ଭୁବନେଶ୍ବର: ଗ୍ରୀଷ୍ମ ଛୁଟି ପରେ ଆସନ୍ତାକାଲି (ଶୁକ୍ରବାର)ଠାରୁ ଗଣଶିକ୍ଷା ବିଭାଗ ଅଧୀନ ରାଜ୍ୟର ସମସ୍ତ ବିଦ୍ୟାଳୟ ଓ ହଷ୍ଟେଲ ଖୋଲିବାକୁ ଯାଉଛି। ତେବେ ଝାଡ଼ାବାନ୍ତି ବ୍ୟାପିଥିବାରୁ ଯାଜପୁର, ଭଦ୍ରକ ପରି ଜିଲ୍ଲାରେ ସ୍କୁଲ ଖୋଲିବା ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭୁବନେଶ୍ବର ଗସ୍ତକୁ ଦୃଷ୍ଟିରେ ରଖି ଭୁବନେଶ୍ବର ଓ କଟକ ସହରରେ ଥିବା ସରକାରୀ, ଅନୁଦାନପ୍ରାପ୍ତ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକ ଗୋଟିଏ ଦିନ ପାଇଁ ଛୁଟି ଘୋଷଣା ହୋଇଛି। ୨୧ ତାରିଖ ଏହି ଦୁଇ ସହରର ବିଦ୍ୟାଳୟ ଖୋଲିବ। ତେବେ ରାଜ୍ୟର ଅନ୍ୟ ସ୍ଥାନଗୁଡ଼ିକରେ ଥିବା ବିଦ୍ୟାଳୟ ୨୦ ତାରିଖରେ ଖୋଲିବାକୁ ଥିବାରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ଶାଳିନୀ ପଣ୍ଡିତ ଆଜି ସମସ୍ତ ଜିଲ୍ଲାପାଳମାନଙ୍କୁ କହିଛନ୍ତି।
ଶ୍ରୀମତୀ ପଣ୍ଡିତ କହିଛନ୍ତି ଯେ ଗ୍ରୀଷ୍ମ ଛୁଟି ପରେ ଆସନ୍ତା ୨୦ ତାରିଖରେ ସମସ୍ତ ବିଦ୍ୟାଳୟ ଓ ହଷ୍ଟେଲ ଖୋଲିବ। ତେବେ ବର୍ଷା ଋତୁରେ ଜଳବାହିତ ରୋଗ ବ୍ୟାପିବାର ଆଶଙ୍କା ଥିବାରୁ ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ଆବଶ୍ୟକୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ କୁହାଯାଇଛି। ବିଶେଷକରି ହଷ୍ଟେଲଗୁଡ଼ିକରେ ସ୍ବଚ୍ଛତା ବଜାୟ ରଖିବାକୁ ପ୍ରାଥମିକତା ଦିଆଯାଇଛି। ବିଦ୍ୟାଳୟର କ୍ଲାସରୁମ୍, କମନ୍ରୁମ୍, ଅଫିସ୍ ରୁମ୍, ଲ୍ୟାବ୍, ଲାଇବ୍ରେରି, ଶୌଚାଳୟ, ରୋଷେଇ ଘର, ଷ୍ଟୋର୍ ରୁମ୍, ହଷ୍ଟେଲ ରୁମ୍ ଓ ଶୌଚାଳୟକୁ ଠିକ୍ ଭାବେ ସଫେଇ କରାଯିବା, କ୍ୟାମ୍ପସ୍ରେ ଥିବା ପାଣିଟାଙ୍କି, ଜଳ ରଖିବା ପାତ୍ର ଭଲ ଭାବେ ସଫା କରିବା ସହ ସଂଯୋଗୀକରଣ ରାସ୍ତା ଓ ନାଳକୁ ବିଦ୍ୟାଳୟ କର୍ତ୍ତୃପକ୍ଷ ସଫା କରିବେ। ଗୁଣବତ୍ତା ଚାଉଳ ଓ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ସୁରକ୍ଷିତ ଭାବେ ରଖିବେ। ହଷ୍ଟେଲ ଏବଂ ବିଦ୍ୟାଳୟରେ ସ୍ବଚ୍ଛ ପାନୀୟଜଳ ଯୋଗାଣ, କ୍ୟାମ୍ପସ୍ ପରିସରରୁ ଘାସ ଓ ଅନାବନା ଗଛ କାଟିବା, ଆବର୍ଜନା ସଫା କରିବା, ମଶା ଉତ୍ପତ୍ତିସ୍ଥଳକୁ ନଷ୍ଟ କରିବାକୁ ପରାମର୍ଶ ଦିଆଯାଇଛି।
ଝାଡ଼ାବାନ୍ତି ବ୍ୟାପୁଥିବାରୁ ସତର୍କତା ଅବଲମ୍ବନ
କ୍ୟାମ୍ପସ୍ରେ ସ୍ବଚ୍ଛତା ବଜାୟ ରଖିବାକୁ ନିର୍ଦ୍ଦେଶ
ହଇଜା, ଝାଡ଼ାବାନ୍ତି ପରି ଜଳବାହିତ ରୋଗ ବ୍ୟାପୁଥିବାରୁ ପିଲାଙ୍କ ସୁରକ୍ଷା ଦିଗରେ ପଦକ୍ଷେପ ନେବାକୁ କୁହାଯାଇଛି। ପିଇବା ପାଣି ଝାଡ଼ାବାନ୍ତିର ପ୍ରମୁଖ କାରଣ ହୋଇଥିବାରୁ ଅନେକ ସ୍ଥାନରେ ଜଳ ବିଶୋଧନ ଓ ସଫେଇ କାମକୁ ଗୁରୁତ୍ବ ଦିଆଯାଇଛି। ସ୍କୁଲ ଖୋଲିଲେ ପିଲାମାନେ ମଧ୍ୟାହ୍ନ ଭୋଜନ ଖାଇବେ ଓ ପାନୀୟଜଳ ପିଇବେ, ସେ ନେଇ ଗାଇଡ୍ଲାଇନ୍ରେ ସ୍ପଷ୍ଟ ଭାବେ ଦର୍ଶାଯାଇଛି। ବିଦ୍ୟାଳୟରେ ଆକ୍ବାଗାର୍ଡ ପରି ସାମଗ୍ରୀ ନଥିଲେ ପିଲାଙ୍କୁ ଫୁଟା ପାଣି ଦେବାକୁ କୁହାଯାଇଛି। ମଧ୍ୟାହ୍ନଭୋଜନରେ ଗରମ ଖାଦ୍ୟ ସହ ଫୁଟା ପାଣି ଦିଆଯିବ। ହଷ୍ଟେଲରେ ମଧ୍ୟ ସମାନ ବ୍ୟବସ୍ଥା ଲାଗୁ ହେବ। ସ୍କୁଲ ପରିବେଶ ସହ ପାଣି ଟାଙ୍କି ସଫା କରିବା ଉପରେ ବିଭାଗ ଗୁରୁତ୍ବ ଦେଇଛି। ବିଦ୍ୟାଳୟ ଖୋଲିବା ପରେ ଅଭିଭାବକ ସ୍କୁଲ ପରିବେଶ ଓ ମଧ୍ୟାହ୍ନଭୋଜନ ଯାଞ୍ଚ କରିପାରିବେ। ଝାଡ଼ାବାନ୍ତି ବ୍ୟାପୁଥିବାରୁ ସ୍ଥିତି ବିଗିଡ଼ିଲେ ଜିଲ୍ଲାପାଳମାନେ ଶିକ୍ଷାନୁଷ୍ଠାନ ବନ୍ଦ ସମ୍ପର୍କରେ ନିଷ୍ପତ୍ତି ନେବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି।
ହାଇସ୍କୁଲ ପିଲାଙ୍କୁ ମଧ୍ୟାହ୍ନଭୋଜନ
ଭୁବନେଶ୍ବର: ୨୦୨୫-୨୬ ଶିକ୍ଷାବର୍ଷରେ ରାଜ୍ୟର ସରକାରୀ ଓ ଅନୁଦାନପ୍ରାପ୍ତ ମାଧ୍ୟମିକ ବିଦ୍ୟାଳୟ (ହାଇସ୍କୁଲ)ର ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନଭୋଜନ ଦିଆଯିବ। ଏନେଇ ପୂର୍ବରୁ ରାଜ୍ୟ ସରକାର ଘୋଷଣା କରିଥିବା ବେଳେ ଆଜି ନିୟମାବଳୀ ଜାରି ହୋଇଛି। ଓଡ଼ିଶା ରାଜ୍ୟ ଯୋଗାଣ ନିଗମ (ଓଏସ୍ସିଏସ୍ସି) ଚାଉଳ ଦେବାକୁ ଥିବା ବେଳେ ଜିଲ୍ଲାପାଳମାନେ ପରିବହନ ଠିକାଦାରଙ୍କ ମାଧ୍ୟମରେ ବିଦ୍ୟାଳୟକୁ ଚାଉଳ ପଠାଇବେ। ଚାଉଳ ଯୋଗାଣରେ ଯେଉଁ ବ୍ୟବସ୍ଥା ଅଛି ସେହି ଅନୁଯାୟୀ ଚାଲିବ। ମାଧ୍ୟମିକ ବିଦ୍ୟାଳୟଗୁଡ଼ିକ ପାଇଁ ମଧ୍ୟ ସମାନ ଢାଞ୍ଚା ଆପଣାଯିବ। ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ଯଥା ଡାଲି, ତେଲ, ସୋୟା ବଡ଼ି, ଅଣ୍ଡା, ଲଡ଼ୁ ପ୍ରସ୍ତୁତି ପାଇଁ ଆବଶ୍ୟକ ସାମଗ୍ରୀ କ୍ରୟ କରାଯିବ। ଯେଉଁଠାରେ ମାଧ୍ୟମିକ ବିଦ୍ୟାଳୟ ସହ ପ୍ରାଥମିକ ଓ ଉଚ୍ଚପ୍ରାଥମିକ ବିଦ୍ୟାଳୟ ରହିଛି, ସେଠାରେ ଖାଦ୍ୟ ପ୍ରସ୍ତୁତ କରୁଥିବା ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍ଏଚ୍ଜି)ଙ୍କୁ ମାଧ୍ୟମିକ ବିଦ୍ୟାଳୟ ଦାୟିତ୍ବ ଦିଆଯିବ। ଯଦି କୌଣସି ସ୍ଥାନରେ ଏସ୍ଏଚ୍ଜି ମାଧ୍ୟମିକ ବିଦ୍ୟାଳୟ ଦାୟିତ୍ବ ନେବାକୁ ଅମଙ୍ଗ ହୁଅନ୍ତି, ସେଠାରେ ବିଦ୍ୟାଳୟ ପରିଚାଳନା କମିଟି (ଏସ୍ଏମ୍ସି) ଏ ଦିଗରେ ପଦକ୍ଷେପ ନେବେ।
ଯେଉଁଠାରେ ପ୍ରାଥମିକ ବିଦ୍ୟାଳୟ ପାଇଁ କେନ୍ଦ୍ରୀୟ ରୋଷେଇ ବ୍ୟବସ୍ଥା ହୋଇଛି, ସେଠାରେ ସମ୍ପୃକ୍ତ ସଂସ୍ଥା ମାଧ୍ୟମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ମାଧ୍ୟାହ୍ନଭୋଜନ ଦେବେ। ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନା ଅନୁଯାୟୀ ମାଧ୍ୟମିକ ବିଦ୍ୟାଳୟଙ୍କୁ ଦିଆଯିବାକୁ ଥିବା ମଧ୍ୟାହ୍ନଭୋଜନ ଖର୍ଚ୍ଚ କେବଳ ରାଜ୍ୟ ବଜେଟ୍ରୁ ଦିଆଯିବ। ଏକାଠି ଥିବା ବିଦ୍ୟାଳୟ ଓ ଏକକ ବିଦ୍ୟାଳୟ ପାଇଁ ମଧ୍ୟାହ୍ନଭୋଜନ ଆକାଉଣ୍ଟ କିଭଳି ହେବ, ସେ ନେଇ ଗାଇଡ୍ଲାଇନ୍ରେ ଦର୍ଶାଯାଇଛି। ଗୁଣବତ୍ତା ଅନୁଯାୟୀ ବଜାରରୁ ସାମଗ୍ରୀ କ୍ରୟ ହେବ। ପ୍ରତି ବିଦ୍ୟାଳୟର ଉପସ୍ଥାନ ଅନୁଯାୟୀ ପର୍ଯ୍ୟାପ୍ତ ଓ ଗୁଣବତ୍ତା ଥିବା ସାମଗ୍ରୀ କ୍ରୟ, ବିଦ୍ୟାଳୟର ପିଲାଙ୍କ ସଂଖ୍ୟା ସମ୍ପର୍କରେ କାନ୍ଥରେ ଉଲ୍ଲେଖ ରହିବ। ମଧ୍ୟାହ୍ନଭୋଜନ ଖାଇବା ପୂର୍ବରୁ ଓ ପରେ ଯେପରି ପିଲାମାନେ ହାତ ଧୋଇବେ ଏବଂ ବୁଲା ଜୀବଜନ୍ତୁ ଯେପରି ବିଦ୍ୟାଳୟ ପରିସରକୁ ନ ଆସନ୍ତି ସେଥିପ୍ରତି ଧ୍ୟାନ ଦିଆଯିବ। ରୋଷେୟା ଓ ସହାୟିକାଙ୍କ ସ୍ବାସ୍ଥ୍ୟ ଯେପରି ନିୟମିତ ଭାବେ ଯାଞ୍ଚ କରାଯିବ, ସେ ଦିଗରେ ପଦକ୍ଷେପ ନିଆଯିବ। ନିୟମ ଅନୁଯାୟୀ ସୋମବାର, ବୁଧବାର ଓ ଶୁକ୍ରବାର ଭାତ ସହ ଅଣ୍ଡା ତରକାରୀ, ମଙ୍ଗଳବାର ଓ ଶନିବାର ଭାତ ସହ ସୋୟାବଡ଼ି ତରକାରୀ ଏବଂ ଗୁରୁବାର ଭାତ ସହ ଡାଲମା ଦିଆଯିବ। ଏହାବ୍ୟତୀତ ପ୍ରତି ମଙ୍ଗଳବାର, ଗୁରୁବାର ଓ ଶନିବାର ପିଲାଙ୍କୁ ଗୋଟିଏ ଲେଖାଏଁ ଲଡ଼ୁ ବଣ୍ଟନ ହେବ। କ୍ୟାସ୍ବୁକ୍, ସାମଗ୍ରୀ ଓ ଷ୍ଟକ୍ ରେଜିଷ୍ଟର ଠିକ୍ ଭାବେ ପରିଚାଳନା କରିବାକୁ ପିଏମ୍ ପୋଷଣ ରାଜ୍ୟ ନୋଡାଲ୍ ଅଫିସର ଆଜି ସମସ୍ତ ଜିଲ୍ଲା ଓ ବ୍ଲକ୍ ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।