ସ୍କୁଲ ଅଧ୍ୟକ୍ଷା ନିଖୋଜ ମାମଲା: ମମିତାଙ୍କୁ ହତ୍ୟାକରି ପୋଡ଼ିଦେଲେ!

ଫେରାର ଗୋବିନ୍ଦ ଆଖୁବାଡ଼ିରୁ ଧରାପଡ଼ିଲା, ପାଉଁଜି, ଚେନ୍‌, ବ୍ୟାଗ ଜବତ, ପରିବାର ଲୋକ କଲେ ଚିହ୍ନଟ

ବଲାଙ୍ଗୀର: ବହୁ ଚର୍ଚ୍ଚିତ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ନିଖୋଜ ମାମଲା ଭିନ୍ନ ମୋଡ଼ ନେଇଛି। ଏହି ମାମଲାର ଫେରାର ଥିବା ମୋଷ୍ଟ ୱାଣ୍ଟେଡ୍‌ ଗୋବିନ୍ଦ ସାହୁକୁ ପୁଲିସ ଗିରଫ କରିଛି। ସେ ମମିତାଙ୍କୁ ପୋଡ଼ି ମାରିଦେଇଥିବା ସନ୍ଦେହ କରାଯାଉଛି। ପୁଲିସ କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ନୋଡାଲ ହାଇସ୍କୁଲ ଷ୍ଟାଡିୟମ ଖୋଳି ମାଟି ତଳୁ ମମିତାଙ୍କ ବ୍ୟାଗ୍‌, ପାଉଁଜି, ଚେନ ଆଦି ଜବତ କରିଛି। ଏହା ସହିତ ମାଟି ତଳୁ ପୋଡ଼ା ଡେକ୍ସବେଞ୍ଚ, ପୋଡ଼ା ଟାୟାର ମଧ୍ୟ ଜବତ କରାଯାଇଛି। ଏ ସବୁର ଡିଏନ୍‌ଏ ଟେଷ୍ଟ ପାଇଁ ସାଇଣ୍ଟିଫିକ ଟିମ ଦ୍ବାରା ନମୁନା ସଂଗ୍ରହ କରାଯାଇଛି। ଗତକାଲିଠାରୁ ସୁରାକ ପାଇ ପୁଲିସ ଟିମ୍‌ ମହାଲିଙ୍ଗ ଗାଁର ହାଇସ୍କୁଲ ଷ୍ଟାଡିୟମରେ ଡେରା ପକାଇଥିଲେ। ମଂଗଳବାର ସକାଳୁ ବଲାଙ୍ଗୀର ଓ କଳାହାଣ୍ଡି ଜିଲ୍ଲା ପୁଲିସ ଟିମ ମହାଲିଙ୍ଗ ଗାଁ ହାଇସ୍କୁଲ ଷ୍ଟାଡିୟମରେ ମମିତାଙ୍କ ଶବ ଖୋଜିଥିଲେ।

ଗୋବିନ୍ଦଙ୍କ ସହଯୋଗୀ ତଥା ତାଙ୍କ ଜେସିବି ଅପରେଟର ପୁଷ୍କର କେଉଁଠି ମମିତାଙ୍କୁ ପୋଡ଼ି ପୋତାଯାଇଥିଲା ତାହା ଦେଖାଇଥିଲା। ପୁଲିସ ସେହି ସ୍ଥାନରେ ଜେସିବି ଲଗାଇ ମାଟି ଖୋଳିଥିଲା। ଚାରିରୁ ପାଞ୍ଚ ଫୁଟ ମାଟି ଖୋଳିବା ପରେ ବାହାରିଥିଲା ପୋଡା ପ୍ଲାଏଉଡ୍‌। ଯାହାକି ଭଙ୍ଗା ଡେସ୍କବେଞ୍ଚର ବୋଲି ଜଣାପଡ଼ିଥିଲା। ଏହାସହ ସେଠାରୁ ଏକ ପୋଡା ଟାୟାର ମଧ୍ୟ ବାହାରିଥିଲା। ଏହାପରେ ମାଟି ଭିତରେ ଖୋଜାଖୋଜି କରିବା ପରେ ପାଉଁଜି, ଚେନ ଓ ଏକ ବ୍ୟାଗ ପୁଲିସ ଜବତ କରିଥିଲା। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଏହା ସବୁ ଜବତ ହୋଇଥିଲା। ମମିତାଙ୍କ ପରିବାରରୁ ତାଙ୍କ ସଂପର୍କୀୟ ବଡ଼ବାପା ଓ ଭାଇ ଆସିଥିଲେ। ତେବେ ପୁଲିସ ଡାକିନଥିଲା ଓ ସେମାନେ ନିଜ ପଟରୁ ଆସିଥିବା ଗଣମାଧ୍ୟମ ଆଗରେ କହି ପୁଲିସ ଉପରେ ଖୁବ୍ ବର୍ଷିଥିଲେ। ଏହାପରେ ସେମାନେ କେଗାଁ ଥାନାକୁ ଯାଇଥିଲେ । ସେଠାରେ ସାଇଣ୍ଟିଫିକ ଟିମ ଜବତ ସାମଗ୍ରୀ ସବୁ ସେମାନଙ୍କୁ ଦେଖାଇଥିଲେ। ପୁଲିସ ଡିଏସ୍‌ପି ବଟକୃଷ୍ଣ ମିଶ୍ରଙ୍କ କହିବାନୁସାରେ, ମମିତାଙ୍କ ବଡ଼ବାପା ଓ ସଂପର୍କୀୟ ଜବତ ସାମଗ୍ରୀ ସବୁକୁ ଚିହ୍ନଟ କରିବା ସହ ସେସବୁ ମମିତାଙ୍କର ବୋଲି କହିଛନ୍ତି। ଡିଏସ୍‌ପିଙ୍କ ଏହି ବୟାନ ପରେ ମମିତାଙ୍କୁ ଯୋଜନାବଦ୍ଧ ଭାବରେ ହତ୍ୟା କରାଯାଇଥିବା ଜଣାପଡ଼ିଛି।

ଅନ୍ୟପଟେ ଫେରାର ଥିବା ଗୋବିନ୍ଦଙ୍କୁ ଖୋଜିବାକୁ ପୁଲିସ ୪ଟି ଟିମ୍‌ ଗଠନ କରିଥିଲା। ଚାରିଆଡ଼େ ପୁଲିସ ଟିମ୍‌ ଚଢଉ ଜାରି ରଖିଥିଲା। ଶେଷରେ ଗୋବିନ୍ଦକୁ ପୁଲିସ କୌଣସି ସୂତ୍ରରୁ ଖବର ପାଇ ବଙ୍ଗୋମୁଣ୍ଡା ବ୍ଲକ ଝରିଆଲ ପଂଚାୟତ ବୁଢୀପଦର ଗାଁର ଏକ ଆଖୁକିଆରରୁ ଗିରଫ କରିଥିଲା। ଗ୍ରାମବାସୀଙ୍କ କହିବାନୁସାରେ, ଗୋବିନ୍ଦ ଆଖୁବାଡ଼ିରେ ଲୁଚିଥିଲା। ସେଠାରେ ପୁଲିସ ଟିମ ପହଞ୍ଚି ଗୋବିନ୍ଦଙ୍କୁ ଧରିଥିଲା। ମମିତା ହତ୍ୟାରେ ଏକା ଗୋବିନ୍ଦ ନାଁ ଆଉ କିଏ କିଏ ସାମିଲ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। କାରଣ ଗୋବିନ୍ଦ ଫେରାର ହେବା ପରେ ଡିଆଇଜିଙ୍କ ତତ୍ତ୍ବାବଧାନରେ ତଦନ୍ତ ଆଗେଇଥିଲା। ଗୋବିନ୍ଦଙ୍କ ଡ୍ରାଇଭର ସହ ଜେସିବି ଅପରେଟର ପାଖରୁ ପୁଲିସ ତଥ୍ୟ ହାସଲ କରିଥିଲା। କଲେଜର କର୍ମଚାରୀମାନଙ୍କୁ ମଧ୍ୟ ପୁଲିସ ପଚରାଉଚରା କରିଥିଲା। ଗୋବିନ୍ଦଙ୍କ ସହ ଯେତେ ଜଣ ସବୁ ସମୟରେ ରହି କାମ କରୁଥିଲେ ସମସ୍ତଙ୍କୁ ପୁଲିସ ପଚରାଉଚରା ପରେ ଷ୍ଟାଡିୟମର ଠିକଣା ପାଇଥିଲା। ଏହାପରେ ପୁଲିସର ତଦନ୍ତ ସେଇଠୁ ଆଗେଇଥିଲା।

ବର୍ତ୍ତମାନ ପାରିପାର୍ଶ୍ବିକ ସ୍ଥିତି ଦେଖିଲେ ମମିତାଙ୍କୁ ହତ୍ୟା ପରେ ପୋଡ଼ି ପୋତି ଦିଆଯାଇଥିବା ଜଣାପଡ଼ିଛି। ଆଉ ଏହି ମାମଲାରେ ଏକାଧିକ ଲୋକଙ୍କ ସଂପୃକ୍ତି ସାମ୍ନାକୁ ଆସିସାରିଲାଣି। ଗୋଟିଏ ହେଉଛି ଜେସିବି ଅପରେଟର ଓ ଅନ୍ୟଟି ରାଧେ ନାମକ ଜଣେ ବ୍ୟକ୍ତି। ଉଭୟ ଅଟକ ଅଛନ୍ତି। ଏବେ ଗୋବିନ୍ଦ ଧରାପଡ଼ିବା ପରେ ପୁଲିସ କିଏ କିଏ ଏହି ହତ୍ୟାକାଣ୍ଡରେ ସାମିଲ ଥିଲେ ସେ ନେଇ ପଚରାଉଚୁରା କରିବା ସହ କଣ ସବୁ ଯୋଜନା ହୋଇଥିଲା ତାର ପର୍ଦ୍ଦାଫାସ କରିବ।

ସମ୍ବନ୍ଧିତ ଖବର