୩ରୁ ନୂତନ ଶିକ୍ଷାବର୍ଷରେ ପାଠପଢ଼ା
୬ରେ ପୂର୍ଣ୍ଣ ଉପସ୍ଥାନ ଦିବସ, ପାଠ୍ୟପୁସ୍ତକ ବଣ୍ଟନ
ଭୁବନେଶ୍ୱର : ୬ରୁ ୧୪ ବର୍ଷ ବୟସର ସମସ୍ତ ପିଲାଙ୍କୁ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଯୋଗାଇଦେବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଉଦ୍ୟମ ଜାରି ରହିଛି। ଏପ୍ରିଲ ୩ରୁ ୨୦୧୮-୧୯ ଶିକ୍ଷାବର୍ଷ ଆରମ୍ଭ ହେବାକୁ ଥିବା ବେଳେ ୨ ତାରିଖରେ ସମସ୍ତ ବିଦ୍ୟାଳୟରେ ପାଳିତ ହେବ ପ୍ରବେଶ ଉତ୍ସବ। ଉକ୍ତ ବୟସର ଯେଉଁ ପିଲାମାନେ ନାମ ଲେଖାଇବାକୁ ଥିବେ, ପାଠପଢ଼ା ଅଧାରୁ ଛାଡ଼ିଥିବେ କିମ୍ବା ଆଦୌ ନାମ ଲେଖାଇ ନ ଥିବେ ସେମାନଙ୍କୁ ବିିଦ୍ୟାଳୟକୁ ଆଣିବା ଲାଗି ଏହା ଏକ ପ୍ରୟାସ। ଏହି ଉତ୍ସବ ମାଧ୍ୟମରେ ପିତାମାତା, ଅଭିଭାବକ ଓ ଲୋକଙ୍କ ମଧ୍ୟରେ ପ୍ରାଥମିକ ଶିକ୍ଷାର ଗୁରୁତ୍ୱ ଓ ଆବଶ୍ୟକତା ବିଷୟରେ ସଚେତନତା ସୃଷ୍ଟି କରାଯିବ। ଶିକ୍ଷା ଅଧିକାରୀ ନିୟମ-୨୦୧୦ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇବା, ବିିଦ୍ୟାଳୟ ତଥା ଶିଶୁଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ମନରେ ଆଗ୍ରହ ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କହିଛନ୍ତି।
ଏପ୍ରିଲ ୨ରେ ହେବାକୁ ଥିବା ଉତ୍ସବରେ ବିଦ୍ୟାଳୟର ପ୍ରଧାନଶିକ୍ଷକ, ଶିକ୍ଷକ/ଶିକ୍ଷୟିତ୍ରୀ, ଷ୍ଟାଣ୍ଡିଂ କମିଟିର ସଦସ୍ୟ, ବିଦ୍ୟାଳୟ ପରିଚାଳନା ସମିତିର ସଭ୍ୟ ଓ ସଭ୍ୟା, ପିତାମାତା ସଂଘ, ମାତୃମଞ୍ଚ, ସ୍ଥାନୀୟ ସ୍ୱେଚ୍ଛାସେବୀ ସଙ୍ଗଠନ, ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ବେସରକାରୀ ଅନୁଷ୍ଠାନ, ଅଙ୍ଗନଓ୍ଵାଡ଼ି କର୍ମୀ, ସ୍ୱାସ୍ଥ୍ୟ କର୍ମୀ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରତିନିଧି, ଶିକ୍ଷାବିତ୍ ଏବଂ ପିଲାଙ୍କୁ ନେଇ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହେବ। ସ୍ଲୋଗାନ୍, ପ୍ଲାକାର୍ଡ ମାଧ୍ୟମରେ ପ୍ରଚାର କରାଯିବ। ଶୋଭାଯାତ୍ରା ପରେ ବିଦ୍ୟାଳୟ ପରିଚାଳନା ସମିତିର ଅଧ୍ୟକ୍ଷ/ଅଧ୍ୟକ୍ଷାଙ୍କ ସଭାପତିତ୍ୱରେ ଏକ ସଭାର ଆୟୋଜନ କରାଯାଇ ବିଭିନ୍ନ ସଙ୍ଗଠନ/ବ୍ୟକ୍ତିବିଶେଷ ବିଦ୍ୟାଳୟର ଆଖପାଖରେ ଥିବା ଗ୍ରାମ ଓ ପଡ଼ାର ପିଲାଙ୍କ ତାଲିକା ପ୍ରସ୍ତୁତ କରିବେ। ପିଲାଙ୍କ ନାମଲେଖା ବିଦ୍ୟାଳୟରେ କରିବା ଲାଗି ଛାତ୍ରଛାତ୍ରୀଙ୍କୁ ବୁଝାଇବେ। ଏପ୍ରିଲ୍ ୫ ପର୍ଯ୍ୟନ୍ତ ଏହି ଉତ୍ସବ ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ ଚାଲୁ ରହିବ। ଏପ୍ରିଲ ୬ରେ ବିଦ୍ୟାଳୟରେ ‘ପୂର୍ଣ୍ଣ ଉପସ୍ଥାନ ଦିବସ’ ପାଳନ କରାଯିବ। ଏହି ଦିନ ବିିଦ୍ୟାଳୟରେ ନାମ ଲେଖାଉଥିବା ପିଲାଙ୍କୁ ଫୁଲ, ଚନ୍ଦନ ଦେଇ ସ୍ୱାଗତ କରାଯାଇ ପାଠ୍ୟପୁସ୍ତକ ବଣ୍ଟନ କରାଯିବ। ଏଦିଗରେ ପଦକ୍ଷେପ ନେବାକୁ ଗଣଶିକ୍ଷା ସଚିବ ଶ୍ରୀ ମହାପାତ୍ର ସମସ୍ତ ଜିଲ୍ଲାପାଳମାନଙ୍କ ନିକଟକୁ ଚିଠି ଲେଖିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/03/sch.jpg)