ଭୁବନେଶ୍ବର: ପୁରୀ ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳରେ ଆଉ ୨ ଦିନ ସ୍କୁଲଗୁଡ଼ିକ ବନ୍ଦ ରହିବ। ଅର୍ଥାତ ଅଗଷ୍ଟ ୨୨ ଓ ୨୩ ତାରିଖ (ସୋମବାର ଓ ମଙ୍ଗଳବାର) ବନ୍ୟା ପ୍ରଭାବିତ ଅଞ୍ଚଳର ସ୍କୁଲଗୁଡ଼ିକ ବନ୍ଦ ରହିବ। ସେହିଭଳି ପାଣି ଘେରରେ ଥିବା ସ୍କୁଲଗୁଡ଼ିକର ଛୁଟି ଆଉ ୨ ଦିନ ବଢାଇ ଦିଆଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଏହି ସୂଚନା ଦେଇଛନ୍ତି। ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି ଯେ, ଅନ୍ୟ ବନ୍ୟା ପ୍ରଭାବିତ ଜିଲ୍ଲାରେ ସ୍କୁଲ ଛୁଟି ନେଇ ଜିଲ୍ଲାପାଳ ନିଷ୍ପତ୍ତି ନେବେ।

Advertisment

ସୂଚନାଯୋଗ୍ୟ, ଦୟା, ମକରା, କୁଶଭଦ୍ରା, ଧନୁଆର ବନ୍ୟାଜଳ ପୁରୀ ଜିଲ୍ଲାକୁ ବୁଡ଼ାଇବା ପରେ ଗାଁ ଗଣ୍ଡାରେ ଦୁର୍ଦ୍ଦଶା ବଢ଼ିବାରେ ଲାଗିଛି। ‌କଣାସ, ଗୋପ, ନିମାପଡ଼ା, ପିପିଲି, ଡେଲାଙ୍ଗ ଆଦି ବ୍ଲକ୍‌ର ୪ଶହରୁ ଅଧିକ ଗାଁ ଏବେ ବନ୍ୟାଜଳ ଭିତରେ। ତେଣୁ ଲୋକଙ୍କର ଦୁର୍ଦ୍ଦଶା ବଢ଼ିବାରେ ଲାଗିଛି। ଲୋକଙ୍କ ପାଖରେ ରନ୍ଧା ଖାଦ୍ୟ ପହଞ୍ଚି ପାରୁ ନାହିଁ। ସେହିପରି ଅନ୍ୟ କୌଣସି ମୌଳିକ ସୁବିଧା ମିଳୁ ନଥିବା ଅଭିଯୋଗ ହେଉଛି। ଲୋକେ ଘରେ ସଞ୍ଚିତ ଶୁଖିଲା ଖାଦ୍ୟ ଭୋକର ଜ୍ବାଳା ମେଣ୍ଟାଉଛି। ଭୋକଠାରୁ ଶୋଷର ଜ୍ବାଳା ଦ୍ବିଗୁଣିତ ହୋଇଯାଇଛି। ଗାଁ ଗଣ୍ଡା, କୂଅ, ଟ୍ୟୁବୱେଲ ସବୁକିଛି ଜଳମଗ୍ନ ଥିବାରୁ ଲୋକେ ପିଇବା ପାଣି ମୁନ୍ଦିଏ ପାଇଁ ଧନ୍ଦି ହେଉଛନ୍ତି।