ସୂର୍ଯ୍ୟନାରାୟଣ ଲେଙ୍କା
ରାଜନଗର: ସ୍କୁଲର ଚକାଚକ୍ ଶ୍ରେଣୀଗୃହ ଅଛି। ପାଠ ପଢ଼ିବାକୁ ଛାତ୍ରଛାତ୍ରୀ ଅଛନ୍ତି। ମାତ୍ର ବିଦ୍ୟାଳୟରେ ଜଣେ ହେଲେ ବି ଶିକ୍ଷକ ନାହାନ୍ତି। ଦିନେ କି ଦୁଇ ଦିନ ନୁହେଁ, ୭୮ଦିନ ହେଲା ବିଦ୍ୟାଳୟରେ ପାଠପଢ଼ା ବନ୍ଦ ହେବା ସହିତ ସ୍କୁଲରେ ତାଲା ପଡ଼ିଛି। ଚଳିତ ବର୍ଷ ଏହି ଅନୁଷ୍ଠାନକୁ ୧୦୦ ବର୍ଷ ପୂରୁଥିବା ବେଳେ ଶତବାର୍ଷିକୀ ଉତ୍ସବ ପାଳନ ପୂର୍ବରୁ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର ସାମନାକୁ ଆସିଛି।କେନ୍ଦ୍ରାପଡ଼ାଜିଲ୍ଲା ରାଜନଗର ବ୍ଲକ୍ ମୁଖ୍ୟାଳୟରେ ରହିଛି ଶୈଳେନ୍ଦ୍ର ନାରାୟଣ ସଂସ୍କୃତ ବିଦ୍ୟାପୀଠ। ୧୯୨୬ ମସିହାରେ ଏହି ବିଦ୍ୟାପୀଠ ସ୍ଥାପନ ହୋଇଥିଲା। ରାଜ୍ୟର ଅନ୍ୟତମ ନାମକରା ବିଦ୍ୟାପୀଠ ଭାବେ ଏହାର ସୁନାମ ଥିଲା। ଷଷ୍ଠ ଶ୍ରେଣୀରୁ ଦଶମ ଯାଏଁ ପାଠପଢ଼ା ହେଉଥିଲା। ଏହି ବିଦ୍ୟାଳୟରେ ୩ଜଣ ପଣ୍ଡିତ ନିଯୁକ୍ତି ପାଇଥିଲେ। ୨୦୨୩ରେ ସରକାର ପ୍ରଥମା ବା ଷଷ୍ଠ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ଯାଏଁ ପାଠପଢ଼ାକୁ ସମସ୍ତ ସଂସ୍କୃତ ବିଦ୍ୟାପୀଠରୁ ଉଠାଇ ଦେଲେ। ଏହାପରେ ଏହି ବିଦ୍ୟାପୀଠର ପଣ୍ଡିତ ଜ୍ଞାନେନ୍ଦ୍ର ମିଶ୍ର ଡେପୁଟେସନ୍ରେ କେନ୍ଦ୍ରାପଡ଼ା ବ୍ଲକ୍ରେ ଥିବା ସଂସ୍କୃତ ବିଦ୍ୟାପୀଠକୁ ଯାଇଛନ୍ତି। ମୁଖ୍ୟ ପଣ୍ଡିତ ସଚୀନ୍ଦ୍ର କୁମାର ପରିଡ଼ା ଓ ସହକାରୀ ପଣ୍ଡିତ ସୁରମା ନନ୍ଦ ମଧ୍ୟମାରେ ନବମ ଓ ଦଶମ ଶ୍ରେଣୀରେ ପାଠ ପଢ଼ାଉଥିଲେ।
ଚଳିତ ବର୍ଷ ମେ ୩୧ ତାରିଖରେ ମୁଖ୍ୟ ପଣ୍ଡିତ ଓ ସହକାରୀ ପଣ୍ଡିତ ଏକା ସାଙ୍ଗରେ ଅବସର ନେଇଛନ୍ତି। ମେ ୩୧ ତାରିଖ ଠାରୁ ଏହି ବିଦ୍ୟାଳୟରେ ପାଠପଢ଼ା ବନ୍ଦ ରହିଛି। ଏହି ସଂସ୍କୃତ ବିଦ୍ୟାପୀଠରେ ନବମରେ ୧୦ ଜଣ ଓ ଦଶମରେ ୧୧ଜଣ ଛାତ୍ରଛାତ୍ରୀ ଅଛନ୍ତି। ମେ’ ୩୧ ତାରିଖରେ ଖରା ଛୁଟି ଚାଲିଥିଲା। ଜୁନ ୧୭ରେ ବିଦ୍ୟାଳୟ ଖୋଲିବା ପରେ ଛାତ୍ରଛାତ୍ରୀ ବିଦ୍ୟାଳୟକୁ ପଢ଼ିବାକୁ ଆସିବା ପରେ ବିଦ୍ୟାଳୟକୁ କେବଳ ପିଅନ ଜଗି ରହିଥିବା ଦେଖିଥିଲେ। ଜୁନ ୧୭ରୁ ଆଜି ପର୍ଯ୍ୟନ୍ତ ଏହି ବିଦ୍ୟାପୀଠରେ ପାଠପଢ଼ା ବନ୍ଦ ରହିଛି। ଫଳରେ ୨୧ଜଣ ପିଲାଙ୍କ ଭବିଷ୍ୟତ ଅନ୍ଧକାର ମଧ୍ୟକୁ ଠେଲି ହୋଇଯାଇଛି। ବିଦ୍ୟାଳୟ ଶିକ୍ଷକ ଶୂନ୍ୟ ହୋଇଯିବା ପରେ କେନ୍ଦ୍ରାପଡ଼ା ସାନମାଣତିଆସ୍ଥିତ ରାମଦାସ ସଂସ୍କୃତ ବିଦ୍ୟାପୀଠର ମୁଖ୍ୟ ପଣ୍ଡିତଙ୍କୁ ବିଦ୍ୟାଳୟର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ସେ ୧୦/୧୫ ଦିନରେ ବିଦ୍ୟାଳୟକୁ କେବଳ କାଗଜପତ୍ର କାମ କରିବାକୁ ଆସୁଛନ୍ତି। ଏହି ବିଦ୍ୟାପୀଠଟି ସଂସ୍କୃତ ଶିକ୍ଷା ଅଧୀକ୍ଷକ ପୁରୀଙ୍କ ଦାୟିତ୍ୱରେ ଥିବାରୁ ଏଠାରେ ଶିକ୍ଷକ ନିଯୁକ୍ତି କଥା ଶିକ୍ଷା ବିଭାଗ ବୁଝୁନଥିବା ଜଣାପଡ଼ିଛି। ଏହି ବିଦ୍ୟାପୀଠରେ ନିଯୁକ୍ତି ପାଇଥିବା ଜଣେ ଶିକ୍ଷକ ଏହି ବିଦ୍ୟାଳୟ ପାଇଁ ଦରମା ପାଉଥିବା ବେଳେ କେନ୍ଦ୍ରାପଡ଼ା ଡେପୁଟେସନରେ ଯିବା ଓ ରାଜନଗର ସଂସ୍କୃତ ବିଦ୍ୟାପୀଠ ୭୮ଦିନ ହେଲା ତାଲା ଝୁଲିବା ଘଟଣା ରାଜନଗରରେ ଆଲୋଡ଼ନ ସୃଷ୍ଟି କରିଛି।