୪ରେ ବିଦ୍ୟାଳୟ ଶିକ୍ଷକ ମହାସଂଘର ଜାତୀୟ ସମ୍ମିଳନୀ

ଭୁବନେଶ୍ୱର : ଆସନ୍ତା ୪ ତାରିଖରେ ପୁରୀଠାରେ ସର୍ବଭାରତୀୟ ବିଦ୍ୟାଳୟ ଶିକ୍ଷକ ମହାସଂଘର ସପ୍ତମ ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହେବ। ଏଥିପାଇଁ ଆଜି ରେଡକ୍ରସ୍‌ ଭବନଠାରେ ଅନୁଷ୍ଠିତ ଓଷ୍ଟା (ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ)ର ଏକ ବୈଠକରେ ସର୍ବସମ୍ମତିକ୍ରମେ ଅଭ୍ୟର୍ଥନା କମିଟି ଗଠିତ ହୋଇଛି। ସମ୍ମିଳନୀର ମୁଖ୍ୟ ପୃଷ୍ଠପୋଷକ ଭାବେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ମହେଶ୍ୱର ମହାନ୍ତି ରହିଥିବା ବେଳେ ବିରୋଧୀ ଦଳ ନେତା ନରସିଂହ ମିଶ୍ର, ସନ୍ତୋଷ ଦାସ, ଆଶିଷ କାନୁନଗୋ, ଔପନ୍ୟାସିକ ବିଭୂତି ପଟ୍ଟନାୟକ, ପୂର୍ବତନ ଅତିରିକ୍ତ ଶାସନ ସଚିବ କଲ୍ୟାଣ ରାୟ, ଶିକ୍ଷାବିତ ସୁରେନ୍ଦ୍ର ଜେନା ରହିଛନ୍ତି। କମିଟିର ଅଧ୍ୟକ୍ଷ ଭାବରେ ଦେବୀପ୍ରସନ୍ନ ପଟ୍ଟନାୟକ ରହିଥିବା ବେଳେ ସଦସ୍ୟ ଭାବରେ ବିଭିନ୍ନ ଶିକ୍ଷକ, କର୍ମଚାରୀ, ମହିଳା ଓ ଛାତ୍ର ସଂଗଠନର ପ୍ରତିନିଧି ରହିଛନ୍ତି। ଓଷ୍ଟାର ସଭାପତି ବିନୋଦ ବିହାରୀ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକକୁ ସାଧରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି ପରିଚାଳନା କରିଥିଲେ। ଆସନ୍ତା ମେ’ ୪ ରୁ ୬ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ପୁରୀରେ ଅନୁଷ୍ଠିତ ହେବାକୁ ଥିବା ଏହି ଜାତୀୟ ସମ୍ମିଳନୀରେ ଶିକ୍ଷାର ଘରୋଇକରଣ, ବ୍ୟବସାୟୀକରଣ, ଠିକା ନିଯୁକ୍ତି, ଶିକ୍ଷାରେ ବ୍ୟୟ ବଜେଟ୍‌ ହ୍ରାସ ପ୍ରଭୃତି ଉପରେ ଆଲୋଚନା ହେବା ସହ ଆଗାମୀ ଦିନର କାର୍ଯ୍ୟପନ୍ଥା ସମ୍ବନ୍ଧରେ ସର୍ବଭାରତୀୟ ସ୍ତରରେ ନିଷ୍ପତ୍ତି ହେବ ବୋଲି କୁହାଯାଇଛି। ସୂଚନାଯୋଗ୍ୟ ଯେ, ସର୍ବଭାରତୀୟ ବିଦ୍ୟାଳୟ ଶିକ୍ଷକ ମହାସଂଘ ଅଧୀନରେ ଭାରତର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୨୯ ସଂଗଠନ ଏଥିରେ ଅନୁବନ୍ଧିତ ହୋଇଛନ୍ତି।

ସମ୍ବନ୍ଧିତ ଖବର