ଦୁଇ ସ୍କୁଲ ଛାତ୍ରଙ୍କୁ ହତ୍ୟା ଘଟଣା : ବଦଳିଲେ ଥାନା ଅଧିକାରୀ

ପୁରୀ ସ୍ୱର୍ଗଦ୍ୱାରରେ ଜଳିଲା ଜୁଇ

ବାସୁଦେବପୁର : ଭଦ୍ରକ ଜିଲ୍ଲା ନାୟକାଣିଡିହି ଥାନା ଜଗନ୍ନାଥପ୍ରସାଦ କଉଣିଆ ସାହିରୁ ଦୁଇ ସ୍କୁଲ ଛାତ୍ରଙ୍କୁ ଅପହରଣର ୪ ଦିନ ପରେ ହତ୍ୟା କରି ଗାଁ ପୋଖରୀରେ ଫିଙ୍ଗିଦେବା ଘଟଣାରେ ରାଜ୍ୟବ୍ୟାପି ଆଲୋଡନ ସୃଷ୍ଟି କରିଥିଲା। ଆଜି ଦୁଇ ଛାତ୍ରଙ୍କ ମର ଶରୀର କଟକରେ ବ୍ୟବଚ୍ଛେଦ ହେବା ପରେ ପୁରୀ ସ୍ୱର୍ଗଦ୍ୱାରରେ ପରିବାର ଓ ପ୍ରିୟଜନଙ୍କ ଉପସ୍ଥିତିରେ ଅନ୍ତିମ ସତ୍କାର କରାଯାଇଛି। ସ୍ଥାନୀୟ ପୁଲିସର ଦାୟିତ୍ୱହୀନତା ପାଇଁ ନାୟକାଣିଡି ଥାନା ଅଧିକାରୀ ମାନସ ଦେଓଙ୍କୁ ଏସପିଙ୍କ ନିର୍ଦ୍ଦେଶରେ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରାଯାଇଛି। ତାଙ୍କ ସ୍ଥାନରେ ଜିଲ୍ଲା ମୁଖ୍ୟାଳୟରୁ ଗଣେଶ ପ୍ରଧାନଙ୍କୁ ଅଣାଯାଇଛିି।

ମର୍ମାହତ ଦୁଇ ପରିବାରଙ୍କୁ ସାନ୍ତ୍ୱନା ଦେବା ପାଇଁ ବିଭିନ୍ନ ରାଜନୈତିକ ଦଳର ନେତାମାନେ ଗାଁରେ ପହଞ୍ଚିଛନ୍ତି। କଟକରୁ ଏକ ସ୍ୱତନ୍ତ୍ର ସାଇଣ୍ଟିଫିକ ଦଳ କଉଣିଆ ସାହିରେ ପହଞ୍ଚି ପୋଖରୀର ଗଭୀରତା ମାପିବା ସହ ଲ୍ୟାବଟେଷ୍ଟ ପାଇଁ ପଙ୍କ ଓ ପାଣିର ନମୁନା ସଂଗ୍ରହ କରିଛନ୍ତି। ମୃତ ଛାତ୍ର ସରୋଜ ପାଢୀ ଓ କୁଳମଣି ବାରିକର ମା’ ଦୁଃଖରେ ଭାଙ୍ଗି ପଡିଛନ୍ତି। ନିଜ ପିଲା ପାଇଁ ବାହୁନୀ ବାହୁନୀ ଆଖିରୁ ଲୁହ ଗଡାଉଛନ୍ତି। ସରୋଜ ଓ କୁଳମଣିର ସାଙ୍ଗ ସାଥୀମାନେ ମଧ୍ୟ ଦୁଃଖରେ ଭାଙ୍ଗି ପଡିଛନ୍ତି। ସମସ୍ତେ ଏହି ହତ୍ୟାକାଣ୍ଡ ରହସ୍ୟର ଉନ୍ମୋଚନ ପାଇଁ ଚାତକ ଭଲି ଅନାଇ ରହିଥିବା ବେଳେ, ହତ୍ୟାକାରୀ ମାନଙ୍କୁ ଧରିବାରେ ପୁଲିସ ପ୍ରଶାସନ କି ପଦକ୍ଷେପ ନେଉଛି ତାହାକୁ ଅପେକ୍ଷା।

ସୂଚନା ଥାଉକି ସରୋଜ ଓ କୁଳମଣି ବୁଧବାର ସନ୍ଧ୍ୟାରେ ଗାଁ ପାଖ ଶିବ ମନ୍ଦିରକୁ ଜାଗରଯାତ୍ରା ବୁଲିବାକୁ ଯାଇଥିଲେ। ହେଲେ ସେହି ଦିନ ଠାରୁ ଉଭୟଙ୍କୁ କେହି ଅପହରଣ କରିନେଇଥିବା ପରିବାର ସ୍ଥାନୀୟ ଥାନାରେ ଅଭିଯୋଗ କରିଥିଲେ। ହେଲେ ପୁଲିସ ଏଭଳି ସମ୍ବେଦନଶୀଳ ଘଟଣାରେ ହାତବାନ୍ଧି ବସିଥିଲା। ଅପହୃତ ଛାତ୍ରଙ୍କୁ ଠାବ କରିବାରେ ପୁଲିସର ସ୍ଥାଣୁତା ବିରୋଧରେ ଗ୍ରାମବାସୀ ତାତି ଉଠିଥିଲେ। ପରିବାର ସମେତ ସ୍ଥାନୀୟ ଅଞ୍ଚଳବାସୀ ପଦ୍ମପୁର-ବିରସ ରାସ୍ତାକୁ ଟାୟାର ଜାଳି ଅବରୋଧ କରିଥିଲେ। ପୁଲିସ ପ୍ରତି ଲୋକ ମାନଙ୍କ ଅସନ୍ତୋଷର ବହ୍ନି ଜଳିଥିଲା। ଦିନ ତମାମ ପୁଲିସ ଅଧିକାରୀଙ୍କୁ ଗ୍ରାମବାସୀ ଅଟକ ରଖିବା ପରେ ସନ୍ଧ୍ୟାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଗାଁରେ ପହଞ୍ଚି ବୁଝାସୁଝା ପରେ ଦୁଇ ଛାତ୍ରଙ୍କ ମୃତଦେହ ଗାଁରୁ ଉଠିଥିଲା।

ସମ୍ବନ୍ଧିତ ଖବର