ମାର୍ଗଦର୍ଶିକା ଜାରି; ଅବରୋଧ ଅଂଚଳ ବାହାରେ ଥିବା ସ୍କୁଲ ଖୋଲିବ

ଭୁବନେଶ୍ୱର: ରାଜ୍ୟରେ ଦଶମ ଓ ଦ୍ୱାଦଶ ଶ୍ରେଣୀର ପିଲାଙ୍କ ପାଇଁ ଆଜି ଗଣଶିକ୍ଷା ସଚିବ ସତ୍ୟବ୍ରତ ସାହୁ ତାରିଖ ଘୋଷଣା କରିବା ପରେ ସ୍କୁଲ ଖୋଲିବା ନେଇ ମାର୍ଗଦର୍ଶିକା ଜାରି ହୋଇଛି । ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ହୋଇଥିବା ମାର୍ଗଦଶିର୍କାରେ କୁହାଯାଇଛି ଯେ, ଅବରୋଧ ଅଂଚଳ ବାହାରେ ଥିବା ସ୍କୁଲ ଗୁଡ଼ିକ ଖୋଲିବ । ଅବରୋଧ ଅଂଚଳରେ ରହୁଥିବା ସ୍କୁଲ କର୍ମଚାରୀ, ଶିକ୍ଷକ ଓ ପିଲମାନେ ସ୍କୁଲକୁ ଆସିପାରିବେନି । କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲାପାଳମାନେ ସ୍କୁଲ ଖୋଲିବା ପାଇଁ ନିଷ୍ପତ୍ତି ନେବେ ।

ସୂଚନାଯୋଗ୍ୟ, ଆସନ୍ତା ୨୬ ତାରିଖ ଠାରୁ ସ୍କୁଲରେ ଅଫ୍‌ଲାଇନ୍‌ରେ ପାଠପଢ଼ା ଯିବ । ଦଶମ ଓ ଦ୍ୱାଦଶ ଶ୍ରେଣୀର ପିଲାମାନଙ୍କର ଅଫ୍‌ଲାଇନ୍ ପାଠପଢ଼ା ପାଇଁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଅନ୍‌ଲାଇନ୍ ମାଧ୍ୟମରେ ରାଜ୍ୟର କିଛି ସ୍ଥାନରେ ପାଠପଢ଼ା ଅସୁବିଧା ହେଉଥିବାରୁ ସରକାର ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଗଣଶିକ୍ଷା ସଚିବ ସତ୍ୟବ୍ରତ ସାହୁ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ।

ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟ ଖୋଲିବ । ଗଣଶିକ୍ଷା ସଚିବ କହିଛନ୍ତି, ସ୍କୁଲକୁ ଆସିବା ପିଲାମାନଙ୍କର ଇଚ୍ଛାଧୀନ ରହିବ । କାରଣ ୟୁଟ୍ୟୁବ୍‌ରେ କ୍ଲାସ ଜାରି ରହିବ । ଯେଉଁମାନେ ସ୍କୁଲ ଆସିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି, ସେମାନେ ଅନ୍‌ଲାଇନ୍‌ରେ କ୍ଲାସ କରିବେ । ଅନ୍ୟପଟରେ ସ୍କୁଲ ଖୋଲିବା ନିଷ୍ପତ୍ତି ଜିଲ୍ଲାପାଳଙ୍କ ଉପରେ ରହିବ । କରୋନା ସଂକ୍ରମଣ ସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ସ୍କୁଲ ଖୋଲିବା ବା ବନ୍ଦ କରିବା ନିଷ୍ପତ୍ତି ନେବେ । ସ୍କୁଲ ଗୁଡ଼ିକ ସକାଳ ୧୦ଟାରୁ ଅପରାହ୍ନ ୧ଟା ୩୦ ଯାଏ ଖୋଲିବ । ଖେଳ ଛୁଟି ହେବନି । ପିଲାମାନେ ଛୁଟିରେ ଯିବା ପରେ ଘରେ ମଧ୍ୟାହ୍ନ ଭୋଜନ କରିବେ । ରବିବାର ଓ ସମସ୍ତ ସରକାରୀ ଛୁଟି ଦିନରେ ବିଦ୍ୟାଳୟ ବନ୍ଦ ରହିବ । ବିଦ୍ୟାଳୟରେ କୋଭିଡ କଟକଣାକୁ ବାଧ୍ୟତାମୂଳକ ଭାବେ ପାଳନ କରାଯିବ । ସେହିପରି ସ୍କୁଲ ଖୋଳିବା ପୂର୍ବରୁ ଏହାକୁ ସାନିଟାଇଜ କରାଯିବ ।

ସମ୍ବନ୍ଧିତ ଖବର