ଆଜିଠୁ ମଧ୍ୟାହ୍ନ ଯାଏ ପାଠପଢ଼ା: ସକାଳ ୮ଟାରୁ ଦଶମ ଓ ଦ୍ବାଦଶ ଶ୍ରେଣୀ ନବମ ଓ ଏକାଦଶରେ ପରିବର୍ତ୍ତନ ହେବନି

ଭୁବନେଶ୍ବର: ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବଦଳିଲା ସକାଳୁଆ ସ୍କୁଲ ସମୟ। ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଗତକାଲି ଏ ସମ୍ପର୍କରେ ସୂଚନା ଦେବାର ୨୪ ଘଣ୍ଟା ମଧ୍ୟରେ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି। ସକାଳ ୭ଟାରୁ ଅପରାହ୍‌ଣ ଗୋଟାଏ ପର୍ଯ୍ୟନ୍ତ ହେଉଥିବା ସ୍କୁଲ ସମୟ ଏଣିକି ସକାଳ ୭ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଚାଲିବ। ୯ମ ଓ ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍‌ ପାଠପଢ଼ା ପୂର୍ବଭଳି ସକାଳ ୭ଟାରୁ ୯ଟା ପର୍ଯ୍ୟନ୍ତ ହେବ। ସେଥିରେ ପରିବର୍ତ୍ତନ କରାଯିବ ନାହିଁ। ତେବେ ଦଶମ ଓ ଦ୍ବାଦଶ ଛାତ୍ରଛାତ୍ରୀଙ୍କ ପାଠପଢ଼ା ସମୟରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ଦୁଇ ଦିନ ହେଲା, ସକାଳ ୯ଟାରୁ ଦଶମ ଓ ଦ୍ବାଦଶ ଶ୍ରେଣୀ ପାଠପଢ଼ା ଆରମ୍ଭ ହେଉଥିବା ବେଳେ ବୁଧବା‌ରଠାରୁ ସକାଳ ୮ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଉକ୍ତ ଦୁଇ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍‌ ପାଠପଢ଼ା ହେବ। ରାଜ୍ୟର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ଘରୋଇ ସ୍କୁଲଗୁଡ଼ିକରେ ଏହି ନିର୍ଦ୍ଦେଶକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅତିରିକ୍ତ ସଚିବ ପ୍ରତାପ କୁମାର ମିଶ୍ର ଆଜି ବିଭାଗ ଅଧୀନ ସମସ୍ତ ନିର୍ଦ୍ଦେଶାଳୟ ଓ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ)ଙ୍କୁ ଚିଠି ଲେଖିଛନ୍ତି।

ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି ଯେ ଦଶମ ଓ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ପୂର୍ବରୁ ଯେମିତି ୪ ଘଣ୍ଟାର କ୍ଲାସ୍‌ ହେଉଥିଲା, ଏବେ ବି ସମାନ ଭାବେ ୪ଘଣ୍ଟାର କ୍ଲାସ୍‌ କରାଯିବ। କ୍ଲାସ୍‌ ପ୍ରଭାବିତ ହେବ ନାହିଁ କି ପାଠପଢ଼ା କମିବନି। ୯ମ ଓ ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କ୍ଲାସ୍‌ ବି ପ୍ରଭାବିତ ହେବନି, ବରଂ ପାଠ୍ୟକ୍ରମ ଠିକ୍‌ ସମୟରେ ସରିବ। ଛାତ୍ରଛାତ୍ରୀଙ୍କୁ ପ୍ରାକ୍ଟିସ୍‌ ଲାଗି ସମୟ ବି ମିଳିବ। ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସୁରକ୍ଷାକୁ ଗୁରୁତ୍ବ ଦେଇ ଏଭଳି ନିଷ୍ପତ୍ତି ନିଆଯାଇଛି।

ସମ୍ବନ୍ଧିତ ଖବର