ସକାଳୁଆ ହେଲା ସ୍କୁଲ୍ : ୯ମ ଓ ଏକାଦଶ ସକାଳ ୭ରୁ ୯, ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଠପଢ଼ା ସକାଳ ୯ରୁ ମଧ୍ୟାହ୍ଣ ୧ଟା

ଭୁବନେଶ୍ବର: ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସ୍କୁଲ ସମୟ ପରିବର୍ତ୍ତନ କରିଛନ୍ତି । ଏଣିକି ଛାତ୍ରଛାତ୍ରୀମାନେ ସକାଳୁ ଆସି ସ୍କୁଲରେ ପାଠ ପଢିବେ । ଏ ନେଇ ଆଜି ରାଜ୍ୟ ସରକାର ବିଜ୍ଞପ୍ତି ଜାରି କରି ସୂଚନା ଦେଇଛନ୍ତି ।

ନୂଆ ସମୟ ଅନୁସାରେ ନବମ ଓ ଏକାଦଶ ଶ୍ରେଣୀର ପାଠପଢା ସକାଳ ୭ଟାରୁ ଆରମ୍ଭ ହୋଇ ୯ଟାରେ ଶେଷ ହେବ । ସେହିପରି ଦଶମ ଓ ଦ୍ୱାଦଶ ଶ୍ରେଣୀର ପାଠପଢା ସକାଳ ୯ଟାରୁ ଦିନ ୧ଟା ଯାଏଁ ଚାଲିବ । ଏଥିସହିତ ପ୍ରତି ସ୍କୁଲରେ ପିଇବା ପାଣିର ସୁବିଧା କରିବାକୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତା’ ସହିତ ସ୍କୁଲରେ ଓଆରଏସ୍ ରଖିବା ଓ ଛାତ୍ରଛାତ୍ରୀଙ୍କ ଯିବା ଆସିବା ଉପରେ ଧ୍ୟାନ ଦେବାକୁ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି ।

ସୂଚନାଯୋଗ୍ୟ ଯେ, ଲଗାତାର ଭାବେ ଦ୍ୱିତୀୟ ଦିନରେ ଦେଶର ଉତ୍ତପ୍ତ ସହର ପାଲଟିଛି ଭୁବନେଶ୍ୱର । ଆଜି ବି ଏଠାରେ ସର୍ବାଧିକ ତାପମାତ୍ରା ୪୦.୪ ଡିଗ୍ରୀ ରେକର୍ଡ କରାଯାଇଛି, ଯାହା ଗତ ୧୦ ବର୍ଷରେ ତୃତୀୟ ସର୍ବାଧିକ ବୋଲି କୁହାଯାଉଛି । ଆସନ୍ତା ୫ ଦିନ ଯାଏଁ ସ୍ୱାଭାବିକ ତାପମାତ୍ରା ଠାରୁ ଅଧିକ ୩ ରୁ ୪ ଡିଗ୍ରୀ ଉପରେ ପାରଦ ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ରାଜଧାନୀ ଭୁବନେଶ୍ୱର ସମେତ ଟିଟିଲାଗଡ, ସମ୍ବଲପୁରରେ ମଧ୍ୟ ତାପମାତ୍ରା ବୃଦ୍ଧି ପାଇଲାଣି । ଯାହାକୁ ଆଖି ଆଗରେ ରଖି ରାଜ୍ୟ ସରକାର ଏବେ ସ୍କୁଲଗୁଡିକର ସମୟ ସକାଳୁଆ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ସମ୍ବନ୍ଧିତ ଖବର