ଜାନୁଆରି ୮ରୁ ଖୋଲିବ ସ୍କୁଲ, କେବଳ ଦଶମ ଓ ଦ୍ବାଦଶ ଶ୍ରେଣୀ ପିଲା ସ୍କୁଲ ଯିବେ

୧୦୦ ଦିନ ପାଠପଢ଼ା ହେବ

ଶନିବାର ଓ ରବିବାର ବି ସ୍କୁଲ ଖୋଲା ରହିବ
ଅନ୍‌ଲାଇନ୍ ଓ ଅଫ୍‌ଲାଇନ୍‌ରେ ପାଠପଢ଼ା ହେବ

ଭୁବନେଶ୍ବର : କୋଭିଡ୍‌ କଟକଣା ଯୋଗୁଁ ଶିକ୍ଷାନୁଷ୍ଠାନଗୁଡ଼ିକ ମାର୍ଚ୍ଚ ମାସରୁ ବନ୍ଦ ଥିବା ବେଳେ ଆସନ୍ତା ୮ତାରିଖରୁ ସ୍କୁଲ ଖୋଲିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ତେବେ କେବଳ ଦଶମ ଓ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀ ସ୍କୁଲ ‌ଯିବେ। ଆସନ୍ତା ମେ’ ମାସରେ ହେବାକୁ ଥିବା ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା ସହ ସର୍ବଭାରତୀୟ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ କରିବାକୁ ଏହି ନିଷ୍ପତ୍ତି ନିଆଯାଇଛି। କିନ୍ତୁ ବାକି ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ଅନଲାଇନ୍‌ରେ ପାଠପଢ଼ା ଜାରି ରହିବ। ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା ଦେବା ପାଇଁ ପ୍ରସ୍ତୁତ ହେଉଥିବା ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ନିମନ୍ତେ ଜାନୁଆରି ୮ରୁ ଏପ୍ରିଲ ୨୬ତାରିଖ ପର୍ଯ୍ୟନ୍ତ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା ଦେବା ପାଇଁ ଦ୍ବାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କର ପାଠପଢ଼ା ଜାନୁଆରି ୮ରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ହେବ। ଉପରୋକ୍ତ ନିର୍ଘଣ୍ଟ ଅନୁସାରେ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ପାଇଁ ଶନିବାର/ରବିବାରକୁ ମିଶାଇ ୧୦୦ ଦିନ ପାଠପଢ଼ା ହେବ। ଆବଶ୍ୟକସ୍ଥଳେ ଅନ୍ୟଦିନକୁ ଛୁଟି ଦିନ ଘୋଷଣା କରାଯିବ। ସେହିପରି ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ଯେପରି କୋଭିଡ୍‌ କଟକଣା ଅନୁଯାୟୀ ସ୍କୁଲ ଆସିବେ ଓ ପାଠପଢ଼ା ହେବ ସେଥିପାଇଁ ଏକ ବିସ୍ତୃତ ମାର୍ଗଦର୍ଶିକା (ଏସ୍‌ଓପି) ଜାରି ହୋଇଛି। ଏହି ଏସ୍‌ଓପି ଅନୁଯାୟୀ ସରକାରୀ ଅନୁଦାନପ୍ରାପ୍ତ ଓ ଘରୋଇ ଶିକ୍ଷାନୁଷ୍ଠାନଗୁଡ଼ିକ ଖୋଲିବ।

ଆସନ୍ତା ୮ତାରିଖରୁ ସ୍କୁଲ ଖୋଲିଲେ କିପରି ଛାତ୍ରଛାତ୍ରୀ, ଶିକ୍ଷକଶିକ୍ଷୟିତ୍ରୀ ସ୍କୁଲ ଆସିବେ, ସ୍କୁଲରେ କି ପ୍ରକାରର ଭିତ୍ତିଭୂମି ଥିବା ଦରକାର, କିପରି କରୋନା ସଂକ୍ରମଣ ହେବନି, ଶିକ୍ଷକଶିକ୍ଷୟିତ୍ରୀ ଓ ଅଭିଭାବକଙ୍କ ଦାୟିତ୍ବ କ’ଣ ରହିବ ସେନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏସ୍‌ଓପି ଜାରି ହୋଇଛି। କେବଳ କଣ୍ଟେନମେଣ୍ଟ ଜୋନ୍‌ ବାହାରେ ସ୍କୁଲ ଖୋଲିବ। ଉଭୟ ଅନଲାଇନ୍ ଓ ଅଫଲାଇନ୍ ମୋଡ୍‌ରେ ପାଠପଢ଼ା ହେବ। ଛାତ୍ରଛାତ୍ରୀ ସେମାନଙ୍କ ଇଚ୍ଛା ଅନୁଯାୟୀ କ୍ଲାସ୍‌ କରିବେ। କାହାକୁ ସ୍କୁଲ ଆସିବାକୁ ବାଧ୍ୟ କରାଯିବନି। ଯେଉଁ ଛାତ୍ରଛାତ୍ରୀ ସ୍କୁଲ ଆସିବେ ସେମାନଙ୍କ ଅଭିଭାବକମାନେ ଏନେଇ ଲିଖିତ ଭାବେ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଜଣାଇବେ। ଏବେ ଯେପରି ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ସ୍କୁଲ ଖୋଲାଯାଉଛି ସେହିପରି ସ୍କୁଲ ଖୋଲିବ। ଯଦି କୌଣସି ସ୍ଥାନରେ ବ୍ୟତିକ୍ରମ ହେବ ସେନେଇ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳ ନିଷ୍ପତ୍ତି ନେବେ।

ବିଭିନ୍ନ ସେକ୍ସନ ଓ କ୍ଲାସ୍‌ ପାଇଁ ଭିନ୍ନ ଭିନ୍ନ ସମୟରେ ଖେଳ ଛୁଟି ହେବ। ଅଧିକ ପିଲା ଯେପରି ଏକାଠି ହେବେନି ସେନେଇ ସ୍କୁଲ କର୍ତ୍ତୃପକ୍ଷ ପଦକ୍ଷେପ ନେବେ। ସ୍କୁଲ ଖୋଲାହୋଇଥିବା ଅଞ୍ଚଳକୁ ଯଦି କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଏ, ତାହାହେଲେ ସେଠାରେ ସ୍କୁଲଗୁଡ଼ିକୁ ତୁରନ୍ତ ବନ୍ଦ କରାଯିବ। କଣ୍ଟେନମେଣ୍ଟ ଜୋନ୍‌ରୁ ପିଲା କି ଶିକ୍ଷକଶିକ୍ଷୟିତ୍ରୀ, କର୍ମଚାରୀ ସ୍କୁଲକୁ ଆସିବେନି।
ସ୍କୁଲ ଖୋଲିବା ପୂର୍ବରୁ ସ୍କୁଲର ସମସ୍ତ ସ୍ଥାନ ଯଥା ଆସବାବପତ୍ର, ଲାଇବ୍ରେରି, ଲାବୋରେଟୋରି, ପାଣି ଟାଙ୍କି, ‌ରୋଷେଇ ଘର, ଶୌଚାଳୟ ଏବଂ ସର୍ବସାଧାରଣ ବ୍ୟବହାର ସ୍ଥାନଗୁଡ଼ିକୁ ବିଶୋଧନ କରାଯିବ। ସ୍କୁଲରେ ସମସ୍ତଙ୍କ ପାଇଁ ଆବଶ୍ୟକ ପାନୀୟ ଜଳ ଓ ଶୌଚାଳୟ ବ୍ୟବସ୍ଥା କରି ସ୍କୁଲ ଖୋଲିବାକୁ କୁହାଯାଇଛି। ଏହି ବ୍ୟବସ୍ଥା ନଥିଲେ ସ୍କୁଲ ଖୋଲିବ ନାହିଁ। ତେବେ ହଷ୍ଟେଲରେ ରହିବାକୁ ଅନୁମତି ମିଳିବନି। ହଷ୍ଟେଲ ଖୋଲିବା ପାଇଁ ଖୁବ୍‌ ଶୀଘ୍ର ଏସ୍‌ଓପି ଜାରି ହେବ। ଯେଉଁ ସ୍କୁଲଗୁଡ଼ିକ ପିଲାଙ୍କୁ ସ୍କୁଲ୍‌ ବସ୍‌ ଓ ଅନ୍ୟାନ୍ୟ ଗାଡ଼ିରେ ନେବାଆଣିବା କରୁଛନ୍ତି ତାହାକୁ ଏବେ ଉତ୍ସାହିତ ନକରିବାକୁ କୁହାଯାଇଛି। ଯଥାସମ୍ଭବ ଅଭିଭାବକମାନେ ପିଲାଙ୍କୁ ସ୍କୁଲକୁ ନେବା ଆଣିବା କରିବେ। ‌ଆବଶ୍ୟକସ୍ଥଳେ ସ୍କୁଲ ବସ୍‌ରେ ୫୦% ପିଲା ଯାତାୟାତ କରିବେ।

ସ୍କୁଲ ଭିତରକୁ ପିଲାଙ୍କ ପ୍ରବେଶ ଓ ପ୍ରାର୍ଥନା ପାଇଁ ୬ଫୁଟ ଦୂରତାରେ ବୃତ୍ତାକାର ଚିହ୍ନ ଅଙ୍କାଯିବ। ଶ୍ରେଣୀଗୃହ, ଲାଇବ୍ରେରି, କାଫେଟେରିଆ, କ୍ୟାଣ୍ଟିନରେ ପିଲା ଓ ଶିକ୍ଷକମାନଙ୍କ ମଧ୍ୟରେ ଯେପରି ସାମାଜିକ ଦୂରତା ରହିବ ତା’ର ବ୍ୟବସ୍ଥା ସ୍କୁଲ କର୍ତ୍ତୃପକ୍ଷ କରିବେ। ଗୋଟିଏ ଶ୍ରେଣୀଗୃହରେ ସର୍ବାଧିକ ୨୦ରୁ ୨୫ଜଣ ପିଲାଙ୍କୁ ପଢ଼ାଇବା ବ୍ୟବସ୍ଥା କରାଯିବ। କୌଣସି ବୁଲା ଦୋକାନୀ ସ୍କୁଲ ପରିସରରେ ଖାଦ୍ୟ ବିକ୍ରି କରିପାରିବେନି। ନିୟମିତ ସ୍କୁଲର ସଫେଇ ଓ ବିଶୋଧନ ହେବ। ସ୍କୁଲର ବିଭିନ୍ନ ସ୍ଥାନରେ କୋଭିଡ୍‌ ସମ୍ପର୍କିତ ହେଲ୍‌ପଲାଇନ୍ ନମ୍ବର ଲେଖାଯିବ। ଗୋଟିଏ ପୃଥକାବାସ ଗୃହ ରହିବ। ସ୍କୁଲ ବିଶୋଧନ ଓ ସଫେଇ ପାଇଁ ଆବଶ୍ୟକ ସାମଗ୍ରୀ ଏସ୍‌ଏସ୍‌ଏ ଅଧୀନସ୍ଥ ସ୍କୁଲ ଅନୁଦାନରୁ ଖର୍ଚ୍ଚ ହେବ। ସ୍କୁଲରେ କୌଣସି କାର୍ଯ୍ୟକ୍ରମ, ଏପରିକି ଖେଳ ମଧ୍ୟ ହେବନି।

ସ୍କୁଲ ଖୋଲିବା ପୂର୍ବରୁ ସ୍କୁଲ ପରିଚାଳନା କମିଟି ଓ ଇଚ୍ଛୁକ ଅଭିଭାବକମାନଙ୍କୁ ନେଇ ଏକ ବୈଠକ ହେବ। ପ୍ରତି ସ୍କୁଲରେ କୋଭିଡ୍‌ ମନିଟରିଂ ଟିମ୍‌ ଗଠନ ହେବ। ଏଥିରେ ଜଣେ ଶିକ୍ଷକ, ଜଣେ ଅଭିଭାବକ ରହିବେ। ଏହି ଟିମ୍‌ ସ୍କୁଲ ଖୋଲା ହେବାର ୩୦ମିନିଟ ପୂର୍ବରୁ ଏବଂ ସ୍କୁଲ ଛୁଟି ହେବାର ୩୦ମିନିଟ ବିଳମ୍ବ ପର୍ଯ୍ୟନ୍ତ ସ୍କୁଲରେ ରହି ସମସ୍ତ ବ୍ୟବସ୍ଥା ଯାଞ୍ଚ କରିବେ। ସ୍କୁଲକୁ ସମସ୍ତେ ମାସ୍କ ପିନ୍ଧି ଆସିବା ବାଧ୍ୟତାମୂଳକ କରାଯାଇଛି। ସ୍କୁଲ ପରିସରରେ ହାତ ଧୋଇବା ଓ ବିଶୋଧନ କରିବା ପାଇଁ ବିଶୋଧକ ବ୍ୟବସ୍ଥା କରାଯିବ। କୋଭିଡ୍‌ କଟକଣା ଅନୁଯାୟୀ କେମିତି କାଶିବେ, ଛିଙ୍କିବେ, କଫ ଓ ଛେପ ପକାଇବେ ତାହା ଶିଖାଯିବ। ଛାତ୍ରଛାତ୍ରୀ ଯେପରି ନିଜର ବହି, ଖାତା, ଟିଫିନ୍‌ ଅନ୍ୟମାନଙ୍କୁ ଦେବେନି ସେନେଇ ମଧ୍ୟ ସ୍କୁଲ କର୍ତ୍ତୃପକ୍ଷ ସଚେତନ କରିବେ। ସ୍କୁଲରେ କାହାର ଦେହ ଖରାପ ହେଲେ କି କିଛି ସମସ୍ୟା ହେଲେ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ର ସହ ଯୋଗାଯୋଗ କରିବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର