ଗଣଶିକ୍ଷା ବିଭାଗର ଦାୟିତ୍ବହୀନ କାର୍ଯ୍ୟ: ସୀମାନ୍ତବର୍ତ୍ତୀ ୪ ଜିଲ୍ଲାରେ ବନ୍ଦ ହେଉଛି ସ୍କୁଲ

ପିଲା ଆନ୍ଧ୍ରମୁହାଁ ହେବା ନେଇ ଆଶଙ୍କା, ଗଣଶିକ୍ଷା ମନ୍ତ୍ରୀଙ୍କୁ ଦାବିପତ୍ର

ଭୁବନେଶ୍ବର : ଓଡ଼ିଶା ସରକାରଙ୍କ ଗଣଶିକ୍ଷା ବିଭାଗର ଦାୟିତ୍ବହୀନ କାର୍ଯ୍ୟ। ଦୀର୍ଘ ବର୍ଷ ଧରି ନକ୍ସଲ କବ୍‌ଜାରେ ଥିଲା ମାଲକାନଗିରି ବିଚ୍ଛିନ୍ନାଞ୍ଚଳର ୯ ପଞ୍ଚାୟତର ୧୫୧ଟି ଗାଁ। ଶିକ୍ଷା, ସ୍ବାସ୍ଥ୍ୟଠାରୁ ସର୍ବନିମ୍ନ ଆବଶ୍ୟକତା ପାଇଁ ଆନ୍ଧ୍ରପ୍ରଦେଶ ଉପରେ ନିର୍ଭରଶୀଳ ଥିଲେ ଏହି ଅଞ୍ଚଳବାସୀ। ସ୍ଥିତି ଏଭଳି ଥିଲା ଯେ ଏଠାକାର ଅଧିକାଂଶ ପିଲା ତେଲୁଗୁ ମାଧ୍ୟମ ସ୍କୁଲରେ ପଢୁଥିଲେ, ଓଡ଼ିଆରେ ଦୁଇ ଅକ୍ଷର ଲେଖି ମଧ୍ୟ ପାରୁନଥିଲେ। ଘରେ-ଘରେ ଆନ୍ଧ୍ରପ୍ରଦେଶର ଛାପ ସ୍ପଷ୍ଟ ବାରି ହୋଇ ପଡ଼ୁଥିଲା। ଚିତ୍ରକୋଣ୍ଡା, ପଡ଼ିଆ, କାଳିମେଳା ସବୁଠି ସେହି ସ୍ଥିତି। ଏଣେ ଛତିଶଗଡ଼ ସୀମାବର୍ତ୍ତୀ ମାଥିଲି, ମାଲକାନଗିରି ବ୍ଲକରେ ଆଜି ବି ରହିଛି ଛତିଶଗଡ଼ର ପ୍ରଭାବ। ସ୍ବାଭିମାନ ସେତୁ ନିର୍ମାଣ ସହିତ ନକ୍ସଲଙ୍କ କବଳରୁ ଏହି ପଞ୍ଚାୟତ ମୁକୁଳାଇବା ପରେ ବିଚ୍ଛିନ୍ନାଞ୍ଚଳ ଓଡ଼ିଶା ସହିତ ଯୋଡ଼ି ହେବା ଆରମ୍ଭ ହୋଇଛି। ମାତ୍ର ଏଭଳି ସମୟରେ ମାଲକାନଗିରି ଜିଲ୍ଲାର ୪୬ଟି ସ୍କୁଲକୁ ବନ୍ଦ କରି ଦେଇଛନ୍ତି ଓଡ଼ିଶା ସରକାରଙ୍କ ଗଣଶିକ୍ଷା ବିଭାଗ। ଏଥିରୁ କେବଳ ୧୦ଟି ସ୍କୁଲ ସୀମାନ୍ତବର୍ତ୍ତୀ ଜିଲ୍ଲାର। ଗଜପତି, ରାୟଗଡ଼ା ଏବଂ କୋରାପୁଟରେ ମଧ୍ୟ ସ୍ଥିତି ତଦ୍ରୂପ।

ଏଭଳି ସ୍ଥିତିରେ ଗଜପତି ଜିଲ୍ଲାର ସମୁଦାୟ ୧୫ଟି ସ୍କୁଲକୁ ସରକାର ବନ୍ଦ କରି ଦେଇଛନ୍ତି। ଏଥିରୁ କେବଳ ୫ଟି ପାରଳାଖେମୁଣ୍ଡିର। କୋଭିଡ୍‌ ପୂର୍ବରୁ ରାୟଗଡ଼ା ଜିଲ୍ଲାର ୪୬୦ ସ୍କୁଲକୁ ବନ୍ଦ ପାଇଁ ଘୋଷଣା କରାଯାଇଥିଲା। ଏଥିରୁ ୧୨୬ଟି ସ୍କୁଲକୁ ବନ୍ଦ କରି ଦିଆଗଲାଣି। କୋରାପୁଟ ଜିଲ୍ଲାର ୬୨ଟି ସ୍କୁଲକୁ ୨୦୧୯ ମସିହାରେ ବନ୍ଦ କରି ଦିଆଯାଇଥିଲା। ସୀମାନ୍ତବର୍ତ୍ତୀ ଜିଲ୍ଲାରେ ସଂକଟଜନକ ସ୍ଥିତି ଦେଇ ଗତି କରୁଥିଲା ଓଡ଼ିଆ ସ୍କୁଲ। ଏଠାରେ ଅଧିକ ସଂଖ୍ୟକ ଶିକ୍ଷକ ଏବଂ କର୍ମଚାରୀ ନିଯୁକ୍ତି କରାଯାଇ ସ୍ଥିତି ସୁଧାର ପରିବର୍ତ୍ତେ ସ୍କୁଲକୁ ବନ୍ଦ କରିବା ଅର୍ଥ ସେହି ପିଲାଙ୍କୁ ପରୋକ୍ଷରେ ତେଲୁଗୁ ମାଧ୍ୟମ ସ୍କୁଲରେ ପଢ଼ିବା ପାଇଁ ପରୋକ୍ଷରେ ଚାପ ସୃଷ୍ଟି କରିବା ଭଳି ବୋଲି କହିଛି ସାମାଜିକ ସଙ୍ଗଠନ ବିଶାଳ ଓଡ଼ିଶା କ୍ରାନ୍ତି ପରିଷଦ। ଏହାକୁ ବିରୋଧ କରି ସଙ୍ଗଠନ ପକ୍ଷରୁ ଗଣଶିକ୍ଷା ମନ୍ତ୍ରୀଙ୍କୁ ଦାବିପତ୍ର ଦିଆଯାଇଛି। ଯଥାଶୀଘ୍ର ବନ୍ଦ ପଡ଼ିଥିବା ସୀମାନ୍ତବର୍ତ୍ତୀ ସ୍କୁଲକୁ ଖୋଲିବା ସହ ସେଠାରେ ଆବଶ୍ୟକ ସଂଖ୍ୟାରେ ଶିକ୍ଷକ, କର୍ମଚାରୀ ନିଯୁକ୍ତି, ତେଲୁଗୁ ମାଧ୍ୟମ ସ୍କୁଲ ଛାଡ଼ି ଓଡ଼ିଆ ମାଧ୍ୟମ ସ୍କୁଲରେ ନାମ ଲେଖାଇବା ପାଇଁ ଉଭୟ ଓଡ଼ିଆ ଏବଂ ତେଲୁଗୁ ବିଦ୍ୟାର୍ଥୀଙ୍କୁ ଆର୍ଥିକ ପ୍ରୋତ୍ସାହନ, ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଥିବା ତେଲୁଗୁ ସ୍କୁଲ ବନ୍ଦ ପାଇଁ ସଙ୍ଗଠନ ସଭାପତି ପ୍ରଭାତ ଦାଶ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର