ ସଂଗଠନରେ ସାମିଲ ହେଉଛନ୍ତି ସ୍କୁଲ ପିଲା

ମାଲକାନଗିରି: ମାଓ ସଂଗଠନ ଛାଡ଼ି ଅନେକ ମୁଖ୍ୟ ସ୍ରୋତକୁ ଫେରୁଥିବା ବେଳେ ସଦସ୍ୟ ସଂଖ୍ୟା ବଢ଼ାଇବାକୁ ମାଓବାଦୀଙ୍କ ତରଫରୁ ଚାଲିଛି ପ୍ରୟାସ। ଏଥିପାଇଁ ଦୁର୍ଗମ ଅଞ୍ଚଳର ସ୍କୁଲ ପିଲାଙ୍କୁ ମଧ୍ୟ ସଂଗଠନରେ ସାମିଲ କରାଯାଉଛି। ଏହି କୋମଳ ମତି ପିଲାଙ୍କୁ ମାଓବାଦୀ ଚିନ୍ତାଧାରାରେ ଅନୁପ୍ରାଣିତ କରାଯିବା ସହ ବିଭିନ୍ନ ଜଂଗଲରେ ତାଲିମ ଦିଆଯାଉଥିବା ସୂଚନା ମିଳିଛି।

ପ୍ରାପ୍ତ ସୂଚନା ଅନୁଯାୟୀ ଗାଁରେ ରହିଥିବା ନକ୍ସଲ ସଂଗଠନର ମିଲିସିଆମାନଙ୍କୁ ଏଭଳି ସ୍କୁଲ ପିଲାଙ୍କୁ ଚିହ୍ନଟ କରି ସେମାନଙ୍କୁ ସଂଗଠନରେ ସାମିଲ କରିବା ପାଇଁ ନିର୍ଦେଶ ଦିଆଯାଇଛି। ଏହି ମିଲିସିଆମାନେ ଦୁର୍ଗମ ଅଞ୍ଚଳର ସ୍କୁଲଗୁଡିକରେ ପହଞ୍ଚି ପିଲାଙ୍କୁ ନକ୍ସଲବାଦର ପାଠ ପଢାଉଛନ୍ତି। ଛତିଶଗଡ଼ର ବସ୍ତର ଜିଲ୍ଲାରେ ନକ୍ସଲ ତାଲିମ କେନ୍ଦ୍ର ପ୍ରତିଷ୍ଠା କରି ବହୁ ପିଲାଙ୍କୁ ନେଇ ତାଲିମ ପ୍ରଦାନ କରାଯାଉଥିବା ସୂଚନା ମିଳିଛି। ଯାହାକୁ ନେଇ ଛତିଶଗଡ ସରକାର ଉଦବେଗ ପ୍ରକାଶ କରିଛନ୍ତି। ଗତ ୨୦୧୬ ମସିହାରେ ଜାତିସଂଘ ପକ୍ଷରୁ ମଧ୍ୟ ଏ ନେଇ ଉଦ୍‌ବେଗ ପ୍ରକାଶ କରାଯାଇଥିଲା। ସେହିପରି ଗତବର୍ଷ ନକ୍ସଲ କମାଣ୍ଡରଙ୍କ ଦେହରକ୍ଷୀ ଭାବେ ଜଣେ ଶିଶୁକୁ ରଖାଯାଇଥିବା ନେଇ ଏକ ଫଟୋ ଭାଇରାଲ ହୋଇଥିଲା। ବର୍ତ୍ତମାନ ପୁଣି ଫଟୋ ଏବଂ ଭିଡିଓ ଭାଇରାଲ ହୋଇଛି। ଯାହାକୁ ନେଇ ଉଭୟ ଓଡ଼ିଶା ଏବଂ ଛତିଶଗଡ଼ରେ ହଟଚମକ ସୃଷ୍ଟି ହୋଇଛି। ଏହି ସୂଚନା ଦୁଇ ରାଜ୍ୟର ପୋଲିସଙ୍କ ପାଖରେ ରହିଥିବା ଜଣାପଡିଛି। ପରିବାରର ଜଣେ ଜଣେ ସଦସ୍ୟ ସଂଗଠନରେ ସାମିଲ ହେବାକୁ ପ୍ରଜାକୋର୍ଟରେ ଆହ୍ଵାନ ଦିଆଯାଉଛି। ମାଲକାନଗିରିର ଦୁର୍ଗମ ଅଂଚଳ ଏବଂ ଛତିଶଗଡର ବସ୍ତର ଡିଭିଜନର ଦୁର୍ଗମ ଅଂଚଳଗୁଡିକରେ ଏହା ଧିରେ ଧିରେ ବ୍ୟାପକ ହେବାରେ ଲାଗିଛି।

ସମ୍ବନ୍ଧିତ ଖବର