ସ୍କୁଲ ଯାନବାହନ ଯାଞ୍ଚ କଡ଼ାକଡ଼ି: ଦୁଇ ଦିନରେ ୧ଲକ୍ଷ ୩୧ ହଜାର ଟଙ୍କା ଜରିମାନା

ସୋନପୁର: ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ସୁବର୍ଣ୍ଣପୁର ଜିଲ୍ଲାରେ ଗତ ଦୁଇଦିନ ‌ହେଲା ପରିବହନ ବିଭାଗ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ସ୍କୁଲ ଯାନବାହନ ଯାଞ୍ଚ କଡ଼ାକଡ଼ି କରାଯାଇଛି। ଗତ ଦୁଇଦିନ ମଧ୍ୟରେ ୧୧ଟି ଚଲାନ କଟାଯିବା ସହ ୧ ଲକ୍ଷ ୩୧ ହଜାର ଟଙ୍କା ଜରିମାନା କରାଯାଇଛି।

୮ଟିର ବିନା ଫିଟନେସ, ୫ଟିର ବିନା ପରମିଟ, ୮ଟିର ବିନା ବୀମା, ୩ଟିର ବିନା ଡ୍ରାଇଭିଂ ଲାଇସେନ୍ସ ପାଇଁ ଚଲାନ କଟାଯାଇଥିବା ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ ଶିବାଶିଷ ସାହୁ ସୂଚନା ଦେଇଛନ୍ତି। ଜିଲ୍ଲାରେ ଅନେକ ଘରୋଇ ସ୍କୁଲ ଖୋଲାଯାଇଛି। ଘରୋଇ ସ୍କୁଲଗୁଡ଼ିକ ଛାତ୍ରଛାତ୍ରୀଙ୍କୁ ନେବା ଆଣିବା ପାଇଁ ବସ ତଥା ଅନ୍ୟାନ ଯାନବାହନ ବ୍ୟବହାର କରୁଛନ୍ତି। ତେବେ ବିନା ଫିଟନେସ, ବିନା ବୀମା, ବିନା ପ୍ରମାଣପତ୍ରରେ ଦୀର୍ଘ ଦିନ ହେଲା କିଛି ସ୍କୁଲ ମାଲିକ ଛାତ୍ରଛାତ୍ରୀଙ୍କୁ ନେବା ଆଣିବା ପାଇଁ ବିଭିନ୍ନ ଯାନବାହନ ବ୍ୟବହାର କରୁଥିବା ଯାଞ୍ଚ ପରେ ସ୍ପଷ୍ଟ ହୋଇଛି। ଘରୋଇ ବିଦ୍ୟାଳୟ ଗୁଡ଼ିକ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟି ଦେଉନଥିବା ଏଥିରୁ ସ୍ପଷ୍ଟ ହୋଇଛି। ଆଗମୀ ଦିନରେ ଯାଞ୍ଚ ଆହୁରି କଡ଼ାକଡ଼ି କରାଯିବ ବୋଲି ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର