ବିଦ୍ୟାଦାତ୍ରୀ ମା’ ସରସ୍ଵତୀଙ୍କୁ ପୂଜାର୍ଚ୍ଚନା କରି ଆଶୀର୍ବାଦ ନେଲେ ଛାତ୍ରଛାତ୍ରୀ

କଟକ: ‘ଆଇଲେ ମା ସରସ୍ଵତୀ ନିର୍ମଳ ବନେ ରତ୍ନ ବିଭୁଷିତ କୁଣ୍ଡଳ କର୍ନେ ଗଳାରେ ମା ଗଜପତି ମୁକୁତାରହାର ଦିଅ ମା ସରସ୍ଵତୀ ବିଦ୍ୟାର ଭଣ୍ଡାର।’ ଆଜି ହେଉଛି ପବିତ୍ର ଶ୍ରୀ ପଞ୍ଚମୀ ଓ ସରସ୍ବତୀ ପୂଜା । ବିଦ୍ୟାଦାତ୍ରୀ ମା ସରସ୍ଵତୀ ଆଜି ଧରାପୃଷ୍ଟକୁ ଅବତରଣ କରିଛନ୍ତି । ବେଶ ଧୁମ୍‌ଧାମ୍‌ରେ ପୂଜା ଅର୍ଚ୍ଚନା କରାଯାଇଛି ବିଭିନ୍ନ ଶିକ୍ଷା ଅନୁଷ୍ଠାନ ଏବଂ ପୂଜା ମଣ୍ଡପ ମାନଙ୍କରେ।

ତେବେ କଟକର ଚହଟାହାଟ ନିକଟରେ ଥିବା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ସମେତ ସମସ୍ତ ବିଦ୍ୟାଳୟରେ ସକାଳୁ ଆରମ୍ଭ ହୋଇଥିଲା ପୂଜା ଅର୍ଚ୍ଚନା। ସ୍କୁଲରେ ପଢ଼ୁଥିବା ଶତାଧିକ ପିଲା ପୂଜାରେ ଯୋଗଦେଇ ପୂଜା ଅର୍ଚ୍ଚନା କରିବା ସହ ମା’ଙ୍କୁ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ। ବିଦ୍ୟାର ଅଧିଷ୍ଠାତ୍ରୀ ଦେବୀ ମା’ ସରସ୍ୱତୀଙ୍କୁ ଆଜି ପୂଜା କରିଥାନ୍ତି ବିଦ୍ୟାର୍ଥୀ । ବସନ୍ତ ଋତୁରେ ଏହି ପର୍ବ ପଡୁଥିବାରୁ ଏହାକୁ ବସନ୍ତ ପଞ୍ଚମୀ କୁହାଯାଏ । ମାଘ ମାସ ଶୁକ୍ଳ ପଞ୍ଚମୀ ତିଥିରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ପୁରପଲ୍ଲୀରୁ ଆରମ୍ଭ କରି ଶିକ୍ଷାନୁଷ୍ଠାନ ଓ କାର୍ଯ୍ୟାଳୟରେ ପୂଜା କରାଯାଏ।

ସରସ୍ବତୀଙ୍କୁ ଜ୍ଞାନର ଦେବୀ କୁହାଯାଏ । ସେ ବିଦ୍ୟାଦେବୀ, ବୁଦ୍ଧି ସିଦ୍ଧି ଓ ମୁକ୍ତିବାତ୍ରୀ । ବ୍ରହ୍ମାଙ୍କ ସହଚରୀ ଓ ଶକ୍ତି ରୂପେ ବିଦିତ ମା’ ସରସ୍ବତୀ। ବାକ୍ୟର ଦେବୀ ବାଗଦେବୀ, ବାଣୀ, ଶାରଦା। ତେବେ କଟକର ସମସ୍ତ ସ୍କୁଲ କଲେଜ ପରିସରରେ ଆଜି ମା’ଙ୍କ ପୂଜା ଅନୁଷ୍ଠିତ ହୋଇଛି। ସକାଳୁ ସକାଳୁ ସମସ୍ତ ଛାତ୍ରଛାତ୍ରୀ ଘରୁ ଶୀଘ୍ର ଉଠି ମାଆ ସରସ୍ୱତୀଙ୍କ ପୂଜା ପାଇଁ ଫୁଲ ଫଳ, ସାମଗ୍ରୀ ଇତ୍ୟାଦି ବନ୍ଦୋବସ୍ତ କରି ସ୍କୁଲ ପୂଜାରେ ସାମିଲ ହୋଇଛନ୍ତି। ଛାତ୍ରଛାତ୍ରୀଙ୍କ ନୂଆ ଡ୍ରେସ ସାଙ୍ଗକୁ ମନରେ ଉତ୍ସାହ ଦେଖିବାକୁ ମିଳିଥିଲା। ସକାଳୁ ସମସ୍ତେ ଉଜାଗର ରହି ମାଆଙ୍କ ପୂଜା ସରିବା ପରେ ପୁପ୍ସାଜଂଳି ଓ ପଞ୍ଚାମୃତ ପାଇ ପ୍ରସାଦ ସେବନ କରିଛନ୍ତି।

ସମ୍ବନ୍ଧିତ ଖବର