ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରସ୍ତୁତି ଜୋରଦାର କରିଛି। ଗଞ୍ଜାମ, ପୁରୀ, ଜଗତ୍ସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଯାଜପୁର, ଅନୁଗୁଳ, ଖୋର୍ଦ୍ଧା, ନୟାଗଡ଼ ଓ କଟକ ଜିଲ୍ଲାର ସମସ୍ତ ସ୍କୁଲକୁ ୨୩ରୁ ୨୫ ତାରିଖ ଯାଏଁ ଛୁଟି ଘୋଷଣା କରାଯାଇଛି। ତେବେ ବିଭାଗ ଅଧୀନରେ କାର୍ଯ୍ୟରତ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି ବାତିଲ୍ ହୋଇଛି। ସମସ୍ତେ ନିଜ ନିଜର ହେଡ୍କ୍ବାର୍ଟର୍ସ(ମୁଖ୍ୟାଳୟ)ରେ ରହିବେ। ଆବଶ୍ୟକ ସ୍ଥଳେ ଜିଲ୍ଲା ପ୍ରଶାସନ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କୁ ବାତ୍ୟା ପରିଚାଳନା କାର୍ଯ୍ୟରେ ନିୟୋଜିତ କରିପାରିବେ।
ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ)ମାନେ ଜିଲ୍ଲାରେ ନୋଡାଲ ଅଧିକାରୀ ଭାବେ କାର୍ଯ୍ୟ କରିବେ। ଜିଲ୍ଲା ପ୍ରଶାସନ ସହ ସହଯୋଗରେ ଓ ନିର୍ଦ୍ଦେଶରେ ସେମାନେ ଦାୟିତ୍ବ ନିର୍ବାହ କରିବେ। ଡିଇଓ ଓ ବିଇଓମାନେ ଜିଲ୍ଲାପାଳଙ୍କ ବିନା ଅନୁମତିରେ ମୁଖ୍ୟାଳୟ ଛାଡ଼ି ପାରିବେ ନାହିଁ। ପ୍ରଧାନମନ୍ତ୍ରୀ ପୋଷଣ କାର୍ଯ୍ୟକ୍ରମରେ ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନଭୋଜନ ପାଇଁ ବ୍ୟବହୃତ ହେବାକୁ ଥିବା ଚାଉଳକୁ ରିଲିଫ୍ କାର୍ଯ୍ୟରେ ବ୍ୟବହାର କରାଯାଇପାରିବ। ପରବର୍ତ୍ତୀ ସମୟରେ ସ୍ବତନ୍ତ୍ର ରିଲିଫ୍ କମିସନରଙ୍କଠାରୁ ତାହା ଭରଣା କରାଯିବ। ସ୍କୁଲ ଘରଗୁଡ଼ିକ ଜିଲ୍ଲା ପ୍ରଶାସନର ଆବଶ୍ୟକତା ଅନୁଯାୟୀ ବ୍ୟବହାର କରାଯାଇପାରେ। ଆବଶ୍ୟକ ବେଳେ ଡିଇଓମାନେ ସମ୍ପୃକ୍ତ ନିର୍ଦ୍ଦେଶକମାନଙ୍କ ସହ ଆଲୋଚନା କରି ପଦକ୍ଷେପ ଗ୍ରହଣ କରିବେ। ସମସ୍ତ ଶ୍ରେଣୀଗୃହ ଓ ଅନ୍ୟାନ୍ୟ କୋଠରୀଗୁଡ଼ିକରେ ବିଦ୍ୟୁତ୍ ଚଳାଚଳକୁ ବନ୍ଦ କରିବେ। ବିଦ୍ୟାଳୟରେ ଥିବା ସମସ୍ତ ଶୈକ୍ଷିକ ଉପକରଣ ଏବଂ ଆସବାବପତ୍ରକୁ ସୁରକ୍ଷିତ ସ୍ଥାନରେ ରଖିବେ। ବାତ୍ୟା ପରେ ସମସ୍ତ ଉପକରଣ ଓ ଆସବାବପତ୍ର ପରିଚାଳନାକୁ ସୁନିଶ୍ଚିତ କରିବେ।
ମୁଖ୍ୟାଳୟ ଛାଡ଼ି ପାରିବେନି ଅଧିକାରୀ ଓ କର୍ମଚାରୀ
ଡିଇଓମାନେ ଜିଲ୍ଲାର ନୋଡାଲ ଅଧିକାରୀ ନିୟୋଜିତ
ରିଲିଫ୍ରେ ବ୍ୟବହୃତ ହେବ ମଧ୍ୟାହ୍ନଭୋଜନ ଚାଉଳ
ଯଦି ବାତ୍ୟାରେ କୌଣସି କ୍ଷୟକ୍ଷତି ହୋଇଥାଏ, ତେବେ ପ୍ରଧାନଶିକ୍ଷକ ପରବର୍ତ୍ତୀ ସମୟରେ ଆକଳନ କରି ଡିଇଓଙ୍କୁ ଜଣାଇବେ। ଡିଇଓ ବାତ୍ୟାର କ୍ଷୟକ୍ଷତି ସମ୍ପର୍କରେ ଜିଲ୍ଲାପାଳ ଓ ସମ୍ପୃକ୍ତ ନିର୍ଦ୍ଦେଶକଙ୍କୁ ଅବଗତ କରାଇବେ। ବିଭାଗ ଅଧୀନ ସମସ୍ତ ନିର୍ଦ୍ଦେଶକ ନିଜ କାର୍ଯ୍ୟାଳୟରେ ୨୪ ଘଣ୍ଟିଆ ‘କଣ୍ଟ୍ରୋଲ୍ ରୁମ୍’ ଖୋଲିବେ ଏବଂ ଡିଇଓଙ୍କ ଯୋଗାଯୋଗରେ ରହିବେ। ସମସ୍ତେ ପ୍ରସ୍ତୁତ ରହିବା ସହ ସମlୟୋପଯୋଗୀ ପଦକ୍ଷେପ ଗ୍ରହଣ କରିବାକୁ ଗଣଶିକ୍ଷା ବିଭାଗ ଶାସନ ସଚିବ ଶାଳିନୀ ପଣ୍ଡିତ ଆଜି ୧୪ ଜିଲ୍ଲାର ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଜିଲ୍ଲା ପ୍ରକଳ୍ପ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।