ବିଧାୟକ ପାଣ୍ଠିରେ ଏସ୍‌ଏଚ୍‌ଜିଙ୍କଠୁୁ ମାସ୍କ କିଣିହେବ
ସହିଦ୍‌ କୋଭିଡ୍‌ ଯୋଦ୍ଧାଙ୍କ ଆତ୍ମୀୟଙ୍କୁ ଶୁକ୍ରବାର ସୁଦ୍ଧା ବ୍ୟକ୍ତିଗତ ପାଉଣା
ଆଜି କୋରାପୁଟରେ ପ୍ଲାଜ୍‌ମା ବ୍ୟାଙ୍କ୍‌ ଖୋଲିବ

Advertisment

ଭୁବନେଶ୍ୱର : ବର୍ତ୍ତମାନ ପରିସ୍ଥିତିରେ ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କ ଉଦ୍‌ବେଗକୁ ଦୃଷ୍ଟିରେ ରଖି ସ୍କୁଲ କଲେଜ ପୂଜା ଛୁଟି ପର୍ଯ୍ୟନ୍ତ ବନ୍ଦ ରହିବ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫରେନ୍ସିଂ ଜରିଆରେ ରାଜ୍ୟରେ କୋଭିଡ୍ ପରିଚାଳନା ସମୀକ୍ଷା ବେଳେ ଏଭଳି ଏକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି। ଫଳରେ ଅନ୍‌ଲକ୍-୪ରେ ସ୍କୁଲ, କଲେଜ ଖୋଲିବା ନେଇ ଯେଉଁ କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା, ସେଥିରେ ପରିସମାପ୍ତି ଘଟିଛି। କେନ୍ଦ୍ର ସରକାର ଏ ସଂକ୍ରାନ୍ତ ନିଷ୍ପତ୍ତି ନେଲେ ବି ରାଜ୍ୟରେ ସ୍କୁଲ, କଲେଜ ଖୋଲିବାର ନାହିଁ।

ଏହି ଅବସରରେ ଗ୍ରାମ୍ୟ ଅର୍ଥନୀତିର ପୁନଃରୁଦ୍ଧାର ପାଇଁ ଅଧିକ ଋଣ ସହାୟତା, ଏମ୍‌ଏସ୍‌ଏମ୍ଇ, କୃଷି, ମତ୍ସ୍ୟ ଓ ପଶୁପାଳନ ଏବଂ ସ୍ବୟଂ ସହାୟକ ଗୋଷ୍ଠୀ ଉପରେ ଅଧିକ ଫୋକସ୍‌ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ କୋଭିଡ ପରିସ୍ଥିତି ଯୋଗୁ ଅନ୍ୟ ରାଜ୍ୟରୁ ଆସିଥିବା ବ୍ୟକ୍ତି ଯେପରି ଓଡିଶାରେ ରୋଜଗାର ପାଇପାରିବେ, ସେଥିପାଇଁ ସେମାନଙ୍କୁ ଛୋଟ ଛୋଟ ବ୍ୟବସାୟ ପାଇଁ ରିହାତିରେ ଋଣ ଯୋଗାଇ ଦିଆଯିବ। ନିର୍ମାଣ ଶ୍ରମିକ ଯୋଜନାରେ ସେମାନଙ୍କର ଦକ୍ଷତା ନିରୂପଣ ଓ ପଞ୍ଜୀକରଣ ସୁବିଧା କରିବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ। ମାସ୍କ ତିଆରିରେ ନିୟୋଜିତ ଥିବା ସ୍ବୟଂ ସହାୟକ ଗୋଷ୍ଠୀର ମା’ ମାନେ ଯେଭଳି ଏହି ସମୟରେ ରୋଜଗାର କରିପାରିବେ, ସେଥିପାଇଁ ବିଧାୟକ ଆଞ୍ଚଳିକ ବିକାଶ ପାଣ୍ଠି ଅର୍ଥରେ ମାସ୍କ କିଣାଯାଇ ପାରିବ। ଗ୍ରାମାଞ୍ଚଳରେ ନିର୍ମାଣ କାର୍ଯ୍ୟ ବିଶେଷ କରି ଗୃହ ନିର୍ମାଣ କାମ ଉପରେ ଅଧିକ ଗୁରୁତ୍ବ ଦେବାକୁ ମଧ୍ୟ ପରାମର୍ଶ ଦେଇଥିଲେ।

କୋଭିଡ ପରିଚାଳନା ସଂପର୍କରେ ମୁଖ୍ୟମନ୍ତ୍ରୀ କହିଥିଲେ ମହାମାରୀ ସମୟରେ ଆତ୍ମସନ୍ତୋଷ ହିଁ ସବୁଠାରୁ ବଡ଼ ଶତ୍ରୁ । ତେଣୁ ସାଧାରଣ ଲୋକ ହୁଅନ୍ତୁ, ବା ସରକାରୀ କର୍ମଚାରୀ ସମସ୍ତେ ଏଥିପ୍ରତି ସତର୍କ ରହି କାମ କରିବା ଦରକାର। ରାଜ୍ୟରେ ଅଧିକ ନମୁନା ପରୀକ୍ଷା କରାଯାଉଛି। ପଜିଟିଭ୍ ହାର କମିଛି ଓ ମୃତ୍ୟୁ ହାର ମଧ୍ୟ କମି ଥିବାରୁ ସନ୍ତୋଷ ପ୍ରକାଶ କରିଥିଲେ।

ହଟ୍‌ସ୍ପଟ୍ ଜିଲ୍ଲାମାନଙ୍କରେ ଯେଉଁ ଅଞ୍ଚଳଭିତ୍ତିକ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଇଛି, ତାକୁ କଡାକଡି ପାଳନ କରିବା ସହିତ ଆଗାମୀ ସପ୍ତାହ ବେଳକୁ ଯେଭଳି ପରିସ୍ଥିତିରେ ଆଖିଦୃଶିଆ ଉନ୍ନତି ଆସିପାରିବ, ସେ ଦିଗରେ କାମ କରିବା ପାଇଁ ଜିଲ୍ଲା ପର୍ଯ୍ୟବେକ୍ଷକ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବିଭିନ୍ନ ଆଞ୍ଚଳିକ କୋଭିଡ ଚିକିତ୍ସାଳୟ ମାନଙ୍କରେ ଆବଶ୍ୟକ ମୁତାବକ ଆଇସିୟୁ ଶଯ୍ୟାର ଉପଲବ୍‌ଧ ରହିବା ଦରକାର। ତା ସହିତ ସରକାରୀ ଅଫିସ ଗୁଡିକୁ ସଂକ୍ରମଣମୁକ୍ତ ରଖିବାକୁ ସବୁପ୍ରକାର ପଦକ୍ଷେପ ନେବାକୁ ପଡ଼ିବ।

ସହିଦ୍‌ କୋଭିଡ ଯୋଦ୍ଧାମାନଙ୍କର ବ୍ୟକ୍ତିଗତ ପାଉଣା ଆସନ୍ତା ଶୁକ୍ରବାର ସୁଦ୍ଧା ତାଙ୍କ ଆତ୍ମୀୟ ମାନଙ୍କୁ ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ କଡା ନିର୍ଦ୍ଦେଶ ଦେଇଥିଲେ।

କୃଷି ମନ୍ତ୍ରୀ ଅରୁଣ ସାହୁ, ସରକାରୀ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବିଧାୟକ ଦେବୀ ପ୍ରସାଦ ମିଶ୍ର, ଓ ଅତନୁ ସବ୍ୟସାଚୀ ନାୟକ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଜୁଲାଇ ମାସରୁ ରାଜ୍ୟ ଅର୍ଥନୀତିରେ ସୁଧାର ପରିଲକ୍ଷିତ ହେଉଥିବା କହିଥିଲେ। ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ ମହାପାତ୍ର କହିଥିଲେ ଯେ ରାଜ୍ୟରେ ସୁସ୍ଥତା ହାର ଗତ ସପ୍ତାହରୁ ବଢି ୭୧.୩ ପ୍ରତିଶତରେ ପହଞ୍ଚିଛି ଓ ମୃତ୍ୟୁ ହାର ହ୍ରାସ ପାଇ ୦.୦୫ ପ୍ରତିଶତ ହୋଇଛି। ୫୪ ପ୍ରତିଶତ ସକ୍ରିୟ ସଂକ୍ରମିତ ରୋଗୀ ଗୃହ ସଂଗରୋଧରେ ରହୁଛନ୍ତି। ପୁଲିସ, ଅଗ୍ନିଶମ ଓ ଏନ୍‌ଡିଆର୍‌ଏଫ୍‌ର କର୍ମଚାରୀ ପ୍ଲାଜମା ଦାତା ମାନଙ୍କ ମଧ୍ୟରେ ଆଗୁଆ ରହିଛନ୍ତି । କଟକ, ବାଲେଶ୍ବର ଓ କେନ୍ଦ୍ରାପଡା ଜିଲ୍ଲା ପ୍ଲାଜମା ସଂଗ୍ରହ କ୍ଷେତ୍ରରେ ବହୁତ ଭଲ କାମ କରିଥିବା ବେଳେ ମାଲକାନଗିରି, ବୌଦ ଓ ରାୟଗଡ ଜିଲ୍ଲା ଗୃହ ସଂଗରୋଧ କ୍ଷେତ୍ରରେ ବହୁତ ଭଲ କାମ କରିଥିବା ସ୍ବାସ୍ଥ୍ୟ ବିଭାଗ କହିଛି।

ଆସନ୍ତା ୨୮ ତାରିଖରୁ ଭୁବନେଶ୍ବରରେ ଦ୍ବିତୀୟ ପର୍ଯ୍ୟାୟ ଏବଂ ରାଉରକେଲାରେ ପ୍ରଥମ ପର୍ଯ୍ୟାୟ ସେରୋ ସର୍ଭେ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଥିଲେ। ସେହିପରି ଆସନ୍ତାକାଲି କୋରାପୁଟରେ ଆଉ ଏକ ପ୍ଲାଜମା ବ୍ୟାଙ୍କ ଖୋଲାଯିବ ବୋଲି କୁହାଯାଇଥିଲା। ଏହି ବୈଠକରେ ମୁଖ୍ୟ ଶାସନ ସଚିବ, ପୁଲିସ ମହାନିର୍ଦ୍ଦେଶକ, ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଗୃହ ବିଭାଗର ପ୍ରମୁଖ ସଚିବ ଆଦି ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ ବୈଠକ ସଞ୍ଚାଳନ କରିଥିଲେ।