ଆଜି ଦ୍ବିତୀୟ ପର୍ଯ୍ୟାୟରେ ୫ଟି ଜିଲ୍ଲାର ୪୯୦ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତ

ଭୁବନେଶ୍ୱର: ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମରେ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୫ଟି ଜିଲ୍ଲାର ୪୯୦ ଟି ସ୍କୁଲକୁ ଲୋକାର୍ପିତ କରିଛନ୍ତି। କେନ୍ଦ୍ରାପଡା ଜିଲ୍ଲାର ୯୫ଟି ହାଇସ୍କୁଲ, କଟକର ୧୩୫ଟି, କଳାହାଣ୍ଡିର ୧୦୦ଟି, ଝାରସୁଗୁଡାର ୭୦ଟି ଓ ବରଗଡର ୯୦ଟି ହାଇସ୍କୁଲ ଲୋକାର୍ପିତ ହୋଇଛି । ସୂଚନାଯୋଗ୍ୟ ଯେ ଦ୍ବିତୀୟ ପର୍ଯ୍ୟାୟରେ ସମୁଦାୟ ୨୯୦୮ଟି ହାଇସ୍କୁଲର ରୂପାନ୍ତର ହୋଇଛି | ଏହି ଅବସରରେ ପିଲାମାନଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସ୍କୁଲ ଆଜି ଯେଉଁ ନୂଆ ରୂପ ନେଇଛି, ତାହା ପିଲାମାନଙ୍କ ଭିତରେ ଆନନ୍ଦ ଓ ଉତ୍ସାହ ଭରି ଦେଇଛି । ଏହା ସେମାନଙ୍କ ମଧ୍ୟରେ ନୂଆ ଆଶା ଓ ସଂକଳ୍ପ ସୃଷ୍ଟି କରିଛି ।

ସ୍କୁଲ ସମୟ ଜୀବନର ଶ୍ରେଷ୍ଠ ସମୟ ବୋଲି ମତବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏ ରୂପାନ୍ତର ଆମର ପିଲାମାନଙ୍କୁ ଶ୍ରେଷ୍ଠ କରି ଗଢିତୋଳିବା ପାଇଁ ସୁଯୋଗ ସୃଷ୍ଟି କରିଛି । ଏହି ସୁଯୋଗର ଉପଯୋଗ କରି ଆଗକୁ ବଢିବାକୁ ମୁଖ୍ୟମନ୍ତ୍ରୀ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ | ପ୍ରତ୍ୟେକ ପିଲା ସ୍ବତନ୍ତ୍ର ଏବଂ ତା ଭିତରେ ଭରି ରହିଛି ବିପୁଳ ସମ୍ଭାବନା । ପିଲାଙ୍କ ଆଖିରେ ଥାଏ ସୁନ୍ଦର ଭବିଷ୍ୟତର ସ୍ବପ୍ନ। ଜୀବନରେ କିଛି ବଡ କରିବାର ସ୍ବପ୍ନ। ସ୍କୁଲ ରୂପାନ୍ତର ପିଲାମାନଙ୍କ ଏ ସ୍ବପ୍ନରେ ଡେଣା ଯୋଡିପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହା ପିଲାମାନଙ୍କ ପାଇଁ ନୂଆ ସୁଯୋଗ ଆଣିଛି । ତେଣୁ ଆତ୍ମବିଶ୍ୱାସର ସହ ଆଗକୁ ବଢିବାକୁ ମୁଖ୍ୟମନ୍ତ୍ରୀ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ | ପିଲାମାନଙ୍କ ସ୍ବପ୍ନ ସାକାର ହେଲେ, ନୂଆ ଓଡିଶାର ଲକ୍ଷ୍ୟ ପୂରଣ ହେବ ଓ ନୂଆ ଓଡିଶା ଗଠନର ଭିତ୍ତି ସ୍ଥାପିତ ହେବ। ଶିକ୍ଷା ହିଁ ଜୀବନରେ ସବୁଠାରୁ ବଡ ରୂପାନ୍ତର ଆଣିଥାଏ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଜୀବନର ଏ ଗୁରୁତ୍ବପୂର୍ଣ୍ଣ ସମୟକୁ ଠିକ୍‌ ଭାବରେ ଉପଯୋଗ କର ଏବଂ ନିଜପାଇଁ, ନିଜ ପରିବାର ପାଇଁ ଓ ପ୍ରିୟ ଓଡିଶା ପାଇଁ ନୂଆ ପରିଚୟ ସୃଷ୍ଟି କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ମନ୍ତ୍ରୀ ନବକିଶେର ଦାସ, ବିଧାୟକ ଧ୍ରୁବ ଚରଣ ସାହୁ, ବିଧାୟକ ଦେବୀପ୍ରସାଦ ମିଶ୍ର,କଳାହାଣ୍ଡି ଜିଲ୍ଲା ପରିଷଦ ସଭାପତି ପୁଷ୍ପେନ୍ଦ୍ର ସିଂହଦେଓ ଓ ବିଧାୟକ ଦେବେଶ ଆଚାର୍ଯ୍ୟ ପ୍ରମୁଖ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀଙ୍କ ୫-ଟି କାର୍ଯ୍ୟକ୍ରମ ଶିକ୍ଷା କ୍ଷେତ୍ରରେ ଓଡିଶାକୁ ଶ୍ରେଷ୍ଠ କରି ଗଢ଼ିତୋଳିବ ବୋଲି ମତ ଦେଇଥିଲେ | ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି କେ ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ | ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ | ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ ସ୍ବାଗତ ଭାଷଣ ଦେଇଥିଲେ ଏବଂ ଓସେପାର ପ୍ରକଳ୍ପ ନିର୍ଦ୍ଦେଶକ ଧନ୍ୟବାଦ ଦେଇଥିଲେ |

ସମ୍ବନ୍ଧିତ ଖବର