ବକେୟା ଦରମା ଓ ପେନସନ୍‌ ନ ମିଳିଲେ ବିଧାନସଭା ଘେରାଉ

ଭୁବନେଶ୍ୱର : ସପ୍ତମ ବେତନ କମିସନ୍‌ରେ ଦରମା ଓ ପେନସନ୍‌ ଲାଗୁ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଚରମ ପକ୍ଷପାତିତା ଦୃଷ୍ଟିକୁ ଆସିଛି। ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନଗୁଡ଼ିକ କ୍ଷେତ୍ରରେ ଏଭଳି ବୈମାତୃକ ମନୋଭାବ ପୋଷଣ ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀଙ୍କୁ ଅତିଷ୍ଠ କରିଛି। ସମସ୍ତ ସରକାରୀ କର୍ମଚାରୀ, ସରକାରୀ କଲେଜର ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀଙ୍କ ପାଇଁ ୭ମ ବେତନ କମିସନ ଦରମା ଓ ପେନସନ୍‌ ୨୦୧୬ ଜାନୁଆରିରୁ ଲାଗୁ ହୋଇଥିବା ବେଳେ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନ ପାଇଁ ୨୦୧୭ ଅକ୍ଟୋବର ୧ରୁ ଲାଗୁ କରାଯାଇଛି। ତେଣୁ ଉକ୍ତ ଶିକ୍ଷାନୁଷ୍ଠାନର ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀଙ୍କ ଜୀବନଜୀବିକା କ୍ଷେତ୍ରରେ କୁଠାରଘାତ କରାଯାଇଛି ବୋଲି ନିଖିଳ ଉତ୍କଳ ଶିକ୍ଷକ ମହାସଂଘର ସାଧାରଣ ସମ୍ପାଦକ ଅଧ୍ୟାପକ ରବି ରାୟ କହିଛନ୍ତି।

ସେହିପରି ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନ ଓ ସରକାରୀ ଅଧିଗୃହୀତ ଶିକ୍ଷାନୁଷ୍ଠାନରୁ ଅବସର ନେଇଥିବା ଶିକ୍ଷକ, ଅଧ୍ୟାପକ, କର୍ମଚାରୀଙ୍କୁ ୨୦୧୭ ଅକ୍ଟୋବର ୧ରୁ ବର୍ଦ୍ଧିତ ପେନସନ୍‌ ପ୍ରଦାନ କରାଯାଇଛି। ଏହା ସାମାଜିକ ସୁରକ୍ଷା ପ୍ରତି ଘୋର ଅବିଚାର। ସେମାନଙ୍କୁ ୨୧ ମାସର ବକେୟା ପେନସନ୍‌ ନ ଦେଇ ମରଣ ମୁହଁକୁ ଠେଲି ଦେବାକୁ ରାଜ୍ୟ ସରକାର ଚେଷ୍ଟା କରୁଛନ୍ତି। ଏଦିଗରେ ତୁରନ୍ତ ପଦକ୍ଷେପ ନିଆଯାଉ। ନ ହେଲେ ଆଗାମୀ ଦିନରେ ବିଧାନସଭା ଘେରାଉ କରାଯିବ ବୋଲି ମହାସଂଘର ସଭାପତି ଦାଶରଥୀ ନାୟକ କହିଛନ୍ତି।

ସମ୍ବନ୍ଧିତ ଖବର