କଟକ-ଜଗତପୁର: ଚୋରିରେ ବିଫଳ ହେବା ପରେ ଦୁର୍ବୃତ୍ତମାନେ ଉନ୍ମତ୍ତକାଣ୍ଡ ଭିଆଇଛନ୍ତି। ସପ୍ତମ ଶ୍ରେଣୀ ପରୀକ୍ଷା ପୂର୍ବରୁ ଜଗତପୁର ଥାନା ଇମାମନଗର ସରକାରୀ ଉଚ୍ଚବିଦ୍ୟାଳୟର ଆସବାବପତ୍ର, ଖେଳ, ପାଠ୍ୟ ଉପକରଣଗୁଡିକୁ ଜାଳି ପୋଡ଼ି ନଷ୍ଟ କରି ପକାଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ଏଭଳି କାଣ୍ଡ ଘଟିଛି। ଚୋରି ସଂକ୍ରାନ୍ତରେ ବିଦ୍ୟାଳୟ ପକ୍ଷରୁ ପ୍ରଧାନଶିକ୍ଷକ ମାନସ ମୋହନ କର ଓ ପରିଚାଳନା କମିଟି ସଭାପତି ଯୁଧିଷ୍ଠିର ରାଉତ ଜଗତପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ମୁତାବକ, ଗତକାଲି ବିଳମ୍ବିତ ରାତିରେ ବିଦ୍ୟାଳୟର ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀର ଝରକା ଭାଙ୍ଗି ଦୁର୍ବୃତ୍ତ ଚୋରି କରିବାକୁ ଉଦ୍ୟମ କରିଥିଲେ। ଏଥିରେ ବିଫଳ ହେବାରୁ ଶ୍ରେଣୀଗୃହରେ ନିଆଁ ଲଗାଇ ଦେଇଥିଲେ।
ଶ୍ରେଣୀଗୃହରେ ଥିବା ଆବଶ୍ୟକ ପାଠ୍ୟ ଉପକରଣ, ଶିକ୍ଷଣ ସାମଗ୍ରୀ, ଶିଶୁ ଗଳ୍ପ ବହି, ଚିତ୍ର କାର୍ଡ, ପିଲାଙ୍କ କାର୍ଯ୍ୟ ପୁସ୍ତିକା, ଶିକ୍ଷକ ସହାୟକ ପୁସ୍ତିକା, ପିଲାଙ୍କ ମାନ ନିର୍ଦ୍ଧାରଣ ପୁସ୍ତିକା, କାଠ ଆଲମାରି ସହ ଅନ୍ୟାନ୍ୟ ସାମଗ୍ରୀ ଜଳିପୋଡ଼ି ନଷ୍ଟ ହୋଇଯାଇଛି। ନଷ୍ଟ ହୋଇଥିବା ସାମଗ୍ରୀର ମୂଲ୍ୟ ୧ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ବିଦ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ଖାଲି ସେତିକି ନୁହେଁ, ଦୁର୍ବୃତ୍ତମାନେ ପାନୀୟ ଜଳ ଯୋଗାଣ ପାଇପ୍, ସୁଇଚ୍ ପଏଣ୍ଟ ଭାଙ୍ଗି ନେବା ସହିତ ପାଣି ମୋଟର ତାଡ଼ିବାକୁ ଉଦ୍ୟମ କରି ବିଫଳ ହୋଇଥିବା ଜଣାପଡ଼ିଛି। ଅଭିଯୋଗ ଆଧାରରେ ପୁଲିସ ଓ ସାଇଣ୍ଟିଫିକ୍ ଟିମ୍ ପ୍ରାଥମିକ ତଦନ୍ତ ସହ ଘଟଣାର ଛାନ୍ଭିନ୍ ଆରମ୍ଭ କରିଛି। ଘଟଣାସ୍ଥଳରୁ ପୁଲିସ ରାସାୟନିକ ପଦାର୍ଥ ଥିବା ଏକ ବୋତଲ ଓ ଦିଆସିଲି ଜବତ କରିଛି। ଏହି ରାସାୟନିକ ପଦାର୍ଥ ଝରକା ବାଟେ ଭିତରକୁ ଫିଙ୍ଗି ଦୁର୍ବୃତ୍ତମାନେ ନିଆଁ ଲଗାଇଥିବା ସନ୍ଦେହ କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/03/21/Wfy3mJndCdyWsHdybAt9.jpg)