୭ ବର୍ଷ ହେବ ଅଧାପନ୍ତରିଆ ଅବସ୍ଥାରେ ୨୭ ସ୍କୁଲ କୋଠା, ଶ୍ରେଣୀଗୃହ ଅଭାବରୁ ଛାତ୍ରଛାତ୍ରୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ

ସମ୍ବଲପୁର, : ଶିକ୍ଷାର ବିକାଶ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ମାଳ ମାଳ ଯୋଜନା କରାଯାଉଛି। କିନ୍ତୁ ଶିକ୍ଷା ପାଇଁ ଆବଶ୍ୟକୀୟ ଭିତ୍ତିଭୂମି ଉପରେ ସରକାରଙ୍କ ପକ୍ଷରୁ କୌଣସି ଗୁରୁତ୍ବାରୋପ କରାଯାଉନଥିବା ଜଣାପଡ଼ିଛି। ୨୦୧୨-୧୩ ଶିକ୍ଷା ବର୍ଷରୁ ଜିଲ୍ଲାରେ ୩୦ଟି ସ୍କୁଲର ବିକାଶ ପାଇଁ କୋଠା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ତନ୍ମଧ୍ୟରୁ ୩ଟି ମାତ୍ର ଛାତ ପଡ଼ିପାରିଛି। ବାକି ୨୭ଟି କୋଠା ଏବେ ବି ଅଧାପନ୍ତରିଆ ହୋଇ ପଡ଼ିରହିଛି। ପ୍ରାଥମିକ ଓ ମାଧ୍ୟମିକ ସ୍କୁଲଗୁଡ଼ିକର ଏକତ୍ରୀକରଣ ପରେ ଶ୍ରେଣୀଗୃହ ଅଭାବରୁ ଛାତ୍ରଛାତ୍ରୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଶିକ୍ଷା ବିଭାଗ ଏଥିପ୍ରତି କିନ୍ତୁ କୌଣସି ଦୃଷ୍ଟି ଦେଉନଥିବା ଅଭିଯୋଗ ହେଉଛି।

ମିଳିଥିବା ତଥ୍ୟ ମୁତାବକ, ୨୦୧୧-୧୨ ଓ ୨୦୧୨-୧୩ ମସିହାରେ ଜିଲ୍ଲାରେ ୩୦ଟି ସ୍କୁଲର କୋଠା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏଥିପାଇଁ ସ୍କୁଲ ପିଛା ୪.୧ ଲକ୍ଷ ଟଙ୍କାର ବ୍ୟୟ ଅଟ୍ଟକଳ ମଧ୍ୟ ପ୍ରସ୍ତୁତ କରାଯାଇଥିଲା। ଇତି ମଧ୍ୟରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାକୁ ୭ ବର୍ଷ ବିତି ଯାଇଥିବା ସତ୍ତ୍ବେ ସରକାରଙ୍କ ପକ୍ଷରୁ ଶତ ପ୍ରତିଶତ ଅନୁଦାନ ରାଶି ଅଦ୍ୟାବଧି ମିଳିପାରି ନାହିଁ। କିଛି ସ୍କୁଲକୁ ୭୫ ପ୍ରତିଶତ ଅର୍ଥ ପ୍ରଦାନ କରାଯାଇଥିବା ବେଳେ ଉକ୍ତ ସ୍କୁଲଗୁଡ଼ିକରେ ଶ୍ରେଣୀଗୃହଗୁଡ଼ିକ ଛାତ ଯାଏଁ ନିର୍ମାଣ ହୋଇ ଅଟକି ରହିଛି। ବଳକା କାର୍ଯ୍ୟ କରିବାକୁ ଟଙ୍କା ଯୋଗାଇ ଦିଆଯାଇନଥିବାରୁ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରୁନାହିଁ। ଧନକଉଡ଼ା ବ୍ଲକର ପିଆର ଲାଇନ୍‌, ରେମେଡ, ଖଡ଼ିପଡ଼ା, ମହମ୍ମଦପୁର, ସୁନାପାଲି, ସାନସିଂହାରୀ, ଯୋଗୀପାଲି, ଚାଉଁରପୁର, ଆରକେଡିଡି ଏମଇ ସ୍କୁଲ, ବିନାଖଣ୍ଡି ୟୁଜିଏମ୍‌ଇ, ହୀରାକୁଦ ୟୁଜିଏମ୍‌ଇ ସ୍କୁଲ, ରେଙ୍ଗାଲି ବ୍ଲକର ବାଞ୍ଜିବେର୍ଣ୍ଣା, ଭୁର୍ସିପାଲି, ବ୍ରାହ୍ମଣୀପାଲି, ଖଡ଼ିଆପାଲି, ରେଢ଼ାଖୋଲର ତ୍ରିବନପୁର, କେଲିଣ୍ଡର, ଖୁବେଲ, ତାଲ, କୁକୁଡ଼ାବାହାଲି, ଜମନକିରାର ବିବି କ‌ଲୋନି, ନାକଟିଦେଉଳର ବରବୁଡ଼ା, କୁଚିଣ୍ଡାର ପାଣ୍ଡରିପଥର, କୁଟୁରଚୂ୍ଆଁ ଓ ବାମରା ବ୍ଲକର ଗଡ଼ପୋଷ ବିଦ୍ୟାଳୟରେ ଶ୍ରେଣୀଗ୍ୟହ ନିର୍ମାଣ କାର୍ଯ୍ୟ ଅଧାପନ୍ତରିଆ ହୋଇ ପଡ଼ିରହିଛି।

ଏନେଇ ସର୍ବଶିକ୍ଷା ଅଭିଯାନ ନିର୍ବାହୀ ଯନ୍ତ୍ରୀ ଇଂ ସୂର୍ଯ୍ୟକାନ୍ତ ବିଶ୍ବାଳଙ୍କୁ ଯୋଗାଯୋଗ କରାଯିବାରେ ୨୦୧୩ରୁ ଶ୍ରେଣୀ କୋଠରୀ ନିର୍ମାଣ ପାଇଁ ସରକାରଙ୍କ ପକ୍ଷରୁ ପାଣ୍ଠି ଯୋଗାଣ ବନ୍ଦ ରହିଥିବାରୁ ନିର୍ମାଣଧୀନ ସ୍କୁଲ ଗୁଡ଼ିକର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରୁନଥିବା କହିଥିଲେ। ଏହାବାଦ୍‌ ନୂତନ ନିୟମ ମୁତାବକ, ସହରାଞ୍ଚଳରେ ରହିଥିବା ପ୍ରତମରୁ ଅଷ୍ଟମ ଶ୍ରେଣୀଯାଏଁ ସ୍କୁଲ କୋଠାଗୁଡ଼ିକର ରକ୍ଷଣାବେକ୍ଷଣ ଓ ମରାମତି କାର୍ଯ୍ୟ ଏଚ ଆଣ୍ଡ ୟୁଡି ବିଭାଗ ଓ ଅଷ୍ଟମରୁ ଦଶମ ଯାଏଁ ସ୍କୁଲ କୋଠାଗୁଡ଼ିକର କାର୍ଯ୍ୟ ପୂର୍ତ୍ତ ବିଭାଗ କରୁଛି। ଗ୍ରାମାଞ୍ଚଳର ସ୍କୁଲଗୁଡ଼ିକର କୋଠା ପାଇଁ ପଞ୍ଚାୟତିରାଜ ବିଭାଗ ଓ ଆର ଆଣ୍ଡ ଡବ୍ଲ୍ୟୁ ବିଭାଗକୁ ଦାୟିତ୍ବ ଦିଆଯାଇଥିବା ଶ୍ରୀ ବିଶ୍ବାଳ କହିଛନ୍ତି।

ସମ୍ବନ୍ଧିତ ଖବର