ନୂଆବର୍ଷରେ ସ୍କୁଲ୍ ଓ କଲେଜ୍ ଖୋଲିବାର ଯଥେଷ୍ଟ ସମ୍ଭାବନା, ସୂଚନା ଦେଲେ ଉଚ୍ଚ ଶିକ୍ଷା ସଚିବ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର: ନୂଆବର୍ଷରେ ସ୍କୁଲ୍ ଓ କଲେଜ୍ ଖୋଲିବାର ଯଥେଷ୍ଟ ସମ୍ଭାବନା ଦେଖା ଦେଇଛି। ଉଚ୍ଚ ଶିକ୍ଷା ସଚିବ ଶାଶ୍ୱତ ମିଶ୍ର କଲେଜ୍ ଖୋଲିବା ନେଇ ସୂଚନା ଦେଇ କହିଛନ୍ତି ଯେ ନୂଆ ବର୍ଷରେ ଛାତ୍ରଛାତ୍ରୀ କଲେଜରେ କ୍ଲାସ କରିବେ । ତେବେ ଏନେଇ ରାଜ୍ୟ ସରକାର ଚୂଡାନ୍ତ ନିଷ୍ପତ୍ତି ନେବେ। ୟୁଜି ଓ ପିଜି ପାଇଁ ସେମିଷ୍ଟାର ଘୁଞ୍ଚିବ ବୋଲି ସେ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ୭୦-୮୦ ଦିନ କ୍ଲାସରେ ପାଠ ପଢ଼ାଯିବା ପ‌ରେ ପରୀକ୍ଷା କରାଯିବ। କଲେଜ ଖୋଲିବାରେ ଯଦି ଅଧିକ ବିଳମ୍ବ ହେବ, ତେବେ ସିଲାବସ କମାଇବା କଥା ଚିନ୍ତା କରାଯାଇପାରେ। ହେଲେ ଅନଲାଇନ୍ ପଢାକୁ ନେଇ ପରୀକ୍ଷା କଲେ, ଫେଲ ପ୍ରତିଶତ ବଢିବ।

ଏଣେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ଯେ ଜାନୁଆରିରେ ସ୍କୁଲ ଖୋଲିବାକୁ ଚିନ୍ତା କରାଯାଉଛି। ମୁଖ୍ୟତଃ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ସ୍କୁଲ ଖୋଲାଯିବ। ପିଲାଙ୍କୁ ଶହେ ଦିନ ପାଠ ପଢ଼ାଇବା ପରେ ପରୀକ୍ଷା କରାଯିବ ବୋଲି ସେ କହିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ପର୍ବପର୍ବାଣୀକୁ ଛାଡ଼ି ଶନିବାର ଓ ରବିବାର ଦିନରେ ବି କ୍ଲାସ କରାଯିବ। କିଛି ଦିନ ମଧ୍ୟରେ ଛାତ୍ରଛାତ୍ରୀଙ୍କ ଚାପ କମାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଜରିଆରେ ପାଠପଢା ସାମଗ୍ରୀ ଉଦଘାଟନ କରାଯାଇ ପ୍ରଦାନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର