ଶିକ୍ଷାଦାନ ପାଇଁ ଅଭିନବ ପ୍ରୟାସ : ଗୁରୁପ୍ରିୟା ଜାହାଜରେ ପଢ଼ୁଛନ୍ତି ଛାତ୍ରଛାତ୍ରୀ

ମାଲକାନଗିରି/ଚିତ୍ରକୋଣ୍ଡା : ପିଲାଙ୍କୁ ବିଦ୍ୟାଳୟ ପ୍ରତି ଆକୃଷ୍ଟ କରିବାକୁ ନୂଆ ନୂଆ ପ୍ରୟାସ। ଏହି ପ୍ରୟାସ ମଧ୍ୟରେ ବିଦ୍ୟାଳୟର ରୂପ ଏବଂ ସାଜସଜ୍ଜାକୁ ଅଧିକ ଗୁରୁତ୍ବ ଦିଆଯାଉଛି। ତେଣୁ ପୂର୍ବରୁ ମାଲକାନଗିରି ଜିଲ୍ଲାରେ ଟ୍ରେନ୍, ଉଡ଼ାଜାହାଜ ଏବଂ ସଂସଦ ଭବନ ଆକୃତିର ବିଦ୍ୟାଳୟ ସବୁ ନଜରକୁ ଆସିଥିଲା। ଏହାରି ମଧ୍ୟରେ ଜିଲ୍ଲାର ଦୁର୍ଗମ ଅଞ୍ଚଳର ଗୋଟିଏ ବିଦ୍ୟାଳୟର ରୂପ ସମସ୍ତଙ୍କୁ ଆକର୍ଷିତ କରିଛି। ଏହି ବିଦ୍ୟାଳୟଟି ଚିତ୍ରକୋଣ୍ଡା ଟେମ୍ପରାରି କଲୋନିରେ ରହିଛି। ସ୍ଥାନୀୟ ପିୟୁପି ବିଦ୍ୟାଳୟକୁ ଗୋଟିଏ ବିରାଟ ପାଣିଜାହାଜର ଆକାର ଦିଆଯାଇଛି। ଦୂରରୁ ଦେଖିଲେ ଗୋଟିଏ ଅସଲ ପାଣି ଜାହାଜ ଭଳି ଏହି ବିଦ୍ୟାଳୟ ଦେଖାଯାଉଛି।

ରାଜ୍ୟର ପଛୁଆ ଜିଲ୍ଲା ଭାବେ ମାଲକାନଗିରି ପରିଚିତ। ଜିଲ୍ଲାର ପିଲାମାନେ ପୂର୍ବରୁ ରେଳ, ସଂସଦ ଭବନ, ଉଡ଼ାଜାହାଜ ଏବଂ ପାଣିଜାହାଜ ଆଦି ଛବିରେ ଦେଖୁଥିଲେ। ସାମାନ୍ୟ ଉନ୍ନତ ଅଞ୍ଚଳର ପିଲା ଏହାକୁ ଟିଭି କିମ୍ବା ସିନେମା ପରଦାରେ ହିଁ ଦେଖୁଥିଲେ। ଅସଲରେ ଏସବୁ ଦେଖିବା ଏଠାକାର ପିଲାଙ୍କ ଭାଗ୍ୟରେ ଏପର୍ଯ୍ୟନ୍ତ ଜୁଟିନାହିଁ। ତଥାପି ଦୁର୍ଗମ ଅଂଚଳର ପିଲାଙ୍କ ପାଠ ପଢ଼ିବା ସହ ସାଧାରଣଜ୍ଞାନ ଅର୍ଜନ କରିବା ପାଇଁ ସ୍କୁଲ କର୍ତ୍ତୃପକ୍ଷଙ୍କ ଏମିତି ସୁନ୍ଦର ଉପାୟ ଅବଲମ୍ବନ କରିଛନ୍ତି। ପାଣିଜାହାଜ ଆକୃତିର ଏହି ବିଦ୍ୟାଳୟରେ ପିଲାମାନେ ବି ବସି ପଢ଼ିବା ପାଇଁ ପସନ୍ଦ କରୁଛନ୍ତି। ବିଦ୍ୟାଳୟ କାନ୍ଥକୁ ଏମିତି ଆଙ୍କିବା ପରେ ସେହି ବିଷୟରେ ବିସ୍ତୃତ ଭାବେ ମଧ୍ୟ ଅବଗତ କରାଯାଇଛି। ଏପରିକି ଉକ୍ତ ପାଣିଜାହାଜକୁ ନାମକରଣ କରି ଗୁରୁପ୍ରିୟା ବୋଲି ଦିଆଯାଇଛି। ବାଲିମେଳା ଜଳଭଣ୍ଡାରରେ ଏହି ଜାହାଜରେ ବସି ପିଲାମାନେ ଗୁରୁପ୍ରିୟା ସେତୁ ଦର୍ଶନ କରିବାର ଭ୍ରମ ସୃଷ୍ଟି କରୁଥିବା ବେଳେ ପାଠ ପଢ଼ିବାର ମଜା ମଧ୍ୟ ନିଆରା ବୋଲି ମତ ପ୍ରକାଶ ପାଇଛି।

ମାଲକାନଗିରି ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ ଏଭଳି ଚିତ୍ର ଅଂକନ କରି ବିଦ୍ୟାଳୟର ପରିବେଶକୁ ସୁନ୍ଦର କରିବା ସହ ପିଲାଙ୍କୁ ସ୍କୁଲ ମୁହାଁ କରିବା ଏହାର ଉଦ୍ଦେଶ୍ୟ ବୋଲି କୁହାଯାଇଛି। ରେଳରେ ବସିବା, ବିମାନରେ ଚଢ଼ିବା ଏବଂ ସାଂସଦ ଭବନରେ ବସିବା ଭ୍ରମ ପିଲାଙ୍କୁ ଆକୃଷ୍ଟ କରିଛି। ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ ଆଗକୁ ଏଭଳି ନୂଆ ନୂଆ ବିଷୟରେ ଚିତ୍ର ଅଂକନ କରି ପିଲାଙ୍କୁ ଏହା ସଂପର୍କରେ ଅବଗତ କରାଯିବା। ଯାହାକି ସଂପୂର୍ଣ୍ଣ ନୂତନ ଶୈଳୀ ବୋଲି କୁହାଯାଇଛି। ଏତେ ବଡ଼ ଜାହାଜ ପିଲାମାନେ କେବେ ଦେଖିନଥିବା ବେଳେ ଏହା ନିଜ ସ୍କୁଲ କାନ୍ଥରେ ଦେଖି ଆନନ୍ଦିତ ହେଉଛନ୍ତି। ଏତେ ବଡ଼ ଜାହଜରେ କେତେ ଜଣ ବସି ପାରିବେ, ଏଥିରେ କଣ ସବୁ ସୁବିଧା ରହିଥାଏ, କେତେ ଦୂର ପର୍ଯ୍ୟନ୍ତ ଯାତ୍ରା କରିପାରିବ ଏଭଳି ବହୁ ପ୍ରଶ୍ନ ପିଲାଙ୍କ ମନରେ ଆସୁଥିବା ବେଳେ ଏହାକୁ ଶିକ୍ଷକଙ୍କୁ ପଚାରି ବୁଝିଛନ୍ତି। ଯଦି ଜିଲ୍ଲାର ସମସ୍ତ ବିଦ୍ୟାଳୟରେ ଏମିତି କିଛି ନୂଆ ଶୈଳୀ ପରୀକ୍ଷା ମୂଳକ ଭାବେ ପ୍ରୟୋଗ କରାଯିବ ତେବେ ବିଦ୍ୟାଳୟ ମାନ ବଢ଼ିବା ସହ ନୂଆ ଜ୍ଞାନ ଅଧ୍ୟୟନ ପାଇଁ ସହାୟକ ହେବ ବୋଲି ବୁଦ୍ଧିଜୀବୀ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର