ବିଦ୍ୟାଳୟ ଏକତ୍ରୀକରଣ ପ୍ରକ୍ରିୟା ଆରମ୍ଭ : ପଞ୍ଚାୟତକୁ ଯିବ ବନ୍ଦ ସ୍କୁଲ କୋଠା, ମିଶିଯିବ ୨୦ରୁ କମ୍ ପିଲା ଥିବା ୧୪ହଜାର ବିଦ୍ୟାଳୟ
ବନ୍ଦ ସ୍କୁଲର ଶିକ୍ଷକମାନେ ମୁଖ୍ୟ ସ୍କୁଲକୁ ବଦଳି ହେବେ
ଭୁବନେଶ୍ୱର : ପିଲା ହେଉ ନ ଥିବାରୁ ସରକାରୀ ସ୍କୁଲ ବନ୍ଦ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ୨୦୧୮ରୁ ପ୍ରକ୍ରିୟା ଚାଲିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଚୂଡ଼ାନ୍ତ ରୂପ ନେଇପାରି ନାହିଁ। ସ୍କୁଲଗୁଡ଼ିକ କିଭଳି ମିଶ୍ରଣ କରାଯିବ? ବନ୍ଦ ସ୍କୁଲର ବିଲଡିଂ କ’ଣ ହେବ? ପିଲାମାନଙ୍କ ସୁରକ୍ଷା ଓ ସୁବିଧା ଲାଗି କିଭଳି ବ୍ୟବସ୍ଥା ହେବ? ୨୦୨୦-୨୧ ଶିକ୍ଷାବର୍ଷ ଆରମ୍ଭ ହୋଇଥିବାରୁ ବନ୍ଦ ହେବାକୁ ଥିବା ସ୍କୁଲଗୁଡ଼ିକରେ ଏଥର ନାମଲେଖା ହେବ କି ନାହିଁ, ତାହାକୁ ନେଇ ପ୍ରଧାନଶିକ୍ଷକ/ପ୍ରଧାନଶିକ୍ଷୟିତ୍ରୀ ଦ୍ବନ୍ଦ୍ବରେ ରହିଛନ୍ତି। ଏମିତିକି ଅନେକ ବିଦ୍ୟାଳୟରେ ନୂଆ ପିଲାଙ୍କ ନାମଲେଖା ହୋଇପାରି ନଥିବା ଜଣାପଡ଼ିବା ପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବନ୍ଦ ସ୍କୁଲ ପରିଚାଳନା ନେଇ ରଣନୀତି ପ୍ରସ୍ତୁତ ହୋଇଛି। ପାଖାପାଖି ୨୦ରୁ କମ୍ ପିଲା ଥିବା ୧୪ ହଜାର ବିଦ୍ୟାଳୟ ବନ୍ଦ କରାଯାଇ ତାହାକୁ ସ୍ଥାନୀୟ ଅଞ୍ଚଳର ମୁଖ୍ୟ ବିଦ୍ୟାଳୟ ସହିତ ମିଶାଇ ଦିଆଯିବାକୁ ପ୍ରସ୍ତାବ ରହିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଏକତ୍ରୀକରଣ ହେବାକୁ ଥିବା ସ୍କୁଲର ସମସ୍ତ ତଥ୍ୟ ମୁଖ୍ୟ ସ୍କୁଲ ସହ ସାମିଲ ହେବ। ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀଙ୍କ ତାଲିକା, ବ୍ୟାଙ୍କ ଆକାଉଣ୍ଟର ତଥ୍ୟ ମୁଖ୍ୟ ସ୍କୁଲ ସହ ସାମିଲ ହେବ। ପିଲାଙ୍କ ପାଠପଢ଼ା ଓ ସ୍କୁଲ ପରିଚାଳନାକୁ ସୁରକ୍ଷିତ ରଖିବା ପାଇଁ ପିଲାଙ୍କ ଟ୍ରାକିଂ କରାଯିବ। ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ), ବ୍ଲକ୍ ଶିକ୍ଷା ଅଧିକାରୀ(ବିଇଓ)ମାନେ ଏସବୁ କାମର ତଦାରଖ କରିବେ। ପିଲାଙ୍କ ନାମଲେଖାକୁ ସୁରକ୍ଷିତ ରଖିବା ପାଇଁ ସବୁ ଜିଲ୍ଲାରେ ସଚେତନତା ଅଭିଯାନ ଆରମ୍ଭ ହେବ। ସ୍କୁଲ ବନ୍ଦ ପରବର୍ତ୍ତୀ ସମୟର ତଥ୍ୟ ଯେପରି ଠିକ୍ ରୁହେ, ସେଥିପାଇଁ ମୁଖ୍ୟ ସ୍କୁଲର ପ୍ରଧାନ ଶିକ୍ଷକ/ଶିକ୍ଷୟିତ୍ରୀ, ବନ୍ଦ ସ୍କୁଲର ପ୍ରଧାନଶିକ୍ଷକ ଓ ସିଆର୍ସିସି ମିଳିତ ଭାବେ ଯୋଜନା ପ୍ରସ୍ତୁତ କରିବେ। ମୁଖ୍ୟ ସ୍କୁଲର ପ୍ରଧାନଶିକ୍ଷକ ଓ ସିଆର୍ସିସି ଉଭୟ ସ୍କୁଲର ସମସ୍ତ ଛାତ୍ରଛାତ୍ରୀଙ୍କ ତାଲିକା ପ୍ରସ୍ତୁତ କରିବେ। ସିଆର୍ସିସି ଓ ପ୍ରଧାନ ଶିକ୍ଷକମାନେ ଅଭିଭାବକ ଓ ସ୍କୁଲ ପରିଚାଳନା କମିଟି(ଏସ୍ଏମ୍ସି) ସଦସ୍ୟଙ୍କୁ ସ୍କୁଲ ବନ୍ଦର କାରଣ, ମୁଖ୍ୟ ସ୍କୁଲ ସହ ସାମିଲ ହେବାର କାରଣ, ପିଲାଙ୍କୁ ମିଳିବାକୁ ଥିବା ସୁବିଧା ବାବଦରେ ଜଣାଇବେ।
ବନ୍ଦ ସ୍କୁଲର ଅସ୍ଥାବର ସମ୍ପତ୍ତି ଯଥା ରେକର୍ଡ, ଷ୍ଟୋର ଆକଉଣ୍ଟ୍ସ ଆଦି ମୁଖ୍ୟ ସ୍କୁଲକୁ ସ୍ଥାନାନ୍ତର ହେବ। ଯଦି ଏଥିପାଇଁ କୌଣସି ଅର୍ଥ ଖର୍ଚ୍ଚ ହୁଏ, ତେବେ ତାହା କମ୍ପୋଜିଟ୍ ସ୍କୁଲ ଗ୍ରାଣ୍ଟରୁ ଖର୍ଚ୍ଚ କରାଯିବ। ସ୍ଥାନାନ୍ତର ହେବା ନେଇ ଉଭୟ ସ୍କୁଲର ପ୍ରଧାନଶିକ୍ଷକ ଡକ୍ୟୁମେଣ୍ଟରେ ଦସ୍ତଖତ କରି ତାହାକୁ ବିଇଓ ଓ ଡିଇଓଙ୍କୁ ପ୍ରଦାନ କରିବେ। ନିଷ୍ପତ୍ତି ଅନୁଯାୟୀ, ବନ୍ଦ ସ୍କୁଲର ସ୍ଥାବର ସମ୍ପତ୍ତି ତଥା ବିଲଡିଂଗୁଡ଼ିକ ପଞ୍ଚାୟତ/ପଞ୍ଚାୟତ ସମିତି/ଅର୍ବାନ୍ ଲୋକାଲ୍ ବଡିକୁ ହସ୍ତାନ୍ତର କରାଯିବ। ହସ୍ତାନ୍ତର ହେବା ପରେ ବନ୍ଦ ସ୍କୁଲର ପ୍ରଧାନଶିକ୍ଷକ/ପ୍ରଧାନଶିକ୍ଷୟିତ୍ରୀ ଏନେଇ ବିଇଓ/ଡିଇଓଙ୍କୁ ରିପୋର୍ଟ ଦେବେ। ସ୍କୁଲ ଏକତ୍ରୀକରଣ ପରେ ଏସ୍ଏମ୍ସି ପୁନର୍ଗଠିତ ହେବ। ଉଭୟ ସ୍କୁଲର ଅଭିଭାବକଙ୍କୁ ନେଇ ଏସ୍ଏମ୍ସି କରାଯିବ। ସ୍କୁଲ ଖୋଲିବାର ୪୫ ଦିନ ମଧ୍ୟରେ ଏହି କାର୍ଯ୍ୟ ଶେଷ ହେବ।
ଏସବୁ କାମର ତଦାରଖ, ପିଲା ଓ ଅଭିଭାବକଙ୍କୁ ସାହାଯ୍ୟ କରିବା ପାଇଁ ରାଜ୍ୟସ୍ତରରେ ଏକ ହେଲ୍ପଲାଇନ୍ ନମ୍ବର ରଖାଯିବ। ବନ୍ଦ ସ୍କୁଲର ଛାତ୍ରଛାତ୍ରୀ ଯେପରି ନିୟମିତ ଭାବେ ସ୍କୁଲ ଆସନ୍ତି, ସେନେଇ ମୁଖ୍ୟ ସ୍କୁଲର ପ୍ରଧାନଶିକ୍ଷକ ତଦାରଖ କରିବେ। ଏହି ପ୍ରକ୍ରିୟାରେ ସାମିଲ ଥିବା ପିଲାଙ୍କ ପୁଙ୍ଖାନୁପୁଙ୍ଖ ଡାଟାବେସ୍ ବା ତଥ୍ୟ ପ୍ରସ୍ତୁତ କରାଯାଇ ତାହାକୁ ରାଜ୍ୟସ୍ତରରେ ଦାଖଲ କରାଯିବ। ମୁଖ୍ୟ ସ୍କୁଲର କ୍ୟାମ୍ପସର ସୌନ୍ଦର୍ଯ୍ୟୀକରଣ ସହ ଭିତ୍ତିଭୂମି ବିକାଶ ଉପରେ ସରକାର ଗୁରୁତ୍ୱ ଦେଇଛନ୍ତି। ସ୍କୁଲ ହତାକୁ ସଫାସୁତୁରା କରିବା, ସ୍କୁଲ ପାଚେରି ନିର୍ମାଣ, ସ୍କୁଲ କାନ୍ଥରେ ଚିତ୍ର ଆଙ୍କିବା, ପିଇବା ପାଣି ଓ ଶୌଚାଳୟ ସୁବିଧା କରିବାକୁ ନିଷ୍ପତ୍ତି ହୋଇଛି। ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ସହୟତାରେ ସ୍କୁଲଗୁଡ଼ିକରେ ଏସବୁ ସୁବିଧା କରାଯିବ। ବିଇଓମାନେ ଏହି ସବୁ କାମର ତଦାରଖ କରିବେ। ବନ୍ଦ ସ୍କୁଲର ସମସ୍ତ ଶିକ୍ଷକ ମୁଖ୍ୟ ସ୍କୁଲକୁ ବଦଳି ହେବେ। ଏନେଇ ଯଦି କୌଣସି ସମସ୍ୟା ହୁଏ, ତେବେ ବିଇଓ ଓ ଡିଇଓମାନେ ୭ ଦିନ ମଧ୍ୟରେ ଏ ସମ୍ପର୍କିତ ସମସ୍ୟାର ସମାଧାନ କରିବେ। ଯଦି ସ୍କୁଲଠାରୁ ପିଲାଙ୍କ ଘରର ଅଧିକ ଦୂର ହୋଇଥିବ, ସେ କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କୁ ଏସ୍କର୍ଟ ଆଲାଉନ୍ସ ମିଳିବ। ଏହି ଆଲାଉନ୍ସ ବା ଆର୍ଥିକ ସହାୟତା ଶିକ୍ଷାଧିକାରୀ ଆଇନ ଅନୁସାରେ ଗୋଟିଏ ଥରରେ ପିଲାଙ୍କୁ ଦିଆଯିବାକୁ ସ୍ଥିର ହୋଇଛି।