ବେତନଟୀ/ବୈଶିଙ୍ଗା : ସ୍କୁଲରୁ ଫେରୁଥିବାବେଳେ ଜଣେ ଛାତ୍ରୀଙ୍କୁ ବାଟରୁ ଉଠାଇ ନେଇ ଜଙ୍ଗଲରେ ଦୁଷ୍କର୍ମ। ଏହି ଘଟଣାରେ ଅଭିଯୁକ୍ତକୁ ଗାଁ ଲୋକେ କାବୁ କରିଥିଲେ ମଧ୍ୟ ସେ ଚକ୍ମା ଦେଖାଇ ଖସି ପଳାଇଥିଲା। ପରେ ତାକୁ ବାଲେଶ୍ବର ଜିଲ୍ଲାର ଜଳେଶ୍ବର ଅଞ୍ଚଳରୁ ପୁଲିସ ଗିରଫ କରିଥିବା ଜଣାପଡ଼ିଛି। ଅଭିଯୁକ୍ତ ହେଲା ବୈଶିଙ୍ଗା ଥାନା ସାରଦା ମଠସାହିର ହରିଶ୍ଚନ୍ଦ୍ର ସିଂ (୩୭)।
ରବିବାର ଅପରାହ୍ନ ପ୍ରାୟ ୪ଟା ସମୟରେ ଜନୈକା ଛାତ୍ରୀ ଏକୁଟିଆ ସ୍କୁଲରୁ ଘରକୁ ଫେରୁଥିବା ବେଳେ ଅଭିଯୁକ୍ତ ହରିଶ୍ଚନ୍ଦ୍ର ତାଙ୍କୁ ବାଟରୁ ଉଠାଇ ନେଇ ପାଖ ଜଙ୍ଗଲରେ ଦୁଷ୍କର୍ମ କରିଥିଲା। ଛାତ୍ରୀଙ୍କ ପାଟି ଶୁଣି ପାଣିଶୋଳ ଗ୍ରାମର କିଛି ଯୁବକ ଓ ଗ୍ରାମବାସୀ ସେଠାକୁ ଧାଇଁ ଯାଇଥିଲେ। ଗାଁ ଲୋକେ ହରିଶ୍ଚନ୍ଦ୍ରକୁ ଧରିବା ସହିତ ତାକୁ ବହେ ଛେଚିଥିଲେ। ପୁଲିସକୁ ହସ୍ତାନ୍ତର ପାଇଁ ଯୋଜନା କରାଯିବାବେଳେ ଅଭିଯୁକ୍ତ କୌଶଳକ୍ରମେ ଖସି ପଳାଇଥିଲା। ବୈଶିଙ୍ଗା ଥାନା ଆଇଆଇସି ଲକ୍ଷ୍ମୀଧର ସ୍ବାଇଁ ଓ ଏଏସ୍ଆଇ ସୁଶାନ୍ତ ମହାକୁଡଙ୍କୁ ନେଇ ଗଠିତ ପୁଲିସ ଟିମ୍ ଗ୍ରାମବାସୀଙ୍କ ସୂଚନା ଆଧାରରେ ଅଭିଯୁକ୍ତ ହରିଶ୍ଚନ୍ଦ୍ରକୁ ଜଳେଶ୍ବରଠାରୁ ଗିରଫ କରିଥିଲେ। ଏ ନେଇ ବୈଶିଙ୍ଗାରେ ଏକ ମାମଲା ରୁଜୁ ହୋଇଥିବାବେଳେ ପୀଡ଼ିତା ଛାତ୍ରୀ ଓ ଅଭିଯୁକ୍ତର ଡାକ୍ତରୀ ପରୀକ୍ଷା କରାଯାଇଛି। ହରିଶ୍ଚନ୍ଦ୍ର ବିବାହିତ ବୋଲି ଜଣାପଡ଼ିଛି। ଆସନ୍ତାକାଲି ତାକୁ ବାରିପଦା ପୋକ୍ସୋ କୋର୍ଟରେ ହାଜର କରାଯିବ ବୋଲି ଥାନା ଆଇଆଇସି ଲକ୍ଷ୍ମୀଧର ସ୍ବାଇଁ ସୂଚନା ଦେଇଛନ୍ତି।