ଭୁବନେଶ୍ବର: ଗ୍ରୀଷ୍ମ ଛୁଟି ପରେ ଆସନ୍ତା ୧୮ ତାରିଖରେ ସ୍କୁଲ ଖୋଲିବ। ପ୍ରଥମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ପ୍ରଥମ ଦିନରେ ଯେପରି ମଧ୍ୟାହ୍ନଭୋଜନ ମିଳିବ ସେଦିଗରେ ପଦକ୍ଷେପ ନେବାକୁ ଆଜି ପିଏମ୍‌ ପୋଷଣର ରାଜ୍ୟ ନୋଡାଲ ଅଫିସର ରଘୁରାମ ଆର୍‌ ନାୟର ଆଜି ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ)ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ଦ୍ଦେଶନାମାରେ ସେ ଦର୍ଶାଇଛନ୍ତି ଯେ ପ୍ରଥମରୁ ୮ମ ଶ୍ରେଣୀରେ ପଢ଼ୁଥିବା ୬ରୁ ୧୪ ବର୍ଷ ବୟସର ପ୍ରତିଟି ଶିଶୁ ମଧ୍ୟାହ୍ନଭୋଜନ ପାଇବାକୁ ହକ୍‌ଦାର। ସ୍କୁଲର ଅବ୍ୟବସ୍ଥା ପାଇଁ ଛାତ୍ରଛାତ୍ରୀ ଯେପରି ସେମାନଙ୍କ ହକ୍‌ରୁ ବଞ୍ଚିତ ନ ହୁଅନ୍ତି ସେଥିପ୍ରତି ସ୍କୁଲ କର୍ତ୍ତୃପକ୍ଷମାନେ ଗୁରୁତ୍ବ ଦେବାକୁ କୁହାଯାଇଛି। ଛୁଟି ପୂର୍ବରୁ ମଧ୍ୟାହ୍ନଭୋଜନ ପାଇଁ ବଳକା ରହିଥିବା ଚାଉଳ, ତେଲ, ଡାଲି, ସୋୟାବଢ଼ି ସମେତ ମଧ୍ୟାହ୍ନଭୋଜନରେ ବ୍ୟବହୃତ ଅନ୍ୟାନ୍ୟ ସାମଗ୍ରୀଗୁଡ଼ିକ ଠିକ୍‌ ଅଛି କି ନାହିଁ ତାହାକୁ ଯାଞ୍ଚ କରିବାକୁ କୁହାଯାଇଛି। ରୋଷେୟା କିମ୍ବା ସ୍ବୟଂ ସହାୟକ ଗୋଷ୍ଠୀ(ଏସ୍‌ଏଚ୍‌ଜି)ଙ୍କୁ ରାନ୍ଧିବାକୁ ଦେବା ପୂର୍ବରୁ ଭଲ ଭାବେ ତାହାକୁ ଚାଖିବାକୁ ପରାମର୍ଶ ଦିଆଯାଇଛି।

Advertisment

ସାମଗ୍ରୀଗୁଡ଼ିକ ଯଦି ଖାଇବା ଯୋଗ୍ୟ ନ ଥିବ ସ୍କୁଲର ପ୍ରଧାନଶିକ୍ଷକମାନେ ତାହାକୁ ନଷ୍ଟ କରିବା ଦିଗରେ ପଦକ୍ଷେପ ନେବେ। ସିଆରସିସି ଓ ବିଇଓମାନେ ତାହାକୁ ଯାଞ୍ଚ କରିବେ ଏବଂ ସୁନିଶ୍ଚିତ କରାଇବେ। ପ୍ରଥମ ଦିନର ମଧ୍ୟାହ୍ନଭୋଜନରେ ଯେପରି କୌଣସି ପ୍ରକାର ଅବ୍ୟବସ୍ଥା ନ ହୁଏ ସେଥିପାଇଁ ଜିଲ୍ଲା ଓ ବ୍ଲକ ଶିକ୍ଷା ଅଧିକାରୀ ଓ ସିଆରସିସିମାନେ ନିୟମିତ ଭାବେ ଯାଞ୍ଚ କରିବେ। ରୋଷେଇ ହେଉଥିବା ସ୍ଥାନର ସ୍ବଚ୍ଛତା ବଜାୟ ରଖିବା ଉପରେ ଗୁରୁତ୍ବ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ରୋଷେୟା-ସହାୟକ, ପାନୀୟ ଜଳ ଓ ମଧ୍ୟାହ୍ନଭୋଜନ ଉପାଦାନ ସମ୍ପର୍କିତ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି ପାଳନ କରିବାକୁ ଡିଇଓମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।