ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟକ୍ରମ ତ୍ୱରାନ୍ୱିତ: ଦ୍ୱିତୀୟ ପର୍ଯ୍ୟାୟରେ ୩୩୦୦ ସ୍କୁଲ ସାମିଲ

ଭୁବନେଶ୍ବର : ରାଜ୍ୟ ସରକାରଙ୍କ ୫-ଟି ଅନ୍ତର୍ଗତ ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟକୁ ତ୍ବରାନ୍ବିତ କରିବା ଦିଗରେ ପଦକ୍ଷେପ ନିଆଯାଇଛି। ଏହି ପ୍ରକ୍ରିୟାରେ ୫ ହଜାରରୁ ଅଧିକ ସ୍କୁଲର ପରିବର୍ତନ ହେବ। ପ୍ରାରମ୍ଭିକ ପର୍ଯ୍ୟାୟରେ ୧୦୭୨ଟି ସ୍କୁଲର ରୂପରେଖ ପରିବର୍ତନ ହୋଇଛି। ଗଞ୍ଜାମ ଜିଲ୍ଲାରୁ ଆରମ୍ଭ ହୋଇଥିବା ସ୍କୁଲ ରୂପାନ୍ତରଣ ପ୍ରକ୍ରିୟା ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଏବେ ଅନ୍ୟ ଜିଲ୍ଲାଗୁଡ଼ିକରେ ଜାରି ରହିଛି। ସେଗୁଡ଼ିକ କିଭଳି ଯୁଦ୍ଧକାଳୀନ ଭିତ୍ତିରେ ଅଗ୍ରଗତି କରିବ ସେଥିପ୍ରତି ଗୁରୁତ୍ବାରୋପ କରିବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟ ସରକାର ଦୁଇଟି ପର୍ଯ୍ୟାୟରେ ୪୩୭୨ଟି ବିଦ୍ୟାଳୟର ରୂପାନ୍ତରଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେଥିମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୧୦୭୨ଟି ବିଦ୍ୟାଳୟର କାର୍ଯ୍ୟ ଆଗେଇ ଚାଲିଛି। ଅଧିକାଂଶ ବିଦ୍ୟାଳୟରେ କାର୍ଯ୍ୟ ଶେଷ ହୋଇଛି। ବାକି ବିଦ୍ୟାଳୟଗୁଡ଼ିକର କାର୍ଯ୍ୟ ୨୦୨୧ ଶେଷ ସୁଦ୍ଧା ଶେଷ କରିବାକୁ ନିର୍ଦେଶ ଦିଆଯାଇଛି। ଦ୍ବିତୀୟ ପର୍ଯ୍ୟାୟ ସ୍କୁଲ ରୂପାନ୍ତରଣ ପ୍ରକ୍ରିୟାରେ ସାମିଲ ହୋଇଥିବା ୩୩୦୦ଟି ବିଦ୍ୟାଳୟର ରିପୋର୍ଟ ଇତିମଧ୍ୟରେ ଗଣଶିକ୍ଷା ବିଭାଗର ହସ୍ତଗତ ହୋଇଛି। କେଉଁ ବିଦ୍ୟାଳୟ କେତେ ବର୍ଷର, କିଭଳି ସ୍ଥିତିରେ ଅଛି, କ’ଣ ସବୁ ଆବଶ୍ୟକତା ରହିଛି ଆଦି ଉପରେ ଜିଲ୍ଲାପାଳମାନେ ରିପୋର୍ଟ ଦେଇସାରିଛନ୍ତି। ଯାହାକୁ ଆଧାର କରି ଗଣଶିକ୍ଷା ବିଭାଗ ପରବର୍ତୀ ପଦକ୍ଷେପ ପାଇଁ ଆକ୍ସନ୍‌ ପ୍ଲାନ୍‌ ପ୍ରସ୍ତୁତ କରିଛି। ଏଥିପାଇଁ ୮୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବା ନେଇ ଆକଳନ କରାଯାଇଛି।

ଅନ୍ୟପକ୍ଷରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଭିତ୍ତିଭୂମି ସୁଦୃଢ଼ କରିବାକୁ ଯୋଜନା ପ୍ରସ୍ତୁତ ହୋଇଛି। ବିଦ୍ୟାଳୟ ଚତୁଃପାର୍ଶ୍ବରେ ସବୁଜ ପାଚେରି ନିର୍ମାଣ, ବିଦ୍ୟାଳୟକୁ ଭଲ ରାସ୍ତା ସାଙ୍ଗକୁ ଚାରିପାଖରେ ସବୁଜିମାର ବଳୟ, କାନ୍ଥଗୁଡ଼ିକରେ ଦୀର୍ଘ ସ୍ଥାୟୀ ପାଣିପାଗ ସହନଶୀଳ ରଙ୍ଗ ବ୍ୟବହାର, ବର୍ଷା ଯୋଗୁଁ ବିଦ୍ୟାଳୟ କ୍ୟାମ୍ପସ ପରିସରରେ ଯେପରି ପାଣି ଜମି ନ ରହେ ସେଥିପ୍ରତି ଗୁରୁତ୍ବ ଦେବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ମାଣକାରୀ ସଂସ୍ଥାମାନଙ୍କୁ ନିର୍ଦେଶ ଦିଆଯାଇଛି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍ଇ) ଅଧୀନ ଏହି ବିଦ୍ୟାଳୟର ଛାତ୍ରଛାତ୍ରୀ ଯେପରି ଉନ୍ନତ ପ୍ରଦର୍ଶନ କରିବେ ତାହାକୁ ପ୍ରାଥମିକତା ଦେବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି।

ସମ୍ବନ୍ଧିତ ଖବର